ନୟାଗଡ଼: କଟକ ଶିଶୁଭବନରେ ଯୋଡ଼ା-ଶରୀର ଶିଶୁଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚଳିତ ମାସ ୧ ତାରିଖ ଦିନ ରାତି ପ୍ରାୟ ୮ଟାରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚିରିଡ଼ା ମାନପୁର ପଞ୍ଚାୟତ ଖଳିପାଟଣା ଗାଁର କିଶୋର କୁମାର ଦତ୍ତଙ୍କ ସ୍ତ୍ରୀ ସୁମିତ୍ରା ଜନ୍ମ ଦେଇଥିବା ଯୋଡ଼ା ଶରୀର ଶିଶୁଙ୍କର ଗତକାଲି ରାତିରେ କଟକ ଶିଶୁ ଭବନରେ ମୃତ୍ୟୁ ଘଟିଛି। ପରେ ଏହି ଯମଜ ସନ୍ତାନଙ୍କୁ ଗାଁକୁ ଅଣାଯାଇ ପୋତି ଦିଆଯାଇଥିବା ମୃତ ଶିଶୁଙ୍କ ବାପା କିଶୋର ଦତ୍ତ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧ ତାରିଖରେ ଏହି ଯୋଡ଼ା ଶରୀର ଶିଶୁ ଜନ୍ମ ହେବା ପରେ ସେମାନଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ଦୁଇଛୁଆଙ୍କ ଛାତି ବେକ ପାଖରୁ ଅଣ୍ଟା ପର୍ଯ୍ୟନ୍ତ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ପରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆଙ୍କ ପାଇଁ ରାଜ୍ୟ ସରକାର ଯେପରି ୧ କୋଟି ଟଙ୍କା ଅନୁଦାନ ଦେଇ ଏମ୍‌ସରେ ଚିକିତ୍ସା କରିଛନ୍ତି, ଠିକ୍‌ ସେହିପରି ନୟାଗଡ଼ର ଯୋଡ଼ାଶରୀର ଶିଶୁଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ଚିକତ୍ସା ଖର୍ଚ୍ଚ ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶିଶୁଭବନ ଯାଇ ଯୋଡ଼ାଶରୀର ଶିଶୁଙ୍କୁ ଦେଖିବା ପରେ କହିଥିଲେ। ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହି ଶିଶୁଦ୍ୱୟଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର