୨୦ ହଜାର କୋଟିର ଋଣ ଦେବାକୁ ଏନ୍‌ସିଡିଏସ୍‌ର ପ୍ରସ୍ତାବ

ଭୁବନେଶ୍ୱର : ଓଡ଼ିଶାରେ ଲୁଣମରା ଜୀବିକା କ୍ରମଶଃ ମରି ହଜିଗଲାଣି। ତେବେ ଶୁଖୁଆ ବେପାରର ସମ୍ଭାବନା ଏତେ ବ୍ୟାପକ ଯେ ଏହାକୁ ସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ କଲେ, ଏହାର ରପ୍ତାନୀ ସହିତ ଆର୍ଥିକ ଅଭିବୃଦ୍ଧି ସାଧିତ ହୋଇପାରିବ। ସେହିପରି କୃଷିର ବିଭିନ୍ନ ଆନୁଷଙ୍ଗିକ କ୍ଷେତ୍ରରେ ରୋଜଗାର, ନିଯୁକ୍ତି ବୃଦ୍ଧି କରିହେବ। ଏଥିପାଇଁ ଅନୂନ୍ୟ ୨ ହଜାରରୁ ୨୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇଦେବାକୁ ନ୍ୟାସନାଲ୍‌ କୋପରେଟିଭ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ(ଏନ୍‌ସିଡିସି) ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଏହାର ପରିଚାଳନା ନିର୍ଦେଶକ ସନ୍ଦୀପ କୁମାର ନାୟକ ପ୍ରକାଶ କରିଛନ୍ତି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀ ନାୟକ। ଏନ୍‌ସିଡିସିର ଋଣ ସହାୟତା ଆକର୍ଷଣୀୟ। କୃଷି, ମତ୍ସ୍ୟ, ପଶୁପାଳନ, ଆନୁଷଙ୍ଗିକ କ୍ଷେତ୍ରରେ ଭିତ୍ତିଭୂମି ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରକଳ୍ପ କାର୍ଯ୍ୟାନ୍ଵୟନ ପର୍ଯ୍ୟନ୍ତ ଏଭଳି ସହାୟତା ପର୍ଯ୍ୟାୟ କ୍ରମେ ଦିଆଯାଏ। ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ପ୍ରଶାସନଠାରୁ ଦୃଢ଼ ସହଯୋଗ ମିଳୁଥିବା ସେ କହିଛନ୍ତିି।

ବୈଠକରେ ସମନ୍ଵିତ ସମବାୟ ବିକାଶ କାର୍ଯ୍ୟକ୍ରମ(ଆଇସିଡିପି) ସଂପର୍କରେ ଆଲୋଚନା ହୋଇଥିଲା। ସମବାୟ ଢାଞ୍ଚାରେ ଅଭିବୃଦ୍ଧି ସମ୍ଭାବନାର ସ୍ୱରୂପ ସଂପର୍କରେ ଆକଳନ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଥିଲେ। ସେମାନଙ୍କର ଆକଳନକୁ ବାସ୍ତବଧର୍ମୀ କରିବା ସହିତ ସେଗୁଡ଼ିକ ପ୍ରକଳ୍ପ ଆକାରରେ ଅର୍ଥ ଆବଶ୍ୟକତା ବିବରଣୀ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ। ଓଡ଼ିଶାର ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତି, ଅଣୁ ଜଳସେଚନ, କୃଷି ଜଙ୍ଗଲ, ଜୈବିକ ପନିପରିବା, ଆଭ୍ୟନ୍ତରୀଣ ଏବଂ ଉପକୂଳ ମାଛଚାଷ, ଲୁଣ ଉତ୍ପାଦନ, ଦୁଗ୍ଧ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ, ଆତିଥ୍ୟ ଏବଂ ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସଂପର୍କରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର