ନୟାଗଡ଼ରୁ ମହିପୁର ଗଡ଼ିଲା ପାସେଞ୍ଜର ଟ୍ରେନ୍

୨୦୨୨ ସୁଦ୍ଧା ଦଶପଲ୍ଲା ଓ ୨୦୨୩ ସୁଦ୍ଧା ବଲାଙ୍ଗୀର ଛୁଇଁବ: ଧର୍ମେନ୍ଦ୍ର
ନୟାଗଡ଼ ଜିଲ୍ଲା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା: ଅରୁଣ

ନୟାଗଡ଼ : ନୟାଗଡ଼ ଟାଉନ ଷ୍ଟେସନ ତଥା ଜିଲ୍ଲାକୁ ଟ୍ରେନ୍ ଗଡ଼ିବାର ପାଖାପାଖି ‌ଅଢ଼େଇ ବର୍ଷ ପରେ ଆଜି ନୟାଗଡ଼ ଟାଉନ ଷ୍ଟେ‌ସନର ପରବର୍ତ୍ତୀ ଷ୍ଟେସନ୍‌ ମହିପୁରକୁ ପାସେଞ୍ଜର ଟ୍ରେନ୍ ଗଡ଼ିଛି। ନୟାଗଡ଼ ଟାଉନ ଏବଂ ମହିପୁର ୧୨ କିମି ବ୍ୟାପୀ ନୂଆ ରେଳ ଲାଇନର ଲୋକାର୍ପଣ ସହ ଖୋର୍ଦ୍ଧା ରୋଡ୍‌-ନୟାଗଡ଼ ଟାଉନ୍ ପାସେଞ୍ଜର ଟ୍ରେନ୍‌କୁ ମହିପୁର ପର୍ଯ୍ୟନ୍ତ ଚଳାଚଳକୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଦିନ ସକାଳ ୭ଟା ୧୫ରେ ଖୋର୍ଦ୍ଧା ରୋଡ୍‌ରୁ ବାହାରୁଥିବା ଖୋର୍ଦ୍ଧା ରୋଡ୍‌-ନୟାଗଡ଼ ଟାଉନ ‌ପାସେଞ୍ଜର୍‌ଟି ପୂର୍ବରୁ ନୟାଗଡ଼ ଟାଉନ ଷ୍ଟେସନରେ ଆସି ଅଟକୁଥିବା ‌ବେଳେ, ଏଣିକି ଏହା ନୟାଗଡ଼ ଟାଉନ୍‌ ପରେ ମହିପୁର ଯିବ। ମହିପୁରରେ ଏହ‌ା ସକାଳ ୯ଟା ୧୫ରେ ପହଞ୍ଚିବ। ସେଇଭଳି ସନ୍ଧ୍ୟା ୭ଟା ୩୦ରେ ଖୋର୍ଦ୍ଧାରୁ ଆସୁଥିବା ଟ୍ରେନ୍ ପୂର୍ବରୁ ନୟାଗଡ଼ ଟାଉନ୍ ଷ୍ଟେସନ ପର୍ଯ୍ୟନ୍ତ ଚଳଚଳ କରୁଥିବା ବେଳେ, ବର୍ତ୍ତମାନ ଏହା ନୟାଗଡ଼ ଟାଉନ ସମେତ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ।

ଏହି ଅବସରରେ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ, ନବକଳେବର ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ପ୍ରଥମ ସେକ୍ସନ ବୋଲଗଡ଼ ପର୍ଯ୍ୟନ୍ତ ଟ୍ରେନ୍ ଗଡ଼ିଥିଲା। ଦିନକୁ ଦିନ ଏହି ରେଳ ଲାଇନ୍ ନିର୍ମାଣ ଆଗେଇ ଚାଲିଛି। ନୟାଗଡ଼ ଭଳି ଗଡ଼ଜାତ ଅଞ୍ଚଳ ସ୍ବାଭାବିକ ଭାବେ ପଛରେ ଥିଲା, ଗମନାଗମନର ବ୍ୟବସ୍ଥା ନଥିଲା। ଓଡ଼ିଶାର ଏଇଭଳି ଗଡ଼ଜାତ ଅଞ୍ଚଳରେ ଏହି ରେଳସେବା ଗଣଯାତାୟାତ କ୍ଷେତ୍ରରେ ବେଶ୍ ସହାୟକ ହେବ। ଏହି ରେଳ ଲାଇନ୍ ୨୦୨୨ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା‌ ଓ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ଛୁଇଁବ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ଆଦି ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କଲେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ସହଯୋଗ କରିବି ବୋଲି ସେ କହିଥିଲେ।

କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ କହିଲେ, ମହିପୁରକୁ ଟ୍ରେନ୍ ଚଳାଚଳ କରିବା ଦ୍ବାରା ନୟାଗଡ଼ ଜିଲ୍ଲା ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା। ନୟାଗଡ଼କୁ ରେଳ ଲାଇନ୍ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା ସହିତ ରାଜ୍ୟ ସରକାରଙ୍କ ସହଯୋଗ ଓ ସହାୟତାର ଅବଦାନ ରହିଛି ବୋଲି ଡ. ସାହୁ କହିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂପୂର୍ଣ୍ଣ ହେ‌ଲେ, ଏହା ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ଭାବାତ୍ମକ ଭାବେ ଯୋଡ଼ିବ ବୋଲି ଡ. ସାହୁ ପ୍ରକାଶ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ଖୋର୍ଦ୍ଧା ରୋଡ୍‌ ଡିଭିଜନ୍ ଡିଆର୍‌ଏମ୍ ଶଶିକାନ୍ତ ସିଂହ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର