ପରୀ ହତ୍ୟା ଘଟଣା ତଦନ୍ତ କରୁଥିବା ଏସ୍‌ଆଇଟିରେ କ୍ଷମତାପ୍ରାପ୍ତ ପୁଲିସ ଅଧିକାରୀ ରୁହନ୍ତୁ: ନରସିଂହ

ସମ୍ବିତ ପାତ୍ରଙ୍କୁ ପଠାଇଲେ ଓକିଲ ନୋଟିସ

ବଲାଙ୍ଗୀର : ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ହେଉ। ସରକାର ଗଠନ କରିଥିବା ଏସ୍‌ଆଇଟିରେ ଏପରି ପୁଲିସ ଅଧିକାରୀ ରୁହନ୍ତୁ ଯେଉଁମାନଙ୍କର ସେକ୍ସନ ୩୬ ସିଆର୍‌ପିସିରେ ପାୱାର ଏକ୍ସସାଇଜ କରିବାର କ୍ଷମତା ଥିବ। ଏହି ଏସ୍‌ଆଇଟି ସଂପୂର୍ଣ୍ଣ ନିରପେକ୍ଷ ଭାବରେ ମାନ୍ୟବର ହାଇକୋର୍ଟଙ୍କ ତଦାରଖରେ କାମ କରୁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ବଲାଙ୍ଗୀର ସର୍କିଟହାଉସଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତଦନ୍ତ ଓ ଅନୁସନ୍ଧାନ ପାଇଁ ଯେଉଁ ଏସ୍‌ଆଇଟି ଗଠନ ହୋଇଛି, ତାହାର ମୁଖ୍ୟ  ଯେଉଁ ପୁଲିସ ଅଧିକାରୀ ରହିବେ ତାହାର ଧାରା ୩୬ ସିଆର୍‌ପିସି ଅନୁସାରେ ତାଙ୍କର କ୍ଷମତା ରହିବା ନିହାତି ଆବଶ୍ୟକ।

ସେ କହିଥିଲେ, ଏସ୍‌ଆଇଟିର ମୁଖ୍ୟ ଆଇଜି ଅରୁଣ ବୋଥ୍ରା ଯେ କି ବର୍ତ୍ତମାନ ରାଜ୍ୟ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ତାଙ୍କର ଧାରା ୩୬ ସିଆର୍‌ପିସି ଅନୁସାରେ ଯେଉଁ କ୍ଷମତା ପ୍ରୟୋଗ କରିବା କଥା, ସେ କ୍ଷମତା ନାହିଁ ବୋଲି ବିଭିନ୍ନ ସୂତ୍ରରୁ ଶୁଣାଯାଉଛି। ତେଣୁ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ମୁଖ୍ୟଙ୍କ ଅନୁସନ୍ଧାନ ହୁଏତ ଫଳପ୍ରଦ ହୋଇନପାରେ। ଆହୁରି ମଧ୍ୟ ତଦନ୍ତ ପାଇଁ ନିୟୋଜିତ ହୋଇଥିବା ଏସ୍‌ଆଇଟି ହାଇକୋର୍ଟଙ୍କ ସଂପୁର୍ଣ୍ଣ ତଦାରଖ ଓ ନିୟନ୍ତ୍ରଣରେ ରହିବା ନିହାତି ଦରକାର। ତଦନ୍ତକାରୀ ଦଳରେ ରାଜ୍ୟ ପୁଲିସ ରହୁ ବା ସିବିଆଇ ରୁହନ୍ତୁ, ସେଥିରେ ଆମର କିଛି ଆପତ୍ତି ନାହିଁ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିଥିଲେ।

ପ୍ରକାଶ ଯେ, ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ସରକାରୀ ଦଳର ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଉଠୁଛି। ମାନ୍ୟବର ହାଇକୋର୍ଟ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଭର୍ସନା କରିବାରୁ ଏହାର ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ମନରେ ସନ୍ଦେହ ଜାତ ହେବା ସ୍ୱାଭାବିକ। ତେଣୁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଆଇନତଃ ଜଣେ କ୍ଷମତାପ୍ରାପ୍ତ ପୁଲିସ ଅଧିକାରୀ ତଦନ୍ତକାରୀ ଦଳରେ ରହିବା ନିହାତି ଆବଶ୍ୟକ।

ବିଧାୟକ ଶ୍ରୀ ମିଶ୍ର ପରୀ ହତ୍ୟା ଘଟଣାରେ ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସଂବିତ ପାତ୍ର କଂଗ୍ରେସ ବିଧାୟକ ଦଳ ପ୍ରତି ଅଶାଳୀନ ମନ୍ତବ୍ୟ ପାଇଁ ଯଦି ଆସନ୍ତା ୧୫ ଦିନ ମଧ୍ୟରେ କ୍ଷମା ନମାଗନ୍ତି, ତେବେ ଆଇନଗତ ଭାବେ ପଦକ୍ଷେପ ନିଆଯିବା ନେଇ ଦେଇଥିବା ଚେତାବନୀର ୧୫ ଦିନ ପୂରି ଯାଇଥିବାରୁ ନିଜ ଓକିଲଙ୍କ ଜରିଆରେ ଶ୍ରୀ ପାତ୍ରଙ୍କୁ ଏକ ଓକିଲ ନୋଟିସ ପଠାଇଥିବାର ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସର ସଭାନେତ୍ରୀ ମିଲନୀ ସାହୁ, ଜିଲ୍ଲା ସଭାପତି ଦିଲୀପ ବେହେରା ମଞ୍ଚାସୀନ ଥିଲେ।

‘ଗଛକୁ ମୂଳରୁ କାଟିବାକୁ ଦାବି କରୁଛୁ
ପରୀ ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ଇସ୍ତଫା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଗଛର ଡାଳ କାଟିଲେ କଣ ହେବ? ଗଛଟାର ତଳୁ କଟାଯାଉ ବୋଲି ଦାବି କରୁଛୁ। ଯଦି ସତ୍‌ ସାହସ ଅଛି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରନ୍ତୁ। ପରୀ ହତ୍ୟାକାଣ୍ଡ ଘଟଣାରେ କୌଣସି ମନ୍ତ୍ରୀ ସଂପୃକ୍ତ ତାହେଲେ ଏକ୍ସନ ନେବା କାହା ଦାୟିତ୍ୱ? ରାଜ୍ୟର ଆଇନଶୃଙ୍ଖଳା କାହା ଦାୟିତ୍ୱ? ହାଇକୋର୍ଟ ଘଟଣାରେ ଭର୍ସନା କଲେଣି। କଂଗ୍ରେସ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଦାବି କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ତେବେ ବିଧାନସଭାରେ ମ୍ୟାନେଜ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ସେ କୌଣସି ଟିପ୍ପଣୀ ଦେବାକୁ ମନା କରି ଦେଇଥିଲେ। ବିଗତ ଦିନରେ ଏଆଇସିସି ପ୍ରଭାରୀ ଓଡ଼ିଶା ଗସ୍ତରେ ଆସି ସବିଶେଷ ସୂଚନା ଦେଇଥିଲେ। ଏଣୁ ସେ ଉପରେ କିଛି କହିବାର ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର