ରଣପୁର : ସଂପ୍ରତି ମହାମାରୀ କରୋନା ସଂକ୍ରମଣ ରଣପୁର ଓ ଆଖପାଖ ଅଞ୍ଚଳରେ ପ୍ରତ୍ୟହ ହୁ ହୁ ହୋଇ ବଢ଼ିଚାଲିଛି। ତେବେ ଇତି ମଧ୍ୟରେ ରଣପୁର ଅଞ୍ଚଳରେ କିଛି ଦିନ ହେଲା ଦିନରେ ମାଙ୍କଡ଼ ଓ ହନୁ ମାଙ୍କଡ଼ଙ୍କ ଉପଦ୍ରବ ଅସହ୍ୟ ହୋଇପଡ଼ିଥିବା ବେଳେ ରାତିରେ ହାତୀମାନଙ୍କ ଉପଦ୍ରବ ଚାଷୀଙ୍କ କଷ୍ଟକୁ ଦ୍ବିଗୁଣିତ କରିପକାଇଛି।

Advertisment

publive-image New Indian Express

ସୂଚନା ଥାଉକି ରଣପୁର ଏକ ପାହାଡ଼ ଘେରା ଅଞ୍ଚଳ ହୋଇଥିବା ବେଳେ ଏଠାରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ। ତେବେ ସଂପ୍ରତି ଫସଲ ଅମଳ ସମୟରେ ଦିନ ବେଳା ମାଙ୍କଡ଼ ଓ ରାତିରେ ହାତୀ ପଲଙ୍କ ଉପଦ୍ରବରେ ଚାଷୀ ନିଜ କଷ୍ଟାର୍ଜିତ ଫସଲକୁ ହରାଇ ତ୍ରାହି ତ୍ରାହି ଡାକୁଥିବା ଅଭିଯୋଗ ହେଉଛି। ତେବେ ବର୍ଷା ଅଭାବରୁ କୂଅ, ପୋଖରୀରୁ ପାଣି ସଂଗ୍ରହ କରି ପନିପରିବା, ଯଥା: ବାଇଗଣ, ଝୁଡ଼ଙ୍ଗ, ଭେଣ୍ତି, ଜହ୍ନି, ପୋଟଳ, କୋବି, ଟମାଟୋ ଆଦି ଫସଲ କରୁଥିବା ବେଳେ ପଲ ପଲ ମାଙ୍କଡ଼, ଚାଷୀମାନଙ୍କ ଉକ୍ତ ଫସଲ ଖାଇଦେବା ସାଙ୍ଗକୁ ଚାରା ଦଳି ଚକଟି ନଷ୍ଟ କରିପକାଉଛନ୍ତି। ବିଶେଷ କରି ବରପଦା, ରଣପୁର, ଲତାର, କଳାମାଟିଆ, ପଟିଆ, ବନ୍ଧମୁଣ୍ତା, ବାଣିକିଲୋ, କେରେଣ୍ତାଟାଙ୍ଗୀ, ମୟୂରଝାଲିଆ, ଚମ୍ପାପେଡ଼ି, ବାଉଁଶଗଡ଼, ଲୋଧାଚୁଆ, ହସଂରା, ଗୋପାଳପୁର ଆଦି ଗାଁ ସମେତ ସମଗ୍ର ବ୍ଲକ୍‌ରେ ପରିବା ଚାଷୀମାନେ ମାଙ୍କଡ଼ଙ୍କ ଉପଦ୍ରବର ଶିକାର ହେଉଛନ୍ତି।

publive-imageସେହିପରି ଭାବେ ରାତିରେ ହାତୀ ପଲ ବିଲରେ ପଶି ଧାନ ଗଛ ଖାଇବା ସାଙ୍ଗକୁ ଦଳିଚକଟି ନଷ୍ଟ କରିପକାଉଛନ୍ତି। ବିଶେଷକରି ହାତୀ କରିଡର୍‌ ଅଞ୍ଚଳ ବରପଦା, କେରେଣ୍ତାଟାଙ୍ଗୀ, ରାଇପଡ଼ା, ପଟିଆ, ମୟୂରଝାଲିଆ, ମଝିଆଖଣ୍ତ, କାଣ୍ତପଡ଼ା, ଡୁବୁରିଗଡ଼ ଆଦି ଅଞ୍ଚଳରେ ହାତୀଙ୍କ ଉପଦ୍ରବରେ ଧାନ ଚାଷୀ ହତାଶ ହୋଇପଡ଼ିଥିବା ଅଭିଯୋଗ ହେଉଛି। ହାତୀ ଉପଦ୍ରବରେ ଚଳିତ ବର୍ଷ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଛି ବୋଲି ବରପଦା ଅଞ୍ଚଳର ବଡ଼ ପରିବା ଚାଷୀ ବିପିନ ବିହାରୀ ପୃଷ୍ଟି ଅତି ଦୁଃଖର ସହ କହିଛନ୍ତି। ସେହିପରି ଧାର୍‌, କରଜ କରି ଫସଲ କରିଥିବା ପନିପରିବା ଓ ଧାନ ଚାଷୀମାନଙ୍କ କଷ୍ଟ କହିଲେ ନସରେ। ଗୋଟିଏ ପଟେ କୋଭିଡ୍-୧୯ର ମାଡ଼ରେ ପ୍ରବାସୀମାନେ ନିଜ ନିଜ କର୍ମ କ୍ଷେତ୍ର ଛାଡ଼ି ଏବେ ଗାଁ’ମୁହାଁ ହୋଇଥିବା ବେଳେ ପାରମ୍ପରିକ କୃଷି ଉପରେ ମନୋନିବେଶ କରିଥିଲେ। ହେଲେ ବନ୍ୟଜନ୍ତୁଙ୍କ ଉପଦ୍ରବ ଓ ବ‌ର୍ଷା ଅଭାବରୁ ଫସଲ ନଷ୍ଟ ହେବା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ଏମାନଙ୍କ ପ୍ରାଦୁର୍ଭାବରେ ଫସଲର କ୍ଷୟକ୍ଷତି ହେବା ସାଙ୍ଗକୁ ଅତିଷ୍ଠ ହୋଇପଡ଼ିଥିବା ଜଣାଯାଇଛି। ଏ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅପରପକ୍ଷେ, କାଠ ମାଫିଆମାନେ ଜଙ୍ଗଲ ଲୁଟି ପଦା କରି ପକାଇଥିବା ଯୋଗୁ ଏହି ଜଙ୍ଗଲ ଜନ୍ତୁମାନେ ଏବେ ଗ୍ରାମାଞ୍ଚଳମୁହାଁ ହେଉଥିବା ଦେଖିବାକୁ ମିଳିଛି। ସେହିପରି କୃଷି ବିଭାଗ ତରଫରୁ ପନିପରିବା ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ବୀମା ବ୍ୟବସ୍ଥା କିମ୍ବା କୃଷି ସହାୟତା ନଥିବାରୁ ନାନାଦି ସମସ୍ୟାରେ ଯୁଝୁଥିବା ଅଭିଯୋଗ ହେଉଛି। ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ପ୍ରଶାସନ ନିକଟରେ ଦାବି ହେଉଛି। ତେବେ ହାତୀ ଉପଦ୍ରୁତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ଉପଯୁକ୍ତ ସହାୟତା ଦିଆଯାଉଛି ବୋଲି ସ୍ଥାନୀୟ ରେଞ୍ଜର୍‌ ଶରତ କୁମାର ଶତପଥୀ କହିଛନ୍ତି।