ଛିଡ଼ିପଡ଼ିଲା ୩୩ କେଭି ବିଦ୍ୟୁତ୍‌ ତାର, ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ପୋଡ଼ିଗଲା ଶତାଧିକ ଟିଭି, ଫ୍ରିଜ୍‌, ମୋବାଇଲ୍‌, ଦୁଇ ମହିଳା ଆହତ

ନୟାଗଡ଼ : ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ନୟାଗଡ଼ ବ୍ଲକ୍‌ ଲାଠିପଡ଼ା ଗ୍ରାମ ପଞ୍ଚା‌ୟତର ଜଗତିପାଟଣା ଗ୍ରାମବାସୀ। ରବିବାର ଦିନ ସକା‌ଳେ ଗ୍ରାମ ମଧ୍ୟ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ତ‌ାର କୌଣସି କାରଣରୁ ହଠାତ୍‌ ଛିଡ଼ିଯାଇ ତଳେ ଦିଆଯାଇଥିବା ଗାର୍ଡ ଉପରେ ପଡ଼ିଥିଲା। ଗ୍ରାମକୁ ଯାଇଥିବା ସାଧାରଣ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଏହା ଆସିବା ପରେ ଗାଁ ସାରା ବିଦ୍ୟୁତ ଚାର୍ଜ ହୋଇ ଯାଇଥିଲା। ମିଟର ଆଦି ଢୋ ଢା ଶବ୍ଦ କରି ଫୁଟିବା ସହିତ ତାର ଜଳିଯାଇଥିଲା। ସକାଳ ସମୟ ହୋଇଥିବାରୁ , ଅଧିକାଂଶ ଲୋକ ଘର ମଧ୍ୟରେ ରହିଥିଲେ। ଫଳରେ, ଏଭଳି ଏକ ଭୟାନକ ବିଦ୍ୟୁତ୍‌ ଦୁର୍ଘଟଣାରୁ ଗ୍ରାମବାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ଗ୍ରାମ ମଧ୍ୟରେ ଥିବା ୪୫ ପରିବାରଙ୍କ ମଧ୍ୟରୁ ଅଳ୍ପ କେତେ ଜଣଙ୍କ ଛାଡ଼ିଦେଲେ ବାକି ସମସ୍ତଙ୍କର ଟିଭି, ଫ୍ରିଜ୍‌, ଚାର୍ଜରେ ବସିଥିବା ମୋବାଇଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ପୋଡ଼ିଯାଇଛି। ଗ୍ରାମର ଦୁଇ ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ‌ରେ ଭର୍ତ୍ତି କରାଯାଇଥିଲା, ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ନୟାଗଡ଼ ରାଜପାଟଣାରେ ଥିବା ଓପିଟିସିଏଲ୍‌ର ୩୩ କେଭି ଗ୍ରିଡ୍‌ ସବ୍‌ଷ୍ଟେସନରୁ ଜଗତିପାଟଣା ଗ୍ରାମ ଦେଇ ଏହି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ରଣପୁର ଅଞ୍ଚଳକୁ ଯାଇଛି। ଗାଁ’ ମଧ୍ୟ ଦେଇ ତାର ଟଣାଯିବାକୁ ପୂର୍ବରୁ ଗ୍ରାମବାସୀ ବିରୋଧ କରିଥିଲେ, କିନ୍ତୁ ଏହାକୁ ବିଭାଗ ଧ୍ୟାନ ଦେଇନଥିଲା। ଫଳରେ, ଗତାକାଲି ଏହିଭଳି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ଦିନସାରା ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ନୟାଗଡ଼ ତହସିଲଦାର, ଉପଜିଲ୍ଲାପାଳ , ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) କର୍ତ୍ତୃପକ୍ଷ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଘଟଣାର ସମାଧାନ ହୋଇପାରିନଥିଲା। ଆଜି ସକାଳେ ପୁନର୍ବାର ଉପଜିଲ୍ଲାପାଳ ଲଗ୍ନଜିତ୍‌ ରାଉତ, ବିଡିଓ ମନୋଜ ପାତ୍ର, ଇଟାମାଟି ଥାନା ଆଇଆଇସି ଶରତଚନ୍ଦ୍ର ପାତ୍ର , ଟିପିସିଓଡିଏଲ୍‌ର ଟାଙ୍ଗୀ ଏସ୍‌ଡିଓ ବିଭୂତି ପ୍ରସାଦ ହରିଚନ୍ଦନ ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କ ସହ ବୈଠକ କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାମବାସୀଙ୍କୁ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ଦେଇଛନ୍ତି। ସଂପୂର୍ଣ୍ଣ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବାକୁ ଗ୍ରାମର ଭାଗିରଥୀ ମହାରଣା, ପ୍ରଫୁଲ୍ଲ ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା, ପ୍ରମୋଦ ମହାରଣା ପ୍ରମୁଖ ଦାବି କରିଛନ୍ତି। ତେବେ, ଦୁର୍ଘଟଣାର କାରଣ ସମ୍ପର୍କରେ ଏସ୍‌ଡିଓ ଶ୍ରୀ ହରିଚନ୍ଦନ ଏକ ପକ୍ଷୀ ମାଡ଼ ବୋଲି ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର