ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଓଡ଼ିଶାରେ ୩ ଦିନ ହେଲା ପାଠପଢ଼ା ହେଲାଣି। ସକାଳୁଆ ସ୍କୁଲ ସହ ଦିନକୁ ୪ରୁ ୫ଟି କ୍ଲାସ କରାଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀ ପଢ଼ାଇବାକୁ ଆସୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ହାତରେ ପାଠ୍ୟପୁସ୍ତକ ନାହିଁ। ଶିକ୍ଷକ କ’ଣ ପଢ଼ାଉଛନ୍ତି ସେମାନେ କିଭଳି ପଢ଼ିବେ ଜାଣିପାରୁ ନାହାନ୍ତି। ଗୋଟିଏ କି ଦୁଇଟି ନୁହେଁ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଅଧୀନ ରାଜ୍ୟର ପ୍ରାୟ ୪୪୭ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ସିବିଏସ୍ଇ ବିଦ୍ୟାଳୟଗୁଡ଼ିକ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍ସିଇଆର୍ଟି) ଦ୍ବାରା ପ୍ରଚଳିତ ପାଠ୍ୟପୁସ୍ତକ ଅନୁସରଣ କରୁଥିବାରୁ ସେମାନେ ଏବେ ହଇରାଣ ହେଉଛନ୍ତି। ପାଠ୍ୟପୁସ୍ତକ କେଉଁଠୁ ଆଣିବେ? କିଭଳି ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ? ତାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତାପ୍ରକଟ କରିଛନ୍ତି।
ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ଅଧୀନରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ବାର୍ଷିକ ୪୮ ଲକ୍ଷ ପାଠ୍ୟପୁସ୍ତକ ଆବଶ୍ୟକ ହେଉଥିବା ବେଳେ ଏବେ ସୁଦ୍ଧା ବଜାରକୁ ପର୍ଯ୍ୟାପ୍ତ ପରିମାଣର ବହି ଆସି ନ ଥିବାରୁ ପିଲାମାନେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି। ଚିନ୍ତାର ବିଷୟ ହେଉଛି ଯେ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ୩ୟ ଓ ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପର୍ଯ୍ୟନ୍ତ ଗୋଟିଏ ବି ବହି ଉପଲବ୍ଧ ହୋଇପାରି ନାହିଁ। କାରଣ ୨୦୨୪-୨୫ ଶିକ୍ଷାବର୍ଷରେ ଏହି ଦୁଇ ଶ୍ରେଣୀର ସିଲାବସ୍ରେ ପରିବର୍ତ୍ତନ କରାଯାଇଥିବାରୁ ଏଯାଏଁ ଗୋଟିଏ ବି ଛାପିନି ଏନ୍ସିଇଆର୍ଟି। ୪ର୍ଥ, ୫ମ, ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟ ସମାନ ଅବସ୍ଥା। ଏପ୍ରିଲ ପ୍ରଥମ ସପ୍ତାହ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଜାରକୁ ଆସିପାରି ନାହିଁ। ପ୍ରଥମ, ଦ୍ବିତୀୟ, ୭ମ, ୮ମ, ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଆବଶ୍ୟକ ପରିମାଣର ପୁସ୍ତକ ବଜାରରେ ଉପଲବ୍ଧ ହେଉ ନ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ କେବଳ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅପେକ୍ଷା କରି ରଖିଛନ୍ତି।
ଓଡ଼ିଶା ବଜାରରେ ପାଠ୍ୟପୁସ୍ତକ ମିଳୁ ନ ଥିବାରୁ ସେମାନେ କୋଲକାତା ଓ ଦିଲ୍ଲୀ ବଜାରରୁ ଚଢ଼ା ଦରରେ ପାଠ୍ୟପୁସ୍ତକ କ୍ରୟ କରି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଛନ୍ତି। ଭୁବନେଶ୍ବରରେ ଥିବା ଏକ ପ୍ରତିଷ୍ଠିତ ବିଦ୍ୟାଳୟର ଅଧ୍ୟକ୍ଷଙ୍କ କହିବା କଥା ହେଉଛି ଯେ ଏନ୍ସିଇଆରଟି ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ପାଠ୍ୟପୁସ୍ତକ ଛପାଯାଉ ନ ଥିବାରୁ ଏଭଳି ସମସ୍ୟା ହେଉଛି। ଗତବର୍ଷ ମଧ୍ୟ ପାଠ୍ୟପୁସ୍ତକ ଅଭାବ ପରିଲକ୍ଷିତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ତିନି ମାସ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ତା’ସତ୍ତ୍ବେ ଏନ୍ସିଇଆରଟି କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ଶେଷ ମୁହୂର୍ତ୍ତରେ ପାଠ୍ୟକ୍ରମରେ ପରିବର୍ତ୍ତନ କରି ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। ଏହାଦ୍ବାରା ସମସ୍ତେ ପ୍ରଭାବିତ ହେଉଛୁ। ଭୁବନେଶ୍ବରରେ ଥିବା ଏନ୍ସିଇଆରଟି କାର୍ଯ୍ୟାଳୟର ଅଧିକାରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନେ ହାତ ଟେକି ଦେଉଛନ୍ତି। ମୁଖ୍ୟ କାର୍ଯ୍ୟାଳୟରୁ ବହି ଆସୁ ନ ଥିବାରୁ ଆମେ କେଉଁଠୁ ଯୋଗାଇବୁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି।
ପାଠ୍ୟପୁସ୍ତକ ଅଭାବ ସମସ୍ୟା କେବଳ ଯେ ଓଡ଼ିଶାରେ ହୋଇଛି ତାହା ନୁହେଁ। ଜାତୀୟ ସ୍ତରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଥିବାରୁ ଅଭିଭାବକ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନ୍ସିଇଆରଟି କର୍ତ୍ତୃପକ୍ଷ କହିଛନ୍ତି ଯେ ସ୍କୁଲଗୁଡ଼ିକ ଆବଶ୍ୟକ ପାଠ୍ୟପୁସ୍ତକ ଯୋଗାଇବା ଦିଗରେ ଆମେ କାର୍ଯ୍ୟ କରୁଛୁ। ପ୍ରଥମ, ଦ୍ବିତୀୟ, ୭ମ, ୮ମ, ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ୩୩ ଲକ୍ଷ ପୁସ୍ତକ ଛପାଯାଇ ଦୋକାନରେ ପହଞ୍ଚାଯାଇଛି। ତୃତୀୟ ଓ ଷଷ୍ଠ ଶ୍ରେଣୀର ନୂତନ ସିଲାବସ୍ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପୁସ୍ତକ ଏପ୍ରିଲ ଓ ମେ’ ମାସରେ ପ୍ରକାଶିତ ହେବ। ଜୁନ୍ ମାସ ବେଳକୁ ବଜାରରେ ଉପଲବ୍ଧ ହେବ। ୪ର୍ଥ, ୫ମ, ୯ମ ଓ ଏକାଦଶ ଶ୍ରେଣୀର ପାଠ୍ୟପୁସ୍ତକ ଚଳିତ ମାସ ବଜାରକୁ ଆସିଯିବ। ଅଭିଭାବକ ଓ ଛାତ୍ରଛାତ୍ରୀ ଧର୍ଯ୍ୟ ଧରିବା ସହ ବ୍ୟସ୍ତ ନହେବାକୁ ଏନ୍ସିଇଆରଟି ପକ୍ଷରୁ ନିବେଦନ କରାଯାଇଛି।