ନୂଆଗାଁ : ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମିଳୁନି ମୌଳିକ ସୁବିଧା ସୁଯୋଗ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ସେବା ବିପର୍ଯ୍ୟସ୍ତ

ନୂଆଗାଁ : କେନ୍ଦ୍ର ତଥା ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି, କିନ୍ତୁ ସରକାରଙ୍କ ଏହି ଯୋଜନା ପାଣିର ଗାର ସଦୃଶ ହୋଇଛି। ସ୍ବାଧୀନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକମାନେ ସେହି ଅପନ୍ତରିଆ ଖାଲଖମା ରାସ୍ତା ଦେଇ ଯିବାଆସିବା କରୁଛନ୍ତି। ଗାଁ’କୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇନଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଆଦି ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏବେ ବି ଲୋକମାନେ ପୋକମାଛି ଭଳି ସଢ଼ୁଥିବା ଦେଖିବାକୁ ମିଳିଛି। ନୂଆଗାଁ ବ୍ଲକ୍ ଜାକେଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏଭଳି ଦୟନୀୟ ଚିତ୍ର ସାମ୍ନାକୁ ଆସିଛି।

ଖବରରୁ ପ୍ରକାଶ, ଆଦିବାସୀଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରି ଆସୁଛନ୍ତି କିନ୍ତୁ କେତେକ ରାଜନେତା ଏବଂ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ଜାକେଡ଼ା ପଞ୍ଚାୟତର ବଡ଼ଜିରୀ, ତୁକୁଡ଼ା, ଲୁଣି, ସାନଜିରୀ, ଦୁରୁଙ୍ଗି, କାଳିଆମ୍ବା, ବାଡ଼ିବାରୀ, ମୁଥାଗାଡ଼ିଆ, କରଚୁଲି ଆଦି ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇ ପାରିନାହିଁ। ଲୋକମାନେ ସେହି ଜଙ୍ଗଲିଆ ଖାଲଖମା ରାସ୍ତାରେ ପ୍ରତିଦିନ ଯାତାୟାତ କରୁଛନ୍ତି। ବର୍ଷାଦିନ ଆସିଲେ ଏହି ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଇଥାଏ। ଲୋକମାନେ କାଦୁଅ ପଚପଚ ରାସ୍ତାରେ ଦୋକାନ ବଜାର କିମ୍ବା ଜରୁରୀକାଳୀନ କାର୍ଯ୍ୟ ପାଇଁ ବାହାରକୁ ଯାଇଥାନ୍ତି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ବାର ଦାବି କରି ଆସୁଛନ୍ତି। ବ୍ଲକ୍ ପ୍ରଶାସନଠାରୁ ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କରୁଛନ୍ତି, କିନ୍ତୁ ଆଦିବାସୀଙ୍କ ଦୁଃଖ କେହି ବୁଝିବାକୁ ଆସିନଥାନ୍ତି। ଦୁର୍ଦ୍ଦଶାରେ ଶଢ଼ି ଶଢ଼ି ଲୋକମାନେ ଅଣନିଶ୍ବାସୀ ହୋଇଗଲେଣି। ରାସ୍ତା ଅଭାବରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିବା ବେଳେ ଗାଁ’କୁ ଆମ୍ବୁଲାନ୍ସର ସୁବିଧା ପହଞ୍ଚି ପାରିନାହିଁ। ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନପାରି ଅନେକ ବ୍ୟକ୍ତି ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ଗ୍ରାମବାସୀମାନେ କହିଛନ୍ତି।

ସେମାନଙ୍କ କହିବା କଥା ବର୍ଷାଦିନେ, ଗାଁ’କୁ କୌଣସି ଗାଡ଼ି ମୋଟର ଆସିପାରେ ନାହିଁ। ଆମେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଦୋଳା ଯୋଗେ ୪ରୁ ୫ କିଲୋମିଟର ମୁଖ୍ୟ ରାସ୍ତାକୁ ବୋହି ନେବା ପରେ ସେଠାରୁ ମେଡିକାଲ୍‌ ନେଇଥାଉ। ସୁବିଧା ଅସୁବିଧା ପାଇଁ ଆମ ଗାଁ’କୁ ଅଟୋ ମଧ୍ୟ ଆସି ପାରିନଥାଏ। ଏହା ଆମର ନିତିଦିନିଆ ଘଟଣାରେ ପରିଣତ ହେଲାଣି ବୋଲି ଗ୍ରାମବାସୀମାନେ କହିଛନ୍ତି। ସେହିପରି ଗାଁରେ ବିଦ୍ୟାଳୟଟିଏ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସରକାର ବିଦ୍ୟାଳୟ ବନ୍ଦ କରିବା ପରେ ଛୋଟ ଛୋଟ ପିଲାଙ୍କୁ ଜଙ୍ଗଲିଆ ନିକାଞ୍ଚନ ରାସ୍ତାରେ ଛାଡ଼ିବାକୁ ଅଭିଭାବକମାନେ ଅନିଚ୍ଛା ପ୍ରକାଶ କରିଥାନ୍ତି। ସେହିପରି ଗାଁ’ରେ ପାନୀୟଜଳ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି। ଗାଁ’କୁ ଆଜି ପର୍ଯ୍ୟନ୍ତ ପାନୀୟଜଳ ଯୋଗାଣ ହୋଇପାରିନଥିବା ବେଳେ ନଳକୂପଗୁଡ଼ିକ ଅଚଳ ଅବସ୍ଥାରେ ରହିଛି। ନଳକୂପଗୁଡ଼ିକୁ ସଚଳ କରିବାକୁ ପଞ୍ଚାୟତ ଏବଂ ବ୍ଲକ୍‌ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥାନ୍ତି ବୋଲି ବିଭିନ୍ନ ଗ୍ରାମର ଅଧିବାସୀମାନେ କହିଛନ୍ତି। ଲୋକମାନେ ଖୋଲାକୂପରୁ ପୋକମାଛି ଭାସୁଥିବା ପାଣି ଆଣି ବ୍ୟବହାର କରୁଛନ୍ତି। ଗାଁରେ ପରିମଳ କଥା ନ କହିବା ଭଲ। ଦଲାଲମାନେ ଗାଁ ଗାଁରେ ପଶି ପାଇଖାନା ନିର୍ମାଣ କରିବାକୁ କହି ଟଙ୍କା ଧରି ଛୁ ମାରିଛନ୍ତି। ଏବେ ସେହି ପାଇଖାନା ବ୍ୟବହାର ଉପଯୋଗୀ ନ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଆଦିବାସୀଙ୍କ ବିକାଶ କଥାରେ ପ୍ରଶାସନ କର୍ଣ୍ଣପାତ କରୁନଥିବା ବେଳେ ରାଜନେତାମାନେ ଏମାନଙ୍କୁ ଅଣଦେଖା କରି ଚାଲିଛନ୍ତି। ଫଳରେ ବର୍ଷ ବର୍ଷ ଧରି ଆଦିବାସୀମାନେ ସରକାରୀ ସୁବିଧାରୁ ବଂଚିତ ହୋଇ ହଟହଟା ହେଉଛନ୍ତି। ଗାଁ’କୁ କୌଣସି କାମ ଆସିଲେ କୁଜିନେତା ମାଳମାଳ ହୋଇ ଗାଁକୁ ମାଡ଼ି ଆସନ୍ତି। ସତମିଛ କହି ଗାଁ ବସାଇ କାମ ହାସଲ କରିଥାନ୍ତି। ଏହି ଅଗମ୍ୟ ଅଂଚଳର ଲୋକଙ୍କ ସରଳତା ସୁଯୋଗ ଉଠାଇଥାନ୍ତି ଏମାନେ। ସରକାର ଏହି ଅଂଚଳର ବିକାଶ ପାଇଁ ଚେଷ୍ଟା କରିବା ସହିତ ଲୋକଙ୍କ ଦାରିଦ୍ର୍ୟ ଅବସ୍ଥାକୁ ବିଚାର କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର