ହାଇକୋର୍ଟରେ ନୟାଗଡ଼ ପରୀ ହତ୍ୟାକାଣ୍ଡ ଶୁଣାଣିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

କଟକ: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ଦୁଇ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ‘ପରୀ’ର ମା’ ସୌଦାମିନୀ ସାହୁ ଘଟଣାର ସିବିଆଇ ତଦନ୍ତ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜାନୁଆରି ୧୩ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ଦାୟର ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ପ୍ରସଂଗକୁ ବିଚାରକୁ ନେଇ ଖଣ୍ଡପୀଠ ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ଚାହିଁଲେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପରୀ ହତ୍ୟା ମାମଲାର ତଦନ୍ତ ସଂପର୍କିତ ଷ୍ଟାଟସ୍ ରିପୋର୍ଟକୁ ମୁଦା ଲଫାପାରେ ରଖିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣାରେ ପୁଲିସ ତଦନ୍ତ ଉପରେ ଭରସା ନାହିଁ, ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ପ୍ରଥମେ ୨୦୨୦ ନଭେମ୍ବର ୨୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାପରେ ପରୀ ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଗଲା ବର୍ଷ ଜୁଲାଇ ୧୪ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ଜୁଲାଇ ୨୩ରେ ପରୀର କେବଳ କେତେଖଣ୍ଡ ହାଡ଼, ଖପୁରି, ଦାନ୍ତ ‌ଓ କେଶ ମିଳିଥିଲା। ପରୀର ହାତ ଗୋଡ, କିଡ୍‌ନି ଓ ଆଖି ମିଳି ନଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା। ପରୀ ନିଖୋଜ ଘଟଣାକୁ ନେଇ ପରୀର ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଥାନାରେ ଜୁଲାଇ ୧୪ ତାରିଖରେ ଏତଲା ଦେଇଥିଲେ। କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଂଗରେ ପୁଲିସ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ପରୀର ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୋଧରେ ପରୀର ପରିବାର ସଦସ୍ୟ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ କିଛି ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଦର୍ଶାଯାଇଥିଲା। ଘଟଣାର ସିବିଆଇ ତଦନ୍ତ ଆଉ ପରୀର ବାପା-ମା’ଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲା ଭାରତୀୟ ବିକାଶ ପରିଷଦ ଆବେଦନରେ। ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିବା ସହିତ ତଦନ୍ତର ଅଗ୍ରଗତି ସଂପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦ ଡିସେମ୍ବର ୩ରେ ହାଇକୋର୍ଟ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଘଟଣାର ୫ ମାସ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ନ ହେବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ଏହି ପ୍ରସଂଗରେ ଫଳପ୍ରଦ ତଦନ୍ତ କରିବାକୁ ହାଇକୋର୍ଟ ଏସଆଇଟିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଡିସେମ୍ବର ୨୪ରେ ସରକାରଙ୍କ ପକ୍ଷରୁ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଦର୍ଶାଯାଇଥିଲା।

ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବିଚାରାଧୀନ ଥିବା ବେଳେ ପରୀର ମା’ ସୌଦାମିନୀ ସାହୁ ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶକ କରିବା ସହିତ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୧୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ସନ୍ତୋଷଜନକ ବୋଲି କହିବା ସହିତ ମାର୍ଚ୍ଚ ୨୫କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ୟ୍ୟ କରିଥିଲେ। ହାଇକୋର୍ଟରେ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଗୋପାଳ ପ୍ରସାଦ ଜେନା ଜନସ୍ବାର୍ଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର