କୁନ୍ତଳା କୁମାରୀ ସାବତ ମହିଳା କଲେଜରେ ନାହିଁ ଏନ୍‌ସିସି, ଛାତ୍ରୀଙ୍କ ମଧ୍ୟରେ ଦାନାବାନ୍ଧୁଛି ଆନ୍ଦୋଳନ

ବାଲେଶ୍ବର: ବାଲେଶ୍ବର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ରହିଥିଲା। ତେବେ ପ୍ରଶିକ୍ଷକଙ୍କ ଅଭାବ କାରଣରୁ ୯ ବର୍ଷ ହେଲା ଏହା ବନ୍ଦ ରହିଛି। ଫଳରେ ମହାବିଦ୍ୟାଳୟର ବିକାଶ ବାଧାପ୍ରାପ୍ତ ହେବା ସହ ଛାତ୍ରୀମାନେ ତାଲିମରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଆନ୍ଦୋଳନ ଦାନାବାନ୍ଧୁଛି।

ସମୟ ଥିଲା ଅଧ୍ୟାପିକା ଲେଫ୍‌ଟନାଣ୍ଟ ରୀତା ରାୟ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ସେହିପରି ମୌସୁମୀ ଦାସ ପଟ୍ଟନାୟକ କେୟାର୍‌ ଟେକର ଦାୟିତ୍ବରେ ଥିଲେ। ଅଧ୍ୟାପିକା ରୀତା ରାୟଙ୍କ ଶାରୀରିକ ଅସୁସ୍ଥତା କାରଣରୁ ସେ ଆଉ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇ ପାରିଲେନାହିଁ। ଫଳରେ କେୟାର୍‌ ଟେକର ମୌସୁମୀ ଦାସ ପଟ୍ଟନାୟକ ପ୍ରଶିକ୍ଷଣ ଭାର ସମ୍ଭାଳିଥିଲେ। ସେ ତାଲିମପ୍ରାପ୍ତ ହୋଇ ନଥିବାରୁ ୨୦୧୩ ମସିହାରେ ମହାବିଦ୍ୟାଳୟରେ ଏନ୍‌ସିସିକୁ ବନ୍ଦ କରିଦିଆଗଲା। ମହାବିଦ୍ୟାଳୟର ତତ୍‌କାଳୀନ ଅଧ୍ୟକ୍ଷ ଏନ୍‌ସିସିର ରାଜ୍ୟ ଅଧିକାରୀଙ୍କ ପାଖକୁ ଚିଠି ଲେଖି ସମସ୍ୟା ବାବଦରେ ଜଣାଇଥିଲେ। ନିର୍ଦେଶ ମୁତାବକ ସେ ମହାବିଦ୍ୟାଳୟରେ ଏନ୍‌ସିସି ଚାଲୁ ରଖିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ। ହେଲେ କୌଣସି ଅଧ୍ୟାପିକା ଦାୟିତ୍ବ ନେବାକୁ ରାଜି ହୋଇ ନଥିଲେ। ଫଳରେ ସେହିଦିନଠାରୁ ମହାବିଦ୍ୟାଳୟରେ ଏନ୍‌ସିସି ବନ୍ଦ ରହିଛି। ଏନ୍‌ସିସି ବନ୍ଦ ରହିବା ଯୋଗୁଁ ଏହାର ପ୍ରଭାବ ମହାବିଦ୍ୟାଳୟର ବିକାଶ ଉପରେ ପଡ଼ୁଛି। ଅନୁଷ୍ଠାନ ୟୁଜିସି ଅନୁଦାନ ପାଇବାରେ ଅସୁବିଧା ‌ଦେଖାଦେଉଛି। ଅନ୍ୟପଟେ ଏନ୍‌ସିସି ସାର୍ଟିଫିକେଟ୍‌ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକିରି ‌କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଥିବାରୁ ଏନ୍‌ସିସିରୁ ବଞ୍ଚିତ ହେଉଥିବା ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ସେମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି। ତେବେ ଚଳିତବର୍ଷ ପୁଣି ନାକ୍‌ ଟିମ୍‌ ମହାବିଦ୍ୟାଳୟ ପରିଦର୍ଶନରେ ଆସୁଛନ୍ତି। ତେଣୁ ଏଠାରେ ତୁରନ୍ତ ଏନ୍‌ସିସି  ୟୁନିଟ୍‌କୁ କାର୍ଯ୍ୟକ୍ଷମ କରିବା ପାଇଁ ଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହୋଇଛି।

ଏ ସଂପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷା ସୁବ୍ରତା ଦେବାଙ୍ଗନାଙ୍କୁ ସମସ୍ୟା ବାବଦରେ ପଚରାଯାଇଥିଲା। କୌଣସି ଅଧ୍ୟାପିକା ଏନ୍‌ସିସି ଦାୟିତ୍ବ ନେବାକୁ ଇଚ୍ଛା କରୁନଥିବାରୁ ଏହା ଚାଲିପାରୁନି ବୋଲି ସେ କହିଥିଲେ। ତେବେ ବର୍ତ୍ତମାନ ଜଣେ ଅଧ୍ୟାପିକା ପ୍ରଶିକ୍ଷଣ‌ ନେବା ସହ ଦାୟିତ୍ବ ତୁଲାଇବାକୁ ରାଜି ହୋଇଛନ୍ତି। ଏ  ସଂକ୍ରାନ୍ତରେ ଏନ୍‌ସିସିର ରାଜ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି। ନିର୍ଦ୍ଦେଶ ଆସିଲେ ମହାବିଦ୍ୟାଳୟରେ ତୁରନ୍ତ ଏନ୍‌ସିସି ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଭାରତରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଏକ ଟ୍ରାଇ-ସର୍ଭିସେସ୍ ସଂଗଠନ। ଯାହା ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାରେ ସେବା କରିବା ପାଇଁ ପ୍ରସ୍ତୁତ କରିଥାଏ। ଏହାସହିତ ଶୃଙ୍ଖଳା, ଦେଶପ୍ରେମ ଓ ସୁନାଗରିକ ହେବାର କୌଶଳ ମଧ୍ୟ ଶିଖାଇଥାଏ।

ସମ୍ବନ୍ଧିତ ଖବର