ନୟାଗଡ଼ ଟାଉନ ଥାନା ଆଇଆଇସିଙ୍କ ଥାର୍ଡ ଡିଗ୍ରି
୨ ଯୁବକଙ୍କୁ ୬ ଦିନ ବେଆଇନ ଅଟକ ରଖିଥିଲେ
ଘଟଣା ପ୍ରଘଟ ହେବାରୁ ରାତିଅଧରେ ଛାଡ଼ିଦେଲେ
ସତ ଜାଣିବା ପରେ ବି ଏସ୍ପି ନିରବ
Sambad is now on WhatsApp
Join and get latest news updates delivered to you via WhatsApp
ନୟାଗଡ଼ : ନୟାଗଡ଼ ଟାଉନର ଏକ ମଦ ଦୋକାନରୁ ପାଖାପାଖି ୫ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ଟାଉନ ଥାନା ପୁଲିସ ସମସ୍ତ ସୀମା ଲଙ୍ଘିଯାଇଛି। ଚୋର ଧରି ନପାରି ନିଜର ଅପାରଗତା ଘୋଡ଼ାଇବାକୁ ଯାଇ ଥାନାରେ ବେଆଇନ ଭାବେ ଅଟକ ରଖିଥିବା ଦୁଇ ଯୁବକଙ୍କଠାରେ ୬ ଦିନ କାଳ ଥାର୍ଡ ଡିଗ୍ରି ଲାଗୁ କରିଛି। ମୁଣ୍ଡ ତଳକୁ ଗୋଡ଼ ଉପରକୁ କରି ଟାଙ୍ଗି ଅକଥନୀୟ ନିର୍ଯାତନା ଦେଇଛି। ଏହି ଦୁଇ ଯୁବକ ଉକ୍ତ ମଦ ଦୋକାନରେ କାମ କରୁଥିଲେ। ଜୋର୍ଜବରଦସ୍ତ ସେମାନଙ୍କ ମୁହଁରୁ ଚୋରି କରିଥିବା କଥା ସ୍ବୀକାର କରିବାକୁ ବାଧ୍ୟ କରିଛି। ଘଟଣା ପ୍ରଘଟ ହେବାରୁ ଆଇଆଇସି ଜୟଦୀପ ମହାନ୍ତି ବାଧ୍ୟ ହୋଇ ଏମାନଙ୍କୁ ଗତକାଲି (ଶନିବାର) ରାତିଅଧରେ ଘରକୁ ଛାଡ଼ି ଦେଇଛନ୍ତି। ଏଭଳି ପୁଲିସ ନିର୍ଯାତନାର ଶିକାର ହୋଇଥିବା ଗଣେଶ୍ବର ପ୍ରଧାନ( ପ୍ରକାଶ) ଥାନାରୁ ମୁକୁଳିବା ପରେ ଏଥିନେଇ ମୁହଁ ଖୋଲିଛନ୍ତି।
ଟାଉନ ଥାନା ଆଇଆଇସି ଶ୍ରୀ ମହାନ୍ତି ବେଆଇନ ଭାବେ ଗତ ୨୨ ତାରିଖରୁ ପ୍ରକାଶ ଓ ଅନ୍ୟ ଜଣେ ଯୁବକ ଭାସ୍କରକୁ ଅଟକ ରଖି ଏଭଳି ନିର୍ଯାତନା ଦେଉଥିଲେ। ଗତକାଲି ଆଇଆଇସିଙ୍କର ଏଭଳି ଅମାନବୀୟ ଘଟଣା ପ୍ରଘଟ ହେବା ପରେ ଗଣମାଧ୍ୟମ ପ୍ରତିନିଧି ଏଥିନେଇ ଗତକାଲି(ଶନିବାର) ରାତିରେ ଏସ୍ପି ପ୍ରତ୍ୟୁଷ ଦିୱାକରଙ୍କୁ ଅବଗତ କରାଇଥିଲେ। ଫଳରେ ଟାଉନ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଶନିବାର ବିଳମ୍ବିତ ରାତି (ପ୍ରାୟ ୧୧ଟା ୩୦ ପରେ) ସେମାନଙ୍କ ଅଭିଭାବକଙ୍କୁ ଡକାଇ ଘରକୁ ପଠାଇବାକୁ ଏକରକମ ବାଧ୍ୟ ହୋଇଥିଲା। ଏପରିକି ୨୨ ତାରିଖ ନୁହେଁ, ପୁଲିସ ସେମାନଙ୍କୁ ୨୭ ତାରିଖରେ ଥାନାକୁ ଆଣିଥିଲା, ସେଇଦିନ ହିଁ ଛାଡ଼ିଥିବା ଧମକ ଦେଇ ଦସ୍ତଖତ ନେଇଥିବା ପ୍ରକାଶ କହିଛନ୍ତି। ପ୍ରକାଶ କହିଛନ୍ତି ଯେ, ଆଇଆଇସି ଜଣେ ଏସ୍ଆଇଙ୍କୁ ଲଗାଇ ଗୋରୁଗାଈ ଭଳି ଏମାନଙ୍କୁ ପିଟିବା ସହିତ, ମା’ଭଉଣୀକୁ ଆକ୍ଷେପ କରି ଗାଳି କରିଥିବା, ଡକାୟତି ଗ୍ୟାଙ୍ଗ୍ରେ ରହି କାମ କରୁଥିବା ଭଳି ମାମଲାରେ ଫସାଇବାକୁ ଧମକ ଦେଇ ଛାଡ଼ିଛନ୍ତି। ଚୋରି ହୋଇଥିବା ଟଙ୍କା ବିଷୟରେ ସେମାନେ ଜାଣିନଥିବା କହିଥିଲେ ମଧ୍ୟ ଆଇଆଇସି ଶ୍ରୀ ମହାନ୍ତି ଏକପ୍ରକାର ନଛୋଡ଼ବନ୍ଧା ଥିଲେ ବୋଲି ସେ କହିଛନ୍ତି।
ଟାଉନ ଥାନା ଆଇଆଇସିଙ୍କ ଏଭଳି ବ୍ରିଟିଶରାଜ ସମ୍ପର୍କରେ ଗତକାଲି ପ୍ରଚାର ହେବା ସହ ପ୍ରକାଶଙ୍କ ସମ୍ପର୍କୀୟ ‘ସମ୍ବାଦ’ ପ୍ରତିନିଧିଙ୍କୁ ଏ ବିଷୟରେ ଜଣାଇଥିଲେ। ପୁଲିସ ଅତ୍ୟାଚାରର ଶିକାର ହୋଇଥିବା ଯୁବକଦ୍ବୟ ଗରିବ ଶ୍ରେଣୀର ହୋଇଥିବାରୁ ପୁଲିସର ଏଭଳି ଅନ୍ୟାୟ ବିରୋଧରେ ଲଢ଼ିବାକୁ ସାହସ ନଥିବା ସେମାନେ କହିଥିଲେ। । ଏଥିନେଇ ପୁଲିସ ମହାନିର୍ଦ୍ଦେଶକ ଓ ମାନବାଧିକାର କମିସନ୍ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି।