ଭୁବନେଶ୍ୱର : ଅନଲାଇନ୍ ଶିକ୍ଷା ନୀତିକୁ ସୁଦୃଢ଼ କରିବା ସକାଶେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ଭାରତ ପଢ଼େ’ ଅନଲାଇନ ଅଭିଯାନ ଆରମ୍ଭ ହୋଇଛି। ସେଥିପାଇଁ ଦେଶବ୍ୟାପୀ ଛାତ୍ରଛାତ୍ର, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାରୁ ମତାମତ ଲୋଡ଼ାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାୟ ୧୦ ହଜାରରୁ ଅଧିକ ମତାମତ ମିଳିଛି। ମନ୍ତ୍ରଣାଳୟ ପକ୍ଷରୁ ସେଗୁଡିକୁ ତର୍ଜମା କରାଯିବା ପରେ ଖୁବ୍ଶୀଘ୍ର ଏକ ନୂତନ ଗାଇଡଲାଇନ୍ ଘୋଷଣା କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି।
ଲକ୍ଡାଉନ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ ଅଭିଭାବକ ତଥା ପିତାମାତାଙ୍କୁ ‘ବିଦ୍ୟାଦାନ ୨.୦’ ସମ୍ପର୍କରେ କହିଛନ୍ତି ଯେ, ମନ୍ତ୍ରଣାଳୟ ପକ୍ଷରୁ ଶୈକ୍ଷିକ ସଂଗଠନଗୁଡିଙ୍କୁ ପାଠ୍ୟଖସଡ଼ା ଅନୁସାରେ ପରିବର୍ତ୍ତିତ ଇ-ଲର୍ଣ୍ଣିଂ ପ୍ଲାଟଫର୍ମର ବିକାଶ ସହ ସେ ଦିଗରେ ସେମାନଙ୍କ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ଏହା ଅଧୀନରେ ଛାତ୍ରଛାତ୍ରୀ ଖୁବ୍ଶୀଘ୍ର ଅଧିକ ଶିକ୍ଷାଲାଭ ପାଇପାରିବେ। ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଇ-ପାଠଶାଳା, ମୁକ୍ତ ଶୈକ୍ଷିକ ସମ୍ବଳ ସଂପର୍କୀତ ଜାତୀୟ ରିପୋଜିଟୋରି (ଏନଆରଓଇଆର), ସ୍ୱୟମ୍, ଡିଟିଏଚ ଚାନେଲ ସ୍ୱୟଂପ୍ରଭା ଇତ୍ୟାଦି ବ୍ୟବସ୍ଥାରେ ପିଲାଙ୍କ ଶିକ୍ଷା ଅର୍ଜନକୁ ଜାରି ରଖିବା ସକାଶେ ସବୁମତେ ପ୍ରୟାସ ଜାରି ରହିଛି।
ଏନସିଇଆରଟି ପୁସ୍ତକ ଉପଲବ୍ଧ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେ ଏନସିଇଆରଟି ପ୍ରାୟ ସମସ୍ତ ରାଜ୍ୟକୁ ତାଙ୍କର ପାଠ୍ୟପୁସ୍ତକ ପଠାଇ ସାରିଛନ୍ତି। ଖୁବ୍ଶୀଘ୍ର ସେସବୁ ବହି ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଅବଶିଷ୍ଟ ପରୀକ୍ଷା ଅନୁଷ୍ଠିତ ହେବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଲେ ପ୍ରଥମ ଉପଲବ୍ଧ ସମ୍ଭାବ୍ୟ ସୁଯୋଗ ସୃଷ୍ଟି ହେବା ମାତ୍ରେ ଉଭୟ ଶ୍ରେଣୀର ୨୯ଟି କୋର୍ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ଲକ୍ଡାଉନ୍ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷତିକୁ କିଭଳି ଭାବେ ଭରଣା କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଶିକ୍ଷାଦାନ ଜାରି ରହିଛି। ମନ୍ତ୍ରଣାଳୟର ଦୀକ୍ଷା ପ୍ଲାଟଫର୍ମରେ ୮୦ ହଜାରରୁ ଅଧିକ ପାଠ୍ୟକ୍ରମ ଏବେ ଉପଲବ୍ଧ ରହିଛି। ସେ ଆହୁରି ସୂଚିତ କରିଥିଲେ ଯେ ଦେଶରେ ଇ- ଲର୍ଣ୍ଣିଂ ବ୍ୟବସ୍ଥାରେ ପର୍ଯ୍ୟପ୍ତ ଅଭିବୃଦ୍ଧି ଘଟିଛି। ପିଲାମାନଙ୍କ ଶିକ୍ଷାଲାଭ କ୍ଷତିର ଭରଣା ସକାଶେ ଏନସିଇଆରଟି ଦ୍ୱାରା ଏକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ସିବିଏସଇକୁ ମଧ୍ୟ ଏକ ବିକଳ୍ପ କ୍ୟାଲେଣ୍ଡର ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୋଖରିଆଲ ୱେବନର ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ncert.jpg)