ନୟାଗଡ଼ରେ ଶିଶୁ କନ୍ୟାର ହତ୍ୟା ଘଟଣାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ : ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତଦନ୍ତର ସ୍ଥିତି ନେଇ ରିପୋର୍ଟ ତଲବ

କଟକ : ନୟାଗଡ ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁପୁରରେ ୫ ବର୍ଷର ଶିଶୁ ନିଖୋଜ ଓ ହତ୍ୟା ମାମଲାର ତଦନ୍ତର ସ୍ଥିତି ସଂପର୍କରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ତଦନ୍ତର ଅଗ୍ରଗତି ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ସରକାରଙ୍କୁ ନି‌ର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ପୀଡିତ ପରିବାରକୁ ଆବଶ୍ୟକ ସୁରକ୍ଷା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ନୟାଗଡ଼ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଲିସ ନିଷ୍କ୍ରିୟତା ବିରୋଧରେ ଅଶୋକ କୁମାର ସାହୁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ଜୁଲାଇ ୧୪ରେ ଶିଶୁଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା। କେହି ଦୁର୍ବୃତ୍ତ ଶିଶୁକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସ‌େନ୍ଦହ କରାଯାଇଥିଲା। ଶିଶୁର ବାପା ତଥା ଆବେଦନକାରୀ ଏହି ପ୍ରସଂଗରେ ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ନଥିଲା। ଏହି ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ତଦନ୍ତରେ ଭରସା ନଥିବା ବେଳେ ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ ବା ଏସଆଇଟି ଗଠନ କରି ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଗିରଫ କରି ଦଣ୍ଡିତ କରାଯିବା ସହିତ ତଦନ୍ତରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅପରାଧୀମାନେ ଖୋଲା ଖୋଲି ବୁଲୁଥିବା ବେଳେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ରହିଛି। ତୁରନ୍ତ ଆବେଦନକାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ନୟାଗଡ ଜିଲ୍ଲାପାଳ, ଏସପି ଓ ସଦର ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର