ଭୁବନେଶ୍ବର: ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ୨୦୨୪-୨୫ ଶିକ୍ଷାବର୍ଷକୁ ତିନି ମାସ ବିତିଗଲାଣି। ଦେଢ଼ ମାସର ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀ ପୁଣିଥରେ ବିଦ୍ୟାଳୟକୁ ଫେରିଛନ୍ତି। ପାଠପଢ଼ା ସ୍ବାଭାବିକ ହୋଇଥିଲେ ମଧ୍ୟ ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌ସିଇଆର୍‌ଟି) ଦ୍ବାରା ପ୍ରଚଳିତ ପାଠ୍ୟପୁସ୍ତକ ଉପଲବ୍ଧ ହୋଇପାରି ନାହିଁ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ଆଧାରରେ ପ୍ରଥମ ପର୍ଯ୍ୟାୟରେ ୩ୟ ଓ ୬ଷ୍ଠ ଶ୍ରେଣୀ ସିଲାବସ୍‌ରେ ପରିବର୍ତ୍ତନ କରାଯିବା ସହ ଚଳିତ ଶିକ୍ଷାବର୍ଷରେ ନୂତନ ପାଠ୍ୟପୁସ୍ତକ ଛପାଚାଲିଛି। ଯାହାକି ଆଜି ପର୍ଯ୍ୟନ୍ତ ସମସ୍ତ ବିଷୟର ବହି ବଜାରକୁ ଆସିପାରି ନାହିଁ। ଏପ୍ରିଲ ମାସରେ ଏନ୍‌ସିଇଆରଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ନୂତନ ସିଲାବସ୍‌ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ତୃତୀୟ ଓ ଷଷ୍ଠ ଶ୍ରେଣୀର ପୁସ୍ତକ ଏପ୍ରିଲ ଓ ମେ’ ମାସରେ ପ୍ରକାଶିତ ଏବଂ ଜୁନ୍‌ ମାସ ବେଳକୁ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା। ସେହି ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ଧର୍ଯ୍ୟ ଧରିବା ସହ ବ୍ୟସ୍ତ ନ ହେବାକୁ ଏନ୍‌ସିଇଆରଟି ନିବେଦନ କରିଥିଲା। ଇତିମଧ୍ୟରେ ଜୁନ୍‌ ମାସ ବିତିଯାଇଥିଲେ ମଧ୍ୟ ତୃତୀୟ ଓ ୬ଷ୍ଠ ଶ୍ରେଣୀର ସମସ୍ତ ବହି ବଜାରରେ ଉପଲବ୍ଧ କରାଯାଇପାରି ନାହିଁ।

Advertisment

ପାଠ୍ୟପୁସ୍ତକ ଯୋଗାଣରେ ଏନ୍‌ସିଇଆର୍‌ଟିର ବିଳମ୍ବକୁ ନେଇ ଇତିମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ଯେଉଁଥିରେ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ, ଏନ୍‌ସିଇଆରଟି ନିର୍ଦ୍ଦେଶକ, ସିବିଏସ୍‌ଇ ଅଧ୍ୟକ୍ଷ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି। ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ଓ ଷଷ୍ଠ ଶ୍ରେଣୀର ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଶ୍ରେଣୀର ୯ଟି ପାଠ୍ୟପୁସ୍ତକ ଆଜି ସୁଦ୍ଧା ଉପଲବ୍ଧ ହୋଇଛି। ବାକି ୮ଟି ପାଠ୍ୟପୁସ୍ତକ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ନୂତନ ପାଠ୍ୟପୁସ୍ତକ ଅନୁଯାୟୀ ୩ୟ ଓ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି। ଏନ୍‌ଇପି-୨୦୨୦ ଅନୁଯାୟୀ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କମ୍‌ ଖର୍ଚ୍ଚରେ ଗୁଣାତ୍ମକ ପାଠ୍ୟପୁସ୍ତକ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ ହେଉଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏନ୍‌ସିଆରଟି ପକ୍ଷରୁ ଆଜି କୁହାଯାଇଛି ଯେ ଜୁଲାଇ ମାସ ମଧ୍ୟରେ ଷଷ୍ଠ ଶ୍ରେଣୀର ସମସ୍ତ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ପରୀକ୍ଷାମୂଳକ ଶିକ୍ଷଣ ପରିପ୍ରେକ୍ଷୀରେ ଅଭିଜ୍ଞତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରୁଣାରୁ ନୂତନ ପାଠ୍ୟକ୍ରମକୁ ସୁରୁଖୁରୁରେ ପରିବର୍ତ୍ତନ ସୁନିଶ୍ଚିତ କରିବାକୁ ଏନସିଇଆରଟି ଷଷ୍ଠ ଶ୍ରେଣୀର ସମସ୍ତ ୧୦ଟି ବିଷୟ କ୍ଷେତ୍ରରେ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ଉପଲବ୍ଧ କରାଯାଇଛି। ଯାହାକି ବର୍ତ୍ତମାନ ଶିକ୍ଷାଦାନ ପାଇଁ ବ୍ୟବହୃତ ହେଉଛି। ଗତ ମାର୍ଚ୍ଚ ୨୨ରେ କୁହାଯାଇଥିଲା ଯେ ୩ ଓ ୬ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୨୦୨୩-୨୪ ଶିକ୍ଷାବର୍ଷ ଭଳି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଅନୁଯାୟୀ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‌ଇ ଅଧୀନରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ବାର୍ଷିକ ୪୮ ଲକ୍ଷ ପାଠ୍ୟପୁସ୍ତକ ଆବଶ୍ୟକ ହେଉଥିବା ବେଳେ ଏବେ ସୁଦ୍ଧା ବଜାରକୁ ପର୍ଯ୍ୟାପ୍ତ ପରିମାଣର ବହି ଆସି ନ ଥିବାରୁ ପିଲାମାନେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି। ବାଧ୍ୟ ହୋଇ ଅଧିକାଂଶ ଛାତ୍ରଛାତ୍ରୀ ବାହାର ସଂସ୍ଥା ଦ୍ବାରା ପ୍ରକାଶିତ ପାଠ୍ୟପୁସ୍ତକକୁ ଚଢ଼ା‌ ଦରରେ କିଣି ଶିକ୍ଷା ଗ୍ରହଣ କରୁଛନ୍ତି। କେତେକ ସଂସ୍ଥା ଏନ୍‌ସିଇଅରଟି ବହିର ନକଲ କରି ବଜାରକୁ ପୁସ୍ତକ ଛାଡ଼ୁଥିବା ଅଭିଯୋଗ ଆସିବା ପରେ ଗତ ମେ’ ମାସରେ ଭୁବନେଶ୍ବରର ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ଉପରେ ଚଢ଼ଉ କରାଯାଇଥିଲା।