ନୟାଗଡ଼: ଗ୍ରୀଷ୍ମ ଆସିଲେ ପାନୀୟ ଜଳ ପାଇଁ ନୟାଗଡ଼ ଜିଲ୍ଲାବାସୀଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ଏମିତିକି ଚୁଆ ଓ ନାଳ ପାଣି ପାଇଁ ବି ଲୋକମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ରାତି ପାହିଲେ ମୁଣ୍ଡ ଓ କାଖରେ ଗରା ଧରି ମହିଳାମାନେ ପାଣି ପାଇଁ ବାହାରକୁ ଯାଉଛନ୍ତି। ଜିଲ୍ଲାର ୮ଟି ଯାକ ବ୍ଲକ୍‌ରେ ଏବେ ଏହି ଅବସ୍ଥା। ନୂଆଗାଁ ବ୍ଲକ୍‌ର ଯଦୁପଲ୍ଲୀ ଗାଁ ହେଉ ଅବା ଓଡ଼ଗାଁ ବ୍ଲକ୍‌ ବାଣ୍ଠପୁର ପଞ୍ଚାୟତର ଏକାଧିକ ଗାଁ କିମ୍ବା ଭାପୁର ବ୍ଲକ୍‌ର ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, ପଦ୍ମାବତୀ ଓ କରବର ପଞ୍ଚାୟ‌ତ; ସବୁଠି ପାନୀୟ ଜଳର ଉତ୍କଟ ଅଭାବ। ଏପଟେ ୨୦୨୩ ଡିସେମ୍ବର ସୁଦ୍ଧା ‌ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ଶେଷ କରାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ସୁଦ୍ଧା ତାହା ଶେଷ ହୋଇ ପାରିନାହିଁ। ଚଳିତ ବର୍ଷ ମଧ୍ୟ ଏହା ଲୋକମାନଙ୍କ ଅଭାବ ପୂରଣ କରିପାରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ନିର୍ଦ୍ଧାରିତ ସମୟରେ କାମ ସାରୁନଥିବାରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା ଠିକା ସଂସ୍ଥାକୁ ଦୁଇ ଦୁଇ ଥର ଜରିମାନା ମଧ୍ୟ ଦେବାକୁ ପଡ଼ିଲାଣି। ଜିଲ୍ଲାପାଳ ଏ ଦିଗରେ ବାରମ୍ବାର ବୈଠକ କରି ପ୍ରକଳ୍ପର ସମୀକ୍ଷା କରୁଛନ୍ତି। ତଥାପି କିଛି ସୁଫଳ ମିଳୁନାହିଁ। 

Advertisment

ଗ୍ରୀଷ୍ମ ଦିନେ ନାଳ ଓ ଚୁଆ ପାଣି ଭରସା
କାର୍ଯ୍ୟକ୍ଷମ ହୋଇପାରୁନି ବୃହତ୍‌ ପାନୀୟଜଳ ପ୍ରକଳ୍ପ

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଜିଲ୍ଲା ପାନୀୟ ଜଳ ଓ ଜନସ୍ବାସ୍ଥ୍ୟ ବିଭାଗ (ଆର୍‌ଡବ୍ଲୁଏସ୍‌ଏସ୍) ସ୍ପଷ୍ଟ ତଥ୍ୟ ପ୍ରଦାନ କରୁନାହିଁ। ଫଳରେ ଏହି ପ୍ରକଳ୍ପ କେବେ ଶେଷ ହେବ ତାହା ଜଣାପଡ଼ୁନାହିଁ। ନୟାଗଡ଼ ଜିଲ୍ଲା ସର୍ବଦା ପିଇବା ପାଣି ସମସ୍ୟା ସହ ଧନ୍ଦି ହେଉଛି। ସେଥିପାଇଁ ଏହି ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିବା ସହ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ଏହା କାର୍ଯ୍ୟକାରୀ ହେଉନାହିଁ। ବର୍ତ୍ତମାନ ସୁଦ୍ଧା ପଦ୍ମାବତୀ ନିକଟରୁ ଇନ୍‌ଟେକ୍‌ ୱେଲ୍‌ (ଗଭୀର କୂଅ)କୁ କେବଳ ପାଣି ଆସି ପାରିଛି। ଏହା ପରେ ଏହି ପାଣିକୁ ବିଶୋଧନାଗାରକୁ ଛଡ଼ାଯିବ ଓ ସେଠାରୁ ଗାଁକୁ ପହଞ୍ଚାଇ ଦିଆଯିବ। ଏଣୁ ଏହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ, ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଭାପୁର ବ୍ଲକ୍‌ର ପଦ୍ମାବତୀ ଗାଁ ମହାନଦୀ କୂ‌ଳରେ ଏହି ପ୍ରକଳ୍ପ ତିଆରି କରାଯାଉଛି। ସେଥିପାଇଁ ୫୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଠାରେ ଏକ ଗଭୀର କୂଅ ନିର୍ମାଣ କରାଯାଇଛି। ନଦୀରୁ ଏହି କୂଅକୁ ପାଣି ଆସିବା ପରେ ଏଠାରୁ ୧୬ କିମି ଦୂର ଖଣ୍ଡପଡ଼ା ବ୍ଲକ୍ ବସନ୍ତପୁର ଗାଁରେ ନିର୍ମାଣ କରାଯାଇଥିବା ପାଣି ବିଶୋଧନାଗାର ପ୍ଲାଣ୍ଟକୁ ଏହା ଆସିବ। ପରେ ଏଠାରୁ ବିଶୋଧନ କରାଯାଇ ଗାଁକୁ ଯୋଗାଇ ଦିଆଯିବ। ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ କରାଯାଇ ଗଭୀର କୂଅରୁ ବିଶୋଧନାଗାର ପ୍ଲାଣ୍ଟକୁ ପାଣି ଅଣାଯାଉଥିଲା। ଆସନ୍ତା ସପ୍ତାହରେ ସ୍ଥାୟୀ ଭାବେ ବିଦ୍ୟୁତ୍‌ ସଂଯୋଗ କରାଯାଇ ପାଣି ବିଶୋଧନ କରିବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ନୟାଗଡ଼, ଖଣ୍ଡପଡ଼ା, ଭାପୁର ଓ ନୂଆଗାଁ ବ୍ଲକ୍‌ର ୭୯ଟି ପଞ୍ଚାୟତବାସୀ ଉପକୃତ ହେବେ। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲୁଏସ୍‌ଏସ୍) କନିଷ୍ଠ ଯନ୍ତ୍ରୀ ପ୍ରକାଶ ମହାନ୍ତି କୁହନ୍ତି, ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ କରାଯିବା ପରେ ବିଶୋଧନାଗାରରୁ ପରୀକ୍ଷାମୂଳକ ଭାବେ ୭୯ଟି ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଟାଙ୍କିକୁ ପାଣି ଯୋଗାଇ ଦିଆଯିବ। ସେଠାରୁ ପ୍ରତ୍ୟେକ ଗାଁକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବ। ଯେହେତୁ ଦୀର୍ଘ ପଥ ଯାଏଁ ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ, ସେଥିପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।