କରୋନା ମାନଚିତ୍ରରେ ଯୋଡ଼ି ହେଲା ନୟାଗଡ଼: ଜିଲ୍ଲାରୁ ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯

ଭୁବନେଶ୍ୱର: କାଲିଯାଏଁ ସଂପୂର୍ଣ୍ଣ ଭାବେ ଗ୍ରିନ୍ ଜୋନ୍ କୁହାଯାଉଥିବା ନୟାଗଡ଼ ଜିଲ୍ଲା ଆଜି କରୋନା ମାନଚିତ୍ରରେ ଯୋଡ଼ି ହୋଇଯାଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।ଜିଲ୍ଲାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଜଣେ ୪୦ ବର୍ଷିଅ ଯୁବକ ଏବଂ ନିକଟରେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ । ନୟାଗଡ଼ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ସ୍ଥାନ ପାଇବା ପରେ ରାଜ୍ୟରେ ୧୯ଟି ଜିଲ୍ଲା ସଂକ୍ରମିତ ହୋଇଛି। ଏଥିସହ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି ।

 

ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଯିବା ପରେ ପୂର୍ବ ଓଡ଼ିଶାର ସମସ୍ତ ଜିଲ୍ଲା କରୋନା ମାନଚିତ୍ରରେ ସାମିଲ ହୋଇପାରିଛି । କାରଣ ପୂର୍ବରୁ ଏହାର ପଡୋଶୀ ଗଂଜାମ, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଚିହ୍ନଟ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ଼ିଶାର ଦକ୍ଷିଣ ଦିଗରୁ ଉତ୍ତର ଦିଗ ଦେଖିବାକୁ ଗଲେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା ମଧ୍ୟ କରୋନା ମାନଚିତ୍ରରେ ପୂର୍ବରୁ ଯୋଡ଼ି ହୋଇସାରିଛି । ଏହି ମାନଚିତ୍ରରେ ଢ଼େଙ୍କାନାଳ ମଧ୍ୟ ଯୋଡ଼ି ହୋଇ ସାରିଛି ।

123RF.com

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୬ ହଜାର ୩୨୨ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୯ଟି ଜିଲ୍ଲାରୁ ମୋଟ ୨୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୧୯ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର