ଭୁବନେଶ୍ବର: ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ନୂଆପଲ୍ଲୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନୂଆପଲ୍ଲୀ ଗଡ଼ସାହିସ୍ଥିତ ବିଜେଡି ପାର୍ଟି ଅଫିସ୍‌ ସମ୍ମୁଖରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ଗୋଟିଏ ବାଇକ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣା ପରେ ନୂଆପଲ୍ଲୀରେ ଉତ୍ତେଜନା ପ୍ରକାଶ ପାଇଛି। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଛାନ୍‌ଭିନ ଚଳାଇଛି। ପ୍ରତିପକ୍ଷ ଦଳର ପ୍ରରୋଚନାରେ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛି ବୋଲି ବିଜେଡି କର୍ମୀମାନେ ଅଭିଯୋଗ କରିଛନ୍ତି। ଗଡ଼ସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ପ୍ରାୟ ୨୦ରୁ ଅଧିକ କର୍ମୀ ବସି ବୈଠକ କରୁଥିଲେ। ଭୋଜିଭାତ ମଧ୍ୟ ଚାଲିଥିଲା। ରାତି ପ୍ରାୟ ୧୨ଟା ବେଳେ ହଠାତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସମଗ୍ର ଅଞ୍ଚଳ ଥରିଉଠିଥିଲା।

Advertisment

କାର୍ଯ୍ୟାଳୟ ଭିତରେ ଥିବା କିଛି ବିଜେଡି କର୍ମୀ ପ୍ରାଣବିକଳରେ ଦୌଡ଼ିବାକୁ ଲାଗିଥିଲେ। କିଛି କର୍ମୀ ସାହସ କରି ବାହାରକୁ ଆସିବା ପରେ ବାଇକ୍‌ଟିଏ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ବିଜେଡିର ଜଣେ କର୍ମୀଙ୍କ ସୂଚନାନୁସାରେ ଏକ ବାଇକ୍‌ରେ ଥିବା ଦୁଇ ଜଣ ଘଟଣାସ୍ଥଳରୁ ପଳାଉଥିବା ସେ ଦେଖିଛନ୍ତି। ସେହି ୨ ଦୁର୍ବୃତ୍ତ ହିଁ ବୋମା ଫିଙ୍ଗିଥିବା ସେ କହିଛନ୍ତି। ଦୁର୍ବୃତ୍ତଦ୍ବୟ କାର୍ଯ୍ୟାଳୟ ଉପରକୁ ବୋମା ନ ଫିଙ୍ଗି କେବଳ ବାଇକ୍‌ ଉପରକୁ ମାଡ଼ କରିଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ଭିତରକୁ ବୋମାମାଡ଼ ହୋଇଥିଲେ ବଡ଼ଧରଣର କ୍ଷତି ହୋଇଥାଆନ୍ତା ବୋଲି ଜଣେ କର୍ମୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨ ଦିନ ପୂର୍ବେ ନୂଆପଲ୍ଲୀରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। କିନ୍ତୁ ସେହି ବିବାଦକୁ ନେଇ ଏହି ବୋମାମାଡ଼ ହୋଇଛି କି ନାହିଁ, ତାହା ଜଣଶପଡ଼ି ନାହିଁ।