ପାରଳାଖେମୁଣ୍ଡି : ମାଓବାଦୀଙ୍କ ନୟାଗଡ଼ ହମ୍ଲା ଓ ପିଟିଏସ୍ ଅସ୍ତ୍ରାଗାର ଲୁଟ୍ ଘଟଣାକୁ ୧୧ ବର୍ଷ ପୂରିଗଲାଣି। ୨୦୦୮ ଫେବ୍ରୁଆରି ୧୫ ରାତି ନୟାଗଡ଼ ହମ୍ଲା ବେଳର ଲୁଟ୍ ଅସ୍ତ୍ରଶସ୍ତ୍ର ମାଓବାଦୀମାନେ କନ୍ଧମାଳ ଓ ଗଜପତି ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାଟିତଳେ ପୋତି ରଖିଥିଲେ। ପୂର୍ବରୁ ମାଓବାଦୀଙ୍କ ଏଭଳି ଅନେକ ଅସ୍ତ୍ର ଖଣି ଠାବ ହୋଇଥିଲା। ତେବେ ଦୀର୍ଘ ବର୍ଷ ବ୍ୟବଧାନରେ ଆଜି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଡ଼ ଜଙ୍ଗଲରୁ ପୁଲିସ ମାଟି ତଳୁ ଆଉ ଏକ ଅସ୍ତ୍ର ଖଣି ଠାବ କରିଛି। ମାଟି ତଳେ ପୋତା ଯାଇଥିବା ଅତ୍ୟାଧୁନିକ ଇନସାସ୍ ରାଇଫଲ୍, ମାଗାଜିନ୍ ଓ ବିପୁଳ ପରିମାଣର ଜୀବନ୍ତ ଗୁଳି ଉଦ୍ଧାର କରିଛି। ଜବତ ଅସ୍ତ୍ର, ଗୁଳିଗୋଳା ମଧ୍ୟରେ ଗୋଟିଏ ଇନସାସ୍ ବନ୍ଧୁକ ସମେତ ଏକେ ୪୭ ମାଗାଜିନ ଗୋଟିଏ, ଇନସାସ ରାଇଫଲ୍ରେ ବ୍ୟବହୃତ ମାଗାଜିନ ଗୋଟିଏ, ଏସଏଲ୍ଆର ବନ୍ଧୁକ ମାଗାଜିନ ୩ଟି ଓ ୮୬ ରାଉଣ୍ଡ ଜୀବନ୍ତ ଗୁଳି ରହିଛି।
ସୂଚନା ମୁତାବକ ଗତକାଲି ରାତିରେ ପୁଲିସ ଟିମ୍ ମଳାସପଦର ପଞ୍ଚାୟତ ଭାଲିଆଗଡ଼ ଇଲାକାରେ ଏରିଆ ଡୋମିନେସନ୍ ଓ ପାଟ୍ରୋଲିଂ ଚଳାଇଥିଲେ। ଏ ସମୟରେ କୌଣସି ସୂତ୍ରରୁ ଜଙ୍ଗଲର ଏକ ସ୍ଥାନରେ ଅସ୍ତ୍ରଶସ୍ତ୍ର ପୋତା ହୋଇଥିବା ନେଇ ଖବର ପାଇଥିଲେ। ଖବରର ସତ୍ୟାସତ୍ୟ ଜାଣିବା ପାଇଁ ମୋହନା ପୁଲିସ ଘଟଣାସ୍ଥଳ ଆଖପାଖ ଇଲାକାରେ ତଲାସୀ ଅଭିଯାନ ଚଳାଇଥିଲେ। ଶେଷରେ ମେଟାଲ୍ ଡିଟେକ୍ଟର ଓ ସନ୍ଧାନୀ କୁକୁର ସହାୟତାରେ ପୋତା ଯାଇଥିବା ସ୍ଥାନ ଚିହ୍ନଟ ହୋଇଥିଲା। ମାଟି ଖୋଳିବା ପରେ ତଳୁ ‘ବଟ୍ ନଂ-ପିଟିଏସ-୯୧’ ଲେଖା ଥିବା ଇନସାସ୍ ରାଇଫଲ, ଏକେ ୪୭ ମାଗାଜିନ, ଇନସାସ ରାଇଫଲ୍ ମାଗାଜିନ ଓ ଏସଏଲଆର-୩ ମାଗାଜିନ ସହିତ ୪୪ ରାଉଣ୍ଡ୍ ୫.୫୬ ଏମ୍ଏମ୍ ଗୁଳି, ୧୩ ରାଉଣ୍ଡ୍ ୭.୬୨ ଏମ୍ଏମ୍ ଏସଏଲ୍ଆର ବନ୍ଧୁକ ଗୁଳି ଓ ୨୯ ରାଉଣ୍ଡ୍ ୭.୬୨ ଏମ୍ଏମ୍ ଏକେ-୪୭ ଗୁଳି ମିଳିଥିଲା। ଜଙ୍ଗଲ ମଧ୍ୟରେ ମାଟି ତଳୁ ଏ ସବୁ ଅସ୍ତ୍ରଶସ୍ତ୍ର ମିଳିବା ପରେ ପୁଲିସ ବାହିନୀ ଜଙ୍ଗଲର ବିଭିନ୍ନ ସ୍ଥାନରେ ତଲାସୀ ଜୋର୍ଦାର କରିଛି। ଜବତ ଇନସାସ୍ ବନ୍ଧୁକରେ ‘ବଟ୍ ନଂ-ପିଟିଏସ୍-୯୧’ ଲେଖା ଥିବାରୁ ମାଟି ତଳୁ ମିଳିଥିବା ଏ ସବୁ ବନ୍ଧୁକ, ଗୁଳିଗୋଳା ୨୦୦୮ ନୟାଗଡ଼ରେ ନକ୍ସଲ ଘଟାଇଥିବା ହମ୍ଲା ଓ ପିଟିଏସ୍ ଅସ୍ତ୍ରାଗାର ଲୁଟ୍ ବେଳର ବୋଲି ପ୍ରମାଣ ମିଳିଛି। ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।
ସେହିପରି ଅନ୍ୟଏକ ମାମଲାରେ ମୋହନା ପୁଲିସର ଅନ୍ୟ ଏକ ଟିମ୍ ପାଟ୍ରୋଲିଂ ବେଳେ ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଦୁଇଟି ଏସବିଏମଏଲ ବନ୍ଧୁକ ସହ ବିସ୍ଫୋରକ ଜବତ କରିଥିବା ଜଣାପଡ଼ିଛି। ଏହି ମାମଲାରେ ସଂପୃକ୍ତି ଥିବା ବେତିଙ୍ଗି ଗ୍ରାମର ରବି ମଲିକ ଓ ହରିରାଜ ମଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ପୁଲିସ ୬୨/୧୯ରେ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/IMG-20190405-WA0015.jpg)