ନୟାଗଡ଼ ନକ୍ସଲ ହମ୍‌ଲାକୁ ୧୪ ବର୍ଷ: ଆଜି ବି ଧ୍ୱଂସର ମୂକସାକ୍ଷୀ ଗାଲେରୀ ଫାଣ୍ଡି

ଭଞ୍ଜନଗର : ଓଡ଼ିଶାରେ ନକ୍ସଲ୍ ହମ୍‌ଲା ଇତିହାସରେ ନୟାଗଡ଼ ହମ୍‌ଲା ଓ ଗସ୍‌ମାହା ଅପରେସନ୍ ରୋପ୍‌ୱେ ହେଉଛି ଏକ ଅଭୁଲା ଅଧ୍ୟାୟ। ସିରିଜ୍ ଆକ୍ରମଣ, ଲୁଟ ଓ ପୁଲିସ ସହ ଗୁଳିବିନିମୟ ଭଳି ଲୋମହର୍ଷଣକାରୀ ଘଟଣାକୁ ଆଜି ୧୪ ବର୍ଷ ପୂରିଛି। ଆଉ ଗଞ୍ଜାମ ଜିଲ୍ଲା ଗାଲେରୀ ଫାଣ୍ଡିର ଧ୍ବଂସସ୍ତୁପ ଆଜି ବି ଏହି ଘଟଣାର ମୂକସାକ୍ଷୀ ଭାବେ ସେମିତି ଛିଡ଼ା ହୋଇଛି। ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିରେ ମାଓବାଦୀମାନେ ନୟାଗଡ଼ ଥାନା, ପୁଲିସ ରିଜର୍ଭ ଅସ୍ତ୍ରାଗାର, ପିଟିଏସ୍ ଅସ୍ତ୍ରାଗାର, ନୂଆଁଗା ଓ ଦଶପଲ୍ଲା ଥାନା ଉପରେ ଅତର୍କିତ ଭାବେ ହମ୍‌ଲା କରିଥିଲେ। ସେମାନଙ୍କ ଗୁଳିରେ କିଛି ପୁଲିସ ଓ ସାଧାରଣ ଜନତା ପ୍ରାଣ ହରାଇଥିଲେ। ଏହାପରେ ସେମାନେ ଅସ୍ତ୍ରାଗାରରୁ ଲକ୍ଷାଧିକ ଗୁଳି ଓ ବନ୍ଧୁକ ଲୁଟି ନେଇଥିଲେ। ଏହି ଅପରେସନ୍‌କୁ ମାଓବାଦୀମାନେ ‘ଅପରେସନ୍ ରୋପ୍‌ୱେ’ ବୋଲି ସ୍ପଷ୍ଟ କରିଥିଲେ।

ନୟାଗଡ଼ ଜିଲ୍ଲାରୁ ସୁରକ୍ଷିତ ସ୍ଥାନ ଖୋଜିବାକୁ ମାଓବାଦୀମାନେ ଗଞ୍ଜାମ ଜିଲ୍ଲାକୁ ପଶି ଆସିଥିଲେ। ଆଉ ଭଞ୍ଜନଗର ବ୍ଲକ୍ ତଥା ତାରସିଂ ଥାନା ଅଧୀନ ଗାଲେରୀ ଫାଣ୍ଡି ଭିତରେ ପଶି ହିଂସାକାଣ୍ଡ ଘଟାଇବା ପରେ ଏହାକୁ ବିସ୍ଫୋରଣ କରି ଉଡ଼ାଇଦେଇଥିଲେ। ଫେବ୍ରୁଆରି ୧୬ ତାରିଖରେ ଗସ୍‌ମାହା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ଏସଓଜି ଆସିଷ୍ଟାଣ୍ଡ କମା‌ଣ୍ଡେଣ୍ଟ୍ ପ୍ରମୋଦ ଶତପଥୀଙ୍କ ସମେତ ୩ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏଥିରେ କିଛି ମାଓବାଦୀ ନିହତ ହୋଇଥିବା ସରକାର ଦାବି କରିଥିଲେ। ଏହାପରେ ୧୭ ତାରିଖରେ ଆରମ୍ଭ ହୋଇଥିଲା ପୁଲିସ ବାହିନୀର ବିଶାଳ ଅପରେସନ୍। ଦିଲ୍ଲୀରୁ ବାୟୁସେନାର ହେଲିକପ୍ଟର୍ ଯୋଗେ ସିଆରପିଏଫ୍ ବାହିନୀ ଓ ଆନ୍ଧ୍ରପ୍ରଦେଶର ଗ୍ରେ ହାଉଣ୍ଡ ଯବାନ ମାନେ ଅପରେସନ୍‌ରେ ସାମିଲ ହୋଇଥିଲେ। ୧୮ ତାରିଖରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଗସ୍‌ମାହା ଜଙ୍ଗଲ ଭିତରୁ ବିପୁଳ ପରିମାଣରେ ଲୁଟ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା।

ଦେଖୁ ଦେଖୁ ଏହି ଛାତିଥରା ଘଟଣାକୁ ଆଜି ୧୪ ବର୍ଷ ପୂରିଛି। ଗସ୍‌ମାହାରେ ପୋଡ଼ିଯାଇଥିବା ଗାଡ଼ି ଆଜି ବି ସେଠାରେ ପଡ଼ିରହିଛି। ବର୍ତ୍ତମାନ ସେଠାରେ ନିରବତା ରାଜୁତି କରୁଥିବା ବେଳେ ବେଳେ ଯବାନଙ୍କ ଗତିବିଧି ଦେଖିବାକୁ ମିଳୁଛି। ତଥାପି ଏଯାଏ ମନରୁ ଭୟ ଲିଭିପାରୁନି। ଯେଉଁଠିକୁ ଦିନେ ରାଜ୍ୟର ପୁଲିସ ମୁଖିଆ ଠାରୁ ଆରମ୍ଭ କରି ଶତାଧିକ ଯବାନଙ୍କ ସୁଅ ଛୁଟିଥିଲା ସେହି ଇଲାକା ଆଜି ଏକ ଅଜଣା ଭୂଖଣ୍ଡ ପାଲଟିଛି।

ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଗସ୍‌ମାହା ଭଞ୍ଜନଗର ଠାରୁ ନିକଟତର ହୋଇଥିଲେ ଏହା କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ଚାହାଳି ପଞ୍ଚାୟତର ଏକ ଦୁର୍ଗମ ଗ୍ରାମ ଭାବେ ପରିଗଣିତ ହୋଇଛି। କିନ୍ତୁ ଏଠାରେ ଆଜି ବି ସରକାରଙ୍କ ଅନେକ ବିକାଶମୂଳକ ଯୋଜନା ଏଠାରେ ଅପହଞ୍ଚ ହୋଇ ରହିଛି। ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ୍, ପାନୀୟଜଳ ଓ ସ୍ବାସ୍ଥ୍ୟ ଭଳି ‌ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ସଫଳ ହୋଇପାରି ନାହାନ୍ତି। ଫଳରେ ଏଠାରେ ବିକାଶ କେବଳ ଫାଇଲ୍ ଭିତରେ ସୀମିତ ହୋଇ ରହିଛି। ହେଲେ ଗତ ଏକ ସପ୍ତାହ ହେଲା କନ୍ଧମା‌ଳରେ ମାଓବାଦୀଙ୍କ ଗୋଟିଏ ପରେ ଗୋଟିଏ ହିଂସା ଗସ୍‌ମାହାରେ ଭୟର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର