ଭାପୁର : ଏମିତି ହୋଇଛି ସୀମାନ୍ତ ଜିଲ୍ଲା ସଂଯୋଗ ରାସ୍ତା ସିଲ୍! ଦିନରେ ପୁଲିସ ମାଳମାଳ, ଭୋର୍‌ ବେଳେ ଘଳିଆ

ଭାପୁର : ବିଶ୍ବ ମହାମାରୀ କରୋନା ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ଡାଉନ୍ ବ୍ୟବସ୍ଥା ଗ୍ରହଣ କରିବା ସହିତ ସୀମାନ୍ତ ଜିଲ୍ଲା ସଂଯୋଗ ରାସ୍ତାଗୁଡ଼ିକୁ ମଧ୍ୟ ସିଲ୍ କରିଦିଆଯାଇଛି। ଏହିସବୁ ରାସ୍ତାରେ ପୁଲିସ ପହରା ଚାଲିଛି। ମାତ୍ର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଦେଇ ଯାଇଥିବା ୪୮ ନମ୍ବର ରାଜ୍ୟ ରାଜପଥର ନୟାଗଡ଼ ଜିଲ୍ଲା ସଂଯୋଗ ଫତେଗଡ଼ ପଞ୍ଚାୟତର କାଳିଗିରି ବ୍ରିଜ୍ ନିକଟରେ ଫତେଗଡ଼ ଥାନା ପକ୍ଷରୁ ଦିନତମାମ୍ ମାଳ ମାଳ ପୁଲିସ ପଇଁତରା ମାରି ଚାଲିଥିବା ବେଳେ, ଭୋର୍‌ ସମୟରେ ଘଳିଆ ପଡ଼ିଥିବା ଦେଖିବାକୁ ମିଳିଛି। ମଧ୍ୟ ରାତ୍ରିରୁ ଭୋର୍‌ ଯାଏଁ ରାସ୍ତାରେ ପୁଲିସ୍‌ ଅଦୃଶ୍ୟ। ମନଇଚ୍ଛା ଯୁଆଡ଼େ ଗଲେ ବି କିଛି କଟକଣା ନାହିଁ। ଆମ ବ୍ୟବସ୍ଥା ସତରେ ଚମତ୍କାର। ଏହି ସମୟ ମଧ୍ୟରେ ଶହ ଶହ ସଂଖ୍ୟାରେ ଭୁବନେଶ୍ବରରୁ ନୟାଗଡ଼ ଓ ଅନ୍ୟ ଜିଲ୍ଲା ଅଞ୍ଚଳକୁ ଦୁଇ ଚକିଆ ଯାନରେ ମାଡ଼ିଚାଲିଛନ୍ତି ସ୍ବାମୀ-ସ୍ତ୍ରୀ, କୋଳରେ ପିଲାଙ୍କୁ ଧରି। ପ୍ରତି ଦୁଇଚକିଆ ଯାନରେ ସବାର୍‌ ହେଉଛନ୍ତି ଦୁଇରୁ ତିନି ଜଣ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଂଚଳ ଦେଇ ୪୮ ନମ୍ବର ରାଜ୍ୟ ରାଜପଥ ବାଘମାରୀଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ଯାଇଛି। ଉକ୍ତ ରାସ୍ତାଟି ସିଧାସଳଖ ଭୁବନେଶ୍ବରଠାରୁ ଓଡ଼ିଶାର ପଶ୍ଚିମାଞ୍ଚଳକୁ ସଂଯୋଗ କରୁଛି। ସେଠାରୁ ପୁଣି ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ରାସ୍ତା ଲମ୍ବିଛି। ବର୍ତ୍ତମାନ୍‌ ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ଭାଇରସ୍‌କୁ ନେଇ ଲକ୍‌ଡାଉନ୍ ବ୍ୟବସ୍ଥା ଗ୍ରହଣ କରିବା ସହିତ ଆନ୍ତଃ ଜିଲ୍ଲା ସଂଯୋଗ ରାସ୍ତାଗୁଡ଼ିକ ସିଲ୍ କରିବା ସହିତ ପୁଲିସର କଡ଼ା ପ୍ରହରା ବ୍ୟବସ୍ଥା ହୋଇଛି। ଏହି ରାସ୍ତାର କାଲିଗିରି ବ୍ରିଜ୍ ନିକଟରେ ଦିନତମାମ୍ ଏପିଆର୍‌ ପୁଲିସର କଡ଼ା ପ୍ରହରା ଚାଲିଥିବା ବେଳେ ମଧ୍ୟ ରାତ୍ରିରୁ ଭୋର୍‌ ସମୟ ମଧ୍ୟରେ ଶହ ଶହ ଦୁଇଚକିଆ ଯାନରେ ପରିବାର ଓ ସାଙ୍ଗସାଥୀ ଧରି ବ୍ୟକ୍ତିମାନେ ନୟାଗଡ଼ ଜିଲ୍ଲା ଅଂଚଳକୁ ଛୁଟିଚାଲିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏହି ଘଟଣା ପ୍ରତି ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ଭାପୁର ଅଞ୍ଚଳର ବୁଦ୍ଧିଜୀବୀ ମଣ୍ଡଳୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର