ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଫଳାଫଳ ପ୍ରକାଶିତ: ବିଜ୍ଞାନ ପାସ୍‌ ହାରରେ ନୟାଗଡ଼ ପୁଣି ରାଜ୍ୟରେ ପ୍ରଥମ

ନୟାଗଡ଼ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଫଳ ୨୦୨୨ ଆଜି ପ୍ରକାଶ ପାଇଛି। ଉଭୟ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ରାଜ୍ୟରେ ରେକର୍ଡ କରିଛନ୍ତି। ୨୦୨୧ରେ ମହାମାରୀ କରୋନା ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶ ପାଇଥିବା ବେଳେ, ଚଳିତ ବର୍ଷ ସ୍ବାଭାବିକ ଭା‌ବେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ବିଜ୍ଞାନରେ ୯୯.୧୧ ପ୍ରତିଶତ ପାସ୍‌ ହାର ରହିଛି, ଯାହାକି ରାଜ୍ୟରେ ସର୍ବାଧିକ।

ବିଜ୍ଞାନରେ ୯୯.୧୧, ବାଣିଜ୍ୟରେ ୯୭.୫୪ ପାସ୍‌ ହାର
ବାଣିଜ୍ୟରେ ରାଜ୍ୟରେ ଦ୍ବିତୀୟ ସର୍ବାଧିକ ପାସ୍‌ ହାର

୨୦୧୮ ଓ ୨୦୨୦ରେ ମଧ୍ୟ ନୟାଗଡ଼ ସାରା ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ସେହିଭଳି ବାଣିଜ୍ୟରେ ୯୭.୫୪ ପ୍ରତିଶତ ପାସ୍‌ ହାର ରହିଛି। ବୌଦ୍ଧ ଜିଲ୍ଲାରେ ବାଣିଜ୍ୟରେ ଶତ ପ୍ରତିଶତ ପାସ୍‌ ହାର ହୋଇଥିବା ବେଳେ, ନୟାଗଡ଼ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ୨୦୨୦ରେ ବାଣିଜ୍ୟ ପରୀକ୍ଷା ଫଳାଫଳ‌ରେ ନୟାଗଡ଼ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟ ଟପର୍‌ ମଧ୍ୟ ନୟାଗଡ଼ ଜିଲ୍ଲାର ଛାତ୍ର ହୋଇଥିଲେ।

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ ଜିଲ୍ଲାରୁ ୨୨୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ, ୨୨୫୫ ଜଣ ପରୀକ୍ଷା ଦେଇଥିଲେ। ୧୮୫୬ ଜଣ ପ୍ରଥମ ଡିଭିଜନ୍‌ରେ ପାସ୍‌ କରିଥିବା ବେଳେ, ୩୨୩ ଜଣ ଦ୍ବିତୀୟ ଓ ୫୧ ଜଣ ତୃତୀୟ ଡିଭିଜନ୍‌ରେ ପାସ୍‌ କରିଛନ୍ତି। ୫ ଜଣ କମ୍ପାର୍ଟମେଣ୍ଟାଲ‌ରେ ପାସ୍‌ କରିଥିବା ବେଳେ ୨ ଜଣ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇଥିଲେ, ସମୁଦାୟ ୨୨୩୫ ଜଣ ପାସ୍‌ କରିଛନ୍ତି। ସେହିଭଳି ବାଣିଜ୍ୟରେ ୨୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଥିବା ବେଳେ ସମସ୍ତେ ପରୀକ୍ଷା ଦେଇଥି‌ଲେ। ସେମାନଙ୍କ ମଧ୍ୟରୁ ୧୫୫ ଜଣ ପ୍ରଥମ ଡିଭିଜନ୍‌, ୩୨ ଜଣ ଦ୍ବିତୀୟ ଓ ୧୨ ଜଣ ତୃତୀୟ ଡିଭିଜନ୍‌ରେ ପାସ୍‌ କରିଛନ୍ତି। ସମୁଦାୟ ୧୯୯ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଗତ କିଛି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି।

ଭବିଷ୍ୟତରେ ରିସର୍ଚ୍ଚ କ୍ଷେତ୍ରରେ ଯିବି
ଦୈନିକ ୯ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। ଆଶାନୁଯାୟୀ ମାର୍କ (୫୬୫)ମିଳିଛି। ଭବିଷ୍ୟତରେ ରିସର୍ଚ୍ଚ କ୍ଷେତ୍ରରେ କ୍ୟାରିୟର କରିବା ମୋର ଲକ୍ଷ୍ୟ ରହିଛି। ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ ଜିଲ୍ଲାରେ ଟପର ହୋଇଥିବା ଇନ୍‌ସ୍ପାୟାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସ୍ମୃତିରେଖା ଆଚାର୍ଯ୍ୟ ଏହା କହିଛନ୍ତି। ସ୍ମୃତିରେଖାଙ୍କର ଘର ଇଟାମାଟି ହୋଇଥିବା ବେଳେ, ତାଙ୍କ ବାପା ଗିରିଜା ପ୍ରସନ୍ନ ଆଚାର୍ଯ୍ୟ ଜଣେ ସ୍କୁଲ ଶିକ୍ଷକ ଓ ମା’ ଅନ୍ନପୂର୍ଣ୍ଣା ଗୃହିଣୀ ଭାବେ କାମ କରନ୍ତି। ସଫଳତାର ଶ୍ରେୟ ବାପା, ମା’ଙ୍କ ସମେତ ବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଦେଇଛନ୍ତି।
ସ୍ମୃତିରେଖା ଆଚାର୍ଯ୍ୟ, ଯୁକ୍ତ ଦୁଇ ବିଜ୍ଞାନ, ନୟାଗଡ଼ ଜିଲ୍ଲା ଟପର

ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ହେବି
ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି। ଆଶାନୁରୂପ ମାର୍କ (୫୬୧) ମିଳିଛି। ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଥିଲା ବେଳେ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ। ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ହେବି। ବାପା ଉମାଚରଣ ବେହେରା ଜଣେ ଏଲ୍‌ଆଇସି ଏଜେଣ୍ଟ୍‌ ଭାବ‌େ କାମ କରୁଥିବା ବେ‌ଳେ, ମା’ ଗୃହିଣୀ। ସଫଳତାର ଶ୍ରେୟ ନିଜ ପରିବାର ସମେତ ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଭଗବାନଙ୍କୁ ଦେଇଛନ୍ତି।
ମନୋରଞ୍ଜନ ବେହେରା, ଯୁକ୍ତ ଦୁଇ ବାଣିଜ୍ୟ, ନୟାଗଡ଼ ଜିଲ୍ଲା ଟପର୍‌

 

ସମ୍ବନ୍ଧିତ ଖବର