ଡାବୁଗାଁ ତହସିଲରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ ମାମଲା: ଚାକିରିରୁ ବହିଷ୍କୃତ ହେଲେ ନାଜିର

ନବରଙ୍ଗପୁର : କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ କରି ଫେରାର ଥିବା ଡାବୁଗାଁ ତହସିଲର ପୂର୍ବତନ ମହିଳା ନାଜିର ଚନ୍ଦନା ମଣ୍ଡଳଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର। ଗତକାଲି ଜିଲ୍ଲାପାଳ ଶ୍ରୀ ମିଶ୍ର ନାଜିର ଚନ୍ଦନା ମଣ୍ଡଳକୁ ଚାକିରିରୁ ବହିଷ୍କୃତ କରିବା ସହ ଏସଂପର୍କିତ ଏକ ଚିଠା ପ୍ରକାଶ କରିଛନ୍ତି। ସେ ଆତ୍ମସାତ୍ କରିଥିବା ଅର୍ଥର ପରିମାଣ ୧ କୋଟି ୬୨ ଲକ୍ଷ ୫୯ ହଜାରରେ ପହଞ୍ଚିଛି। ଅପରପକ୍ଷରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତହସିଲ କାର୍ଯ୍ୟାଳୟରେ ପ୍ରତିବର୍ଷ ଅଡିଟ୍ ହେଉଥିବା ବେଳେ ଏତେ ବଡ଼ ଦୁର୍ନୀତି ପଦାକୁ ଆସିବା ପରେ ଏଥିରେ ଉପରିସ୍ଥ ଅଧିକାରୀ କିମ୍ବା ଅନ୍ୟକେହି ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ତେଣୁ ଏହା ଉପରେ ଅଧିକ ତଦନ୍ତ କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଜିଲ୍ଲାପାଳଙ୍କ ଚିଠି ଅନୁସାରେ ନାଜିର ଚନ୍ଦନା ମଣ୍ଡଳ ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ପ୍ରଥମେ ୨୦୦୭ ଠାରୁ ୨୦୦୯ ମସିହା, ୨୦୧୦ ଠାରୁ ୨୦୧୬ ଏବଂ ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ‌ସେ ନାଜିର ଦାୟିତ୍ବରେ ୨୦୧୧ରୁ ୨୦୧୬ ଓ ୫-୮-୨୦୨୦ ରୁ ୨୭-୫-୨୦୨୧ ପର୍ଯ୍ୟନ୍ତ ରହିଥିଲେ। ତେବେ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ କାର୍ଯ୍ୟାଳୟର କ୍ୟାସ୍ ବହିରେ ଅନିମିୟତା ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ ନଜରକୁ ନେଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ୬୩ ଲକ୍ଷ ୬୨ ହଜାର ଟଙ୍କା ଅନିୟମିତତା ହୋଇଥିବା ଜାଣିବାକୁ ପାଇ ଗତ ମେ ମାସ ୨୭ ତାରିଖରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏଥି ସହ ତାପରଦିନ ୨୮ ତାରିଖରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।

ସମ୍ବନ୍ଧିତ ଖବର