ନୟାଗଡ଼ ଲଜ୍ଜା: ପୁଣି ସୋସିଆଲ୍‌ ମିଡିଆରେ ନ୍ୟାୟ ଭିକ୍ଷା; କୁଳବଧୂକୁ ବିଷ ଦେଇ ହତ୍ୟା କଲେ ଶଶୁର ଘର ଲୋକେ, ଫଟୋ ସହ ଚିଠି ଭାଇରାଲ୍‌

ନୟାଗଡ଼: ନୟାଗଡ଼ର ଜିଲ୍ଲାର ସାଜନପଡ଼ା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗାଁର ସୁଭଦ୍ରା ସେଠୀ ନାମକ ଜଣେ ମହିଳାଙ୍କୁ ତାଙ୍କର ସ୍ୱାମୀ ଅରୁଣ ସେଠୀ, ଶଶୁର ମାଗୁଣୀ ସେଠୀ, ଶାଶୂ ସୁଷମା ସେଠୀ, ନଣନ୍ଦ ଜଲି ଓ ଲିଲି ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କର ୬ ମାସର ଏକ ଶିଶୁ କନ୍ୟା ଅଛି। ନୟାଗଡ଼ ପୁଲିସ୍‌ରେ ଏ ନେଇ ଅଭିଯୋଗ ହୋଇଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଅଭିଯୋଗ ହୋଇଛି।

ଏହି ଘଟଣାଟି ଏକ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ ହେବା ପରେ ଲୋକଲୋଚନକୁ ଆସିଛି। ଫେସ୍‌ବୁକ୍‌ ପେଜ୍‌ରେ ଏହି ଘଟଣାଟିକୁ ଅପ୍‌ଲୋଡ୍‌ କରିଥିବା ବ୍ୟବହାରକାରୀ ଜଣକ ମହିଳାଙ୍କର ୩ଟି ଫଟୋ ସହ ତାଙ୍କ ଝିଅର ଗୋଟାଏ ଫଟୋ ଏବଂ ଏକ ଚିଠି ମଧ୍ୟ ଅପ୍‌ଲୋଡ୍‌ କରିଛନ୍ତି। ଚିଠିଟିରେ ମହିଳା ଜଣକ ନିଜ ଝିଅ ସଂପର୍କରେ ଚିନ୍ତା ପ୍ରକଟ କରି ଲେଖିଛନ୍ତି କି ’ମୁଁ ଯଦି ମରିଯାଏ ମୋ ଝିଅର କ’ଣ ହେବ? ଶାଶୂ, ଶଶୁର, ନଣନ୍ଦମାନଙ୍କ ବ୍ୟତୀତ ମୋ ସ୍ୱାମୀ ମଧ୍ୟ ମୋ ମୃତ୍ୟୁ ପାଇଁ କିଛି ମାତ୍ରାରେ ଦାୟୀ ରହିବେ।’

ତେବେ ବାସ୍ତବରେ ମହିଳାଙ୍କର କିପରି ମୃତ୍ୟୁ ହୋଇଛି ଏ ନେଇ ଶଶୁରଘର କିମ୍ବା ବାପଘର ଲୋକଙ୍କ ପକ୍ଷରୁ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଏହି ଘଠଣାଟି କୁନ୍ତୁ ସୋସିଆଲ୍‌ ମିଡିଆରେ ଘୂରି ଚାଲିଛି। ‘ସର୍ବେ ଭବନ୍ତୁ ସୁଖିନ’ ଏସ୍‌ବିଏସ୍‌ ଫ୍ୟାମିଲ୍‌ ନାମକ ଏକ ଫେସ୍‌ବୁକ୍‌ ଗ୍ରୁପ୍‌ରେ ଏହି ଘଟଣାଟି ଅପ୍‌ଲୋଡ୍‌ ହୋଇଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏକ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇଯିବା ସହ ଫେସ୍‌ବୁକ୍‌ ଲାଇଭ୍‌ର ସାହାଯ୍ୟ ନେଇ ଚର୍ଚ୍ଚା ପାଲଟିଥିଲେ। ସେମାନଙ୍କ ପରିବାର ଲୋକ ସେମାନଙ୍କ ବିରୋଧରେ ଥିବା ହେତୁ ସେମାନେ ସୋସିଆଲ୍‌ ମିଡିଆ ଜରିଆରେ ଲୋକଙ୍କ ସାହାଯ୍ୟ ମାଗିଥିଲେ।

ସମ୍ବନ୍ଧିତ ଖବର