ନୟାଗଡ଼ ଚିନିକଳ ଚାଲୁ କରିବା ପାଇଁ ବସିଲା କ୍ରିୟାନୁଷ୍ଠାନ କମିଟି ବୈଠକ

ନୟାଗଡ଼ : ବନ୍ଦ ରହିଥିବା ନୟାଗଡ଼ ଚିନିକଳ ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଏ ନେଇ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସକ, ଜନ ପ୍ରତିନିଧି, ଚିନିକଳ କର୍ମଚାରୀ ଓ କ୍ରିୟାନୁଷ୍ଠାନ କମିଟି ଏକାଠି ହୋଇଥି‌ଲେ। ଜିଲ୍ଲାପାଳ ଡା. ଏନ୍.ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଚିନିକଳ ସୁରକ୍ଷା ଅଭିଯାନର ଆବାହକ ବିଶ୍ବନାଥ ମହାପାତ୍ର, ସଦସ୍ୟ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଯୋଗେନ୍ଦ୍ର କୁମାର ଖୁଣ୍ଟିଆ, ଜନାର୍ଦ୍ଦନ ଦଳ ବେହେରା, ଚକ୍ରଧର ଜେନା, ଉମେଶ ଚନ୍ଦ୍ର ମହାପାତ୍ର, ଗୋଲୋକ ବିହାରୀ ମୁଦୁଲି, ଜଗନ୍ନାଥ ପଣ୍ଡାଙ୍କ ସମେତ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ। ସମସ୍ତ ପ୍ରତିବନ୍ଧକକୁ ହଟାଇ ନୟାଗଡ଼ ଚିନିକଳ ଚାଲୁ କରିବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ବୈଠକ‌ରେ ନିଷ୍ପତ୍ତି ହୋଇଥିଲା।

ଚିନିକଳ ପରିଚାଳନା ଦାୟିତ୍ବ ନେଇ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର କିଭଳି ନୟାଗଡ଼ର ଆଖୁ ଚାଷୀଙ୍କୁ ଠକିଛନ୍ତି, ବେଆଇନ ଭାବେ କାରଖାନା ବନ୍ଦ କରି ଆଇନଗତ ଜାଲରେ ଚିନିକଳକୁ ଫସାଇଛନ୍ତି ସେ ସମ୍ପର୍କରେ ଚିନିକଳ ସୁରକ୍ଷା ଅଭିଯାନର କର୍ମକର୍ତ୍ତା ବର୍ଣ୍ଣନା କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବୈଠକରେ କୃଷିମନ୍ତ୍ରୀ ତଥା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଡ.ସାହୁ ବର୍ତ୍ତମାନ ଚିନିକଳର ସ୍ଥିତାବସ୍ଥା, ଆଇନଗତ ମାମଲା ଆଦି ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଡ଼ କରିବାକୁ ଚିନିକଳର ପରିଚାଳନା ନିର୍ଦେଶକ ତଥା ସମବାୟ ବିଭାଗ ଅଧିକାରୀ ସବିର କୁମାର ପଣ୍ଡାଙ୍କୁ ନିର୍ଦେଶ ଦେଇଥିଲେ। ସାତ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ସହ ଚିନିକଳ ଚାଲିବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଏହିଭଳି ବୈଠକ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର