୩ ବର୍ଷ ହେଲା ନୟାଗଡ଼ ଚିନିକଳରେ ତାଲା

 

ନୟାଗଡ଼ : ଯେଉଁଠି ଦିନେ ଚାଷୀଙ୍କ ଭିଡ଼ ଲାଗୁଥିଲା, ନିତି କୋଳାହଳ ଦେଖିବାକୁ ମିଳୁଥିଲା, ସେଠି ଏବେ କାଉକୋଇଲି ବି ଉଡ଼ୁନାହାଁନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଖତ ଖାଉଛି। ବିରାଟ ବିରାଟ ବହୁତଳ କୋଠା ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। କେଉଁଠି ଲଟା ମାଡ଼ିଗଲାଣି ତ କେଉଁଠି ଉଇ ହୁଙ୍କା ଉଠିଲାଣି ପୁଣି କେଉଁଠି କବାଟ, ଝରକା ଚୋରି ହୋଇଗଲାଣି। ଏପରି ଦୟନୀୟ ଅବସ୍ଥାରେ ପଡ଼ିରହିଛି ନୟାଗଡ଼ର ଏକମାତ୍ର ଶିଳ୍ପ ପାଣିପୋଇଲା ଚିନି କଳ। ଏକ ନାଟକୀୟ ଢଙ୍ଗରେ ୩ ବର୍ଷ ହେଲା ଏହି ଚିନି କଳରେ ତାଲା ଝୁଲୁଥିବାବେଳେ ଏହା ଉପରେ ନିର୍ଭର କରୁଥିବା ୫ହଜାର ଚାଷୀ, ଶତାଧିକ କର୍ମଚାରୀ ସେମାନଙ୍କ ରୋଜଗାର ହରାଇଛନ୍ତି। ସେପଟେ ଆଖୁ ଚାଷ ପାଇଁ ନୟାଗଡ଼ ଜିଲ୍ଲାର ଯେଉଁ ନାଁ ରହିଥିଲା ତାହା ଏବେ ଲିଭିଯିବାକୁ ବସିଲାଣି। ବଜାର ଅଭାବରୁ ଚାଷୀମାନେ ଆଉ ଆଖୁ ଚାଷ ପାଇଁ ସେତେଟା ମନ ବଳାଉନାହାଁନ୍ତି। ମାତ୍ର ସ୍ଥାନୀୟ ନେତାଙ୍କ ଏ ନେଇ ଚିନ୍ତା ଥିବା ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନି।

ଜିଲ୍ଲାର ଏହି ପ୍ରଥମ ଓ ଏକମାତ୍ର ଶିଳ୍ପକୁ ୧୯୮୭ ମସିହା ଡିସେମ୍ବର ୨୨ରେ ନୟାଗଡ଼ ବ୍ଲକ୍‌ ପାଣିପୋଇଲାଠାରେ ୧୪୩ ଏକର ପରିମିତ ଜମିରେ ପ୍ରତିଷ୍ଠା କରାଯାଇଥିଲା। ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହଜାରେ ଦିନରେ ହଜାରେ ଶିଳ୍ପର ସ୍ୱପ୍ନ ଭିତରେ ନୟାଗଡ଼ ଏହି ଚିନି କଳ ଥିଲା ଅନ୍ୟତମ। ଆରମ୍ଭରୁ ସମବାୟ ବିଭାଗ ଅଧୀନରେ ଚାଲିଥିବା ଏହି ଚିନିକଳକୁ ପରବର୍ତ୍ତୀ ସମୟରେ ହାଇଦ୍ରାବାଦ୍‌ର ଏକ ସଂସ୍ଥା ହାତରେ ଟେକି ଦିଆଗଲା। ସଂସ୍ଥାର ଦେବାଳିଆ ପରିସ୍ଥିତି ପରେ ପୁନର୍ବାର ୨୦୦୪ ଜୁନ୍‌ ୨୦ରେ ଏମ୍‌/ଏସ୍‌ ଇସିପି ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ନାମକ ଅନ୍ୟ ଏକ କମ୍ପାନି ସହ ସରକାର ଚୁକ୍ତିନାମା କଲେ। ୧୦୦ କୋଟିର ସମ୍ପତ୍ତିକୁ ୫ କୋଟି ୨୨ ଲକ୍ଷ ଟଙ୍କାରେ ବିକ୍ରି କରି ଦିଆଗଲା। ସେ ସମୟରେ ସରକାର ୬୩ଟି ବଡ଼ ବଡ଼ କୋଠା କମ୍ପାନି ହାତରେ ସମର୍ପି ଦେଇଥିଲେ।

ସେହିପରି ୧୧ଟି ବଡ଼ ଗାଡ଼ି, ବିଭିନ୍ନ ପ୍ରକାରର ୯୭ଟି ଦାମୀ ମେସିନ୍‌, ଏଭାପୋରେସନ୍‌ ଆଣ୍ଡ ବଏଲିଂ ପ୍ଲାଣ୍ଟ, ୱାର୍କସପ୍‌ ପାଇଁ ଥିବା ୧୧ଟି ମେସିନ୍‌ ମଧ୍ୟ ସରକାର କମ୍ପାନି ହାତରେ ଟେକି ଦେଇଥିଲେ। ୧୪୩ ଏକରର ଜମିକୁ ଅସ୍ଥାୟୀ ଭାବେ ଏହି ସଂସ୍ଥାର ମାଲିକାନା ବି ଚାଲିଗଲା। ବ୍ୟକ୍ତିଗତ ମାଲିକାନାକୁ ଚିନିକଳ ଚାଲିଯିବା ପରେ ଅରାଜକତା ଆରମ୍ଭ ହୋଇଗଲା। ଚିନି କଳ ମାଲିକ ଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ବାକି ରଖିଲେ। ୨୮ ବର୍ଷର କଂପାନୀରେ ତାଲା ମାରି ଫେରାର ହୋଇଗଲେ। ସେପଟେ ଚିନିକଳ ଆରମ୍ଭରୁ ଆଖୁ ଚାଷୀଙ୍କଠାରୁ ସୁବିଧାରେ ଆଖୁ ଆଣିବା ପାଇଁ ନୟାଗଡ଼, ନୟାଗଡ଼ ମିଲ୍‌ ସାଇଟ୍‌, ଖଣ୍ଡପଡ଼ା, ଦଶପଲ୍ଲା, ଶରଣକୁଳ, ପିପିଲି ଓ ବନମାଳିପୁର ଖୋଲିଥିବା ଡିଭିଜନ୍‌ର ବି ଆଉ ସତ୍ତା ନାହିଁ। ଚିନି କଳ ସୁପରିଚାଳନା ପାଇଁ ନିଯୁକ୍ତି ପାଇଥିବା ୨୦୦ରୁ ଅଧିକ ଅଫିସର, ଯନ୍ତ୍ରୀ, କର୍ମଚାରୀ ରୋଜଗାର ହରାଇବା ପରେ ଦୁର୍ଦିନରେ ଦିନ କାଟୁଛନ୍ତି।

ଚାଷୀଙ୍କ କହିବା ହେଲା ହୀନ ରାଜନୈତିକ ଚକ୍ରାନ୍ତ ଆଖୁ ଚାଷୀଙ୍କ ବକେୟା ପାଉଣା ପାଇବାର ବାଟ ବନ୍ଦ କରିଦେଲା। ଚାଷୀଙ୍କ ପାଖାପାଖି ସାଢ଼େ ୩ କୋଟି ଟଙ୍କା ବାକି ରଖି କମ୍ପାନି ମାଲିକ ନିର୍ନ୍ଦ୍ୱନ୍ଦ୍ୱରେ ବୁଲୁଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚାରି ଚାରି ଜଣ ବିଧାୟକ ଶାସକ ଦଳର ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଚିନି କଳ ପ୍ରତି ଏମାନଙ୍କ ଦରଦ ଦେଖିବାକୁ ମିଳିନି। ଏହି ଏକମାତ୍ର ଶିଳ୍ପର ପୁନରୁଦ୍ଧାର ପାଇଁ ଏମାନେ କେବେ ଚିନ୍ତା କରିନାହାଁନ୍ତି କି ଚାଷୀଙ୍କ ସହ ଆଲୋଚନା କରିନାହାଁନ୍ତି। ବିଧାନସଭାରେ ବଲାଙ୍ଗୀର, ବରଗଡ଼, ଆସ୍କା ଚିନିକଳ କଥା ଉଠୁଥିବାବେଳେ ନୟାଗଡ଼ ଚିନି କଳ ବିଷୟରେ ପଦୁଟିଏ ବି ମୁହଁ ଖୋଲୁନାହାଁନ୍ତି।

ସମ୍ବନ୍ଧିତ ଖବର