ଇଟାମାଟି ପ୍ୟାକ୍ସରେ ଧାନ କିଣାରେ ଦୁର୍ନୀତି: ଅନ୍‌ଲାଇନ୍‌ରୁ ପଟ୍ଟା କାଢ଼ି କ‌ାରନାମା

ଜମି ମାଲିକ ଜାଣନ୍ତିନି, ତାଙ୍କ ନାମରେ ଧାନ ବିକ୍ରି ହୋଇଛି

ନୟାଗଡ଼: ଇଟାମାଟି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଧାନ କିଣା ତଥା ଚାଷୀ ପଞ୍ଜୀକରଣରେ ବ୍ୟାପକ ହେର୍‌ଫେର ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଏ ବାବଦରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଦିନକୁ ଦିନ ଇଟମାଟି ପ୍ୟାକ୍ସରେ ଧାନ କିଣା ଦୁର୍ନୀତିର ବହୁ ଗୁମର ଖୋଲିବାରେ ଲାଗିଛି। ଏପରିକି ଖବର ପ୍ରକାଶନ ପରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ପ୍ୟାକ୍ସ କର୍ତ୍ତୃପକ୍ଷ ନାନା ଉପାୟ ଅବଲମ୍ବନ କରୁଛନ୍ତି। ଭାଗ ଚାଷୀ, ଚାଷ କରୁ ନଥିବା ଜମି ମାଲିକଙ୍କ ଜମି ପଟ୍ଟା‌ ସଂଗ୍ରହ କରି ସେଥିରେ ବେପାରୀଙ୍କ ଧାନ ବିକ୍ରି ପା‌ଇଁ ଇଟାମାଟି ପ୍ୟାକ୍ସ କର୍ତ୍ତୃପକ୍ଷ ମସୁଧା କରିଥିବା ନେଇ ସନ୍ଦେହ ପ୍ରକାଶ ପାଉଥିଲା। ତାହା ବର୍ତ୍ତମାନ ସତ୍ୟ ପ୍ରମାଣିତ ହୋଇଛି। ପୂର୍ବରୁ ଧାନକିଣା ଦୁର୍ନୀତିରେ ଇଟାମାଟି ପ୍ୟାକ୍ସ ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସଂପୃକ୍ତି ନେଇ ଚାଷୀ ଅଭିଯୋଗ କରି ଆସୁଥିଲେ। କିନ୍ତୁ ଏହି ଦୁର୍ନୀତି ପଛରେ ସଭାପତି ପ୍ରଫୁଲ୍ଲ ଜେନାଙ୍କ ହାତ ମଧ୍ୟ ରହିଥିବା ଜଣାପଡ଼ିଛି। ପ୍ୟାକ୍ସର ଚକ୍ରବ୍ୟୁହର ଶିକାର ହୋଇଥିବା ଜମି ମାଲିକ ପ୍ରଦ୍ୟୁମ୍ନ କୁମାର ସାହୁ କହିଛନ୍ତି ଯେ ସଭାପତି ଶ୍ରୀ ପ୍ରଧାନ ଓ ସମ୍ପାଦକ ଶ୍ରୀ ଜେନା‌ ମିଳିମିଶି ଏଭଳି କରିଛନ୍ତି। ଗତକାଲି ‘ସମ୍ବାଦ’ରେ ‘ଇଟାମାଟି ପ୍ୟାକ୍ସର ଖୋଲୁଛି ଗୁମର – ଚାକୁଣ୍ଡା, ନିମ୍ବ, ନଡ଼ିଆ ଗଛ ଥିବା ଜମିରେ ଧାନ ଫଳିଛି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଇଟାମାଟି ସିନେମା ହଲ୍‌ ନିକଟରେ ଥିବା ଖାତା ନମ୍ବର ୧୦୫୪, ୪୧୧ ନମ୍ବର ପ୍ଲଟ‌୍‌ରେ ଏହ‌ି ଜମି ରହିଛି। ଉକ୍ତ ଜମିର ମାଲିକ ପ୍ରଦ୍ୟୁମ୍ନ କୁମାର ସାହୁ ୧୦୦ କ୍ବିଣ୍ଟାଲ ଧାନ ବିକ୍ରି କରିଥିବା ଫାର୍ମର ରେଜିଷ୍ଟ୍ରେସନ୍‌ ପୋର୍ଟାଲରୁ ଜଣା ଯାଇଥିଲା। ଏହି ଖବର ଆଜି ଶ୍ରୀ ସାହୁ ପଢ଼ିବା ପରେ ‘ସମ୍ବାଦ’ ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ ସେ ଆଦୌ ଧାନ ବିକ୍ରି କରି ନାହାନ୍ତି କି ଚାଷ କରୁନାହାନ୍ତି। ଇଟାମାଟି ପ୍ୟାକ୍ସ ସଭାପତି ଓ ସମ୍ପାଦକ ଭୂଲେଖା‌ ୱେବ୍‌ସାଇଟ୍‌ରୁ ତାଙ୍କ ଜମି ପଟ୍ଟା ବହାର କରି ଏଭଳି ଜାଲିଆତି କରିଥିବା ଶ୍ରୀ ସାହୁ କହିଛନ୍ତି।

ଇଟାମାଟି ପ୍ୟାକ୍ସରେ କିଭଳି ସଭାପତି, ସମ୍ପାଦକ ଓ ଦଲାଲଙ୍କ ଦ୍ବାରା ମହାଦୁର୍ନୀତି ହୋଇଛି, ଏ ଥିଲା ତା’ର ଜ୍ବଳନ୍ତ ଉଦାହରଣ। ବହୁ ‌ଚାଷୀ ପଞ୍ଜୀକରଣରେ ଏଭଳି ଚଞ୍ଚକତା କରାଯାଇ ବେପାରୀ କମ୍‌ ଦର ଦେଇ ଚାଷୀଙ୍କ ଠାରୁ କିଣିଥିବା ଧାନକୁ ପଞ୍ଜୀକୃତ ନକଲି ଚାଷୀଙ୍କ ନାମରେ ବିକ୍ରି କରି ମିଳିମିଶି ଇଟାମାଟି ପ୍ୟାକ୍ସ କର୍ତ୍ତୃପକ୍ଷ ସରକାରୀ ଅର୍ଥ ହଡ଼ପ କରିଛନ୍ତି। ଏହାକୁ ନେଇ ଇଟାମାଟିରେ ଚାଷୀ ଅସନ୍ତୋଷ କୁହୁଳିବାରେ ଲାଗିଛି। କେବଳ ଏତିକି ନୁହେଁ, ନୂଆଗାଁ ବ୍ଲକ୍‌ ସାନହାମରା ଗ୍ରାମ ମହିପୁର ରେଭିନ୍ୟୁ ସର୍କଲର ଖାତା ନମ୍ବର ୭୪/୧୬୯, ପ୍ଲଟ୍ ନମ୍ବର ୨୮୮, ୨୮୯ ଜମି ପଡ଼ିଆ ଥିବା ବେ‌ଳେ ଏହାକୁ ଧାନ ବିକ୍ରି କରାଯିବ ବୋଲି ଇଟାମାଟି ପ୍ୟାକ୍ସରେ ପଞ୍ଜୀକରଣ କରାଯାଇଛି। ସଂପୃକ୍ତ ଜମି ମାଲିକ ବ୍ରଜ କିଶୋର ସାହୁ ଜାନୁଆରି ୨୨ ଓ ୨୯ ତା‌ରିଖରେ ଧାନ ବିକ୍ରି କରିଥିବା ଫାର୍ମର ପଞ୍ଜୀକୃତ ତଥ୍ୟରୁ ପ୍ରମାଣ ମିଳିଛି। ଅଭିଯୋଗ ପରେ ଏହ‌ି ଜମିର କିସମକୁ ନଟ୍ଆଭେଲବଲ୍‌ ଦର୍ଶାଯାଇଛି। ଯାହ ପ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଜାଲିଆତିକୁ ଆହୁରି ଦୃଢ଼ କରୁଛି। ଏହି ଜମି ବାସ୍ତବରେ ପଡ଼ିଆ ପଡ଼ିଛି। କାଗଜପତ୍ରରେ ଜମିର କିସମ ନଟ୍‌ ଆଭେଲ୍‌ବୁଲ୍‌ ଦର୍ଶା ଯାଇ ଖସିବାକୁ ଉଦ୍ୟମ ହୋଇଛି। ପୁଣି ଧାନ କିଭଳି କିଣିଲେ ପ୍ୟାକ୍ସ କର୍ତ୍ତୃପକ୍ଷ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ପ୍ରକୃତ ଚାଷୀମାନେ ମତ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଗତ ୨୫ ତାରିଖରେ ଏଆର୍‌ସିଏସ୍ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିଲା। ତଦନ୍ତ ରିପୋର୍ଟ ପ୍ରାୟତଃ ଏଆର୍‌ସିଏସ୍‌ଙ୍କ ହସ୍ତଗତ ହୋଇସାରିଛି। ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଇଛି। ସରକାରୀ ଭାବେ ଇଟାମାଟି ପ୍ୟାକ୍ସର ଏହି କେ‌ଳେଙ୍କାରୀ ପଛରେ କିଏ ରହିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ଚାଷୀ ଯେ ଅନେକ ଗୁମର ଖୋଲିଛନ୍ତି, ଯାହା ଅନୁସନ୍ଧାନର ସତ୍ୟ ପ୍ରମାଣିତ ହେଉଛି। ଏହି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। ଜାଣି ଜାଣି ଧାନ ବିକ୍ରିରୁ ବଞ୍ଚିତ କରାଯାଇଥିବା ଚାଷୀ ଆଶା କରିଛନ୍ତି। ତେବେ ଏ ସଂପର୍କରେ ସମବାୟ ସମିତିର ସଭାପତି ପ୍ରଫୁଲ୍ଲ ଜେନାଙ୍କ କହିବା କଥା ହେଲା ଯେ ଚାଷୀ ପ୍ରଦ୍ୟୁମ୍ନ ସାହୁଙ୍କ ପଟ୍ଟା ସେ ଆଣି ନାହାନ୍ତି। ବରଂ ପ୍ରଦ୍ୟୁମ୍ନ ତାଙ୍କୁ ଏହା ନିଜେ ଦେଇଥିଲେ।

ସମ୍ବନ୍ଧିତ ଖବର