ନୟାଗଡ଼: ପ୍ରାୟ ଦେଢ ବର୍ଷ ତଳେ ନୟାଗଡ଼ ଜିଲ୍ଲା ଉପନିବନ୍ଧକ ଭାବେ ଯୋଗ ଦେଇଥିବା ଶାଶ୍ବତ କୁମାର ପଟ୍ଟନାୟକ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି। ନୟାଗଡ଼ସ୍ଥିତ ଅଫିସ୍‌, ନୟାଗଡ଼ ଦେବୋତ୍ତର କଲୋନୀସ୍ଥିତ ଭଡ଼ା ଘର ସମେତ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ତଳଗାଁ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଛି। ଶ୍ରୀ ପଟ୍ଟନାୟକଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭବୁନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ ଚଢ଼ଉ ପାଇଁ ୱାରେଣ୍ଟ୍‌ ଜାରି କରିଥିଲେ। ଦୁଇଟି ୨ ମହଲା କୋଠା ସମେତ ୬ଟି ପ୍ଲଟ୍‌, ଗୋଟିଏ ୪ ଚକିଆ, ୩ଟି ୨ ଚକିଆ ଯାନ, ଆହୁରି ଜମି କିଣିବାକୁ ଶ୍ରୀ ପଟ୍ଟନାୟକ ୬ ଲକ୍ଷ ୫୪ ହଜାର ୫୦୦ ଟଙ୍କା ଅଗ୍ରୀମ ଦେଇଥିବା ଭିଜିଲାନ୍‌ସ ସୂତ୍ରରୁ ଜଣାପଡ଼ିଛି। ଏହି ୨ କୋଠା ମଧ୍ୟରୁ ଗୋଟିଏ କେନ୍ଦ୍ରାପଡ଼ାର ତଳବାରଙ୍ଗ, ଅନ୍ୟଟି ତଳଗାଁରେ ରହିଛି।

Advertisment

ଦୁଇଟି ୨ ମହଲା କୋଠା ସମେତ ୬ଟି ପ୍ଲଟ୍‌ ଠାବ
ଆହୁରି ଜମି କିଣିବାକୁ ଅଗ୍ରୀମ ଟଙ୍କା ଦେଇଥିଲେ
କେନ୍ଦ୍ରାପଡ଼ା, ନୟାଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ଉ

କଟକ, ଜଟଣୀ, ‌‌ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୬ଟି ପ୍ଲଟ୍‌ ରହିଛି। ଏହି ୬ ପ୍ଲଟ୍‌ ମଧ୍ୟରୁ କଟକର ଭାନପୁର, ବାଆଁରା ମୌଜା, ଖୋର୍ଦ୍ଧାର ଦକ୍ଷିଣମୁଣ୍ଡାମୁହଁ, ଛଣଘର, ନାରଣଗଡ଼ ମୌଜା, କେନ୍ଦ୍ରାପଡ଼ାର ବଳରାମପଚର ମୌଜାରୁ ପ୍ଲଟ୍‌ ଚିହ୍ନଟ ହୋଇଛି। ଭିଜିଲାନ୍ସର ଟେକ୍ନିକାଲ ଟିମ୍‌ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି। ୮ ଜଣ ଡିଏସ୍‌ପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ଉ କରିଥିଲେ। ନୟାଗଡ଼ ଭିଜିଲାନ୍‌ସ ଟିମ୍‌ ଚଢ଼ଉରେ ସହଯୋଗ କରିଥିଲା। ଉକ୍ତ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ରେ ଜମି କିଣାବିକା ବେଳେ ପଞ୍ଜୀକରଣ ନେଇ ବ୍ୟାପକମାତ୍ରାରେ ଲାଞ୍ଚ କାରବାର ହେଉଥିବା, ବିନା ଟଙ୍କା‌ରେ ବାବୁମାନେ କୌଣସି କଥା ଶୁଣୁନଥିବା, ତଳିଆ କର୍ମଚାରୀଙ୍କ ଜରିଆରେ ଜନସାଧାରଣଙ୍କଠାରୁ ଅର୍ଥ ଲୁଟ୍‌ ଚାଲିଥିଲା ବୋଲି ବିଭିନ୍ନ ସୂତ୍ରରୁ ଖବର ମିଳିଛି।