ଭୁବନେଶ୍ବର: ପୁରୀ ରାଜଭବନରେ ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ ଆକ୍ରମଣ କରିବା ଘଟଣାରେ ଆଜି ପୀଡ଼ିତଙ୍କ ପରିବାର ସହ ରାଜ୍ୟପାଳ ରଘୁବର ଦାସ ଆଲୋଚନା କରିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ୭ଦିନ ସମୟ ମାଗିଛନ୍ତି। ତେଣୁ ରାଜ୍ୟପାଳ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଓ କ’ଣ ନ୍ୟାୟ ଦେଉଛନ୍ତି ତାହାକୁ ଅପେକ୍ଷା କରିଛୁ ବୋଲି ପୀଡ଼ିତଙ୍କ ପରିବାର ଗଣମାଧ୍ୟମକୁ କହିଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଘଟଣାକୁ ନେଇ ସଂଘ ଚିନ୍ତିତ ଥିଲା। ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିବାରୁ ଅଭିଯୋଗ ଶୁଣିପାରି ନ ଥିଲେ। ରାଜ୍ୟପାଳ ଏ ଘଟଣା ଶୁଣିବା ପରେ ଆଜି ଆଲୋଚନା କରିବା ପାଇଁ ଡାକିଥିଲେ। ଆଲୋଚନା ସମୟରେ ଭୁବନେଶ୍ବର ଡିସିପି ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ରୋଷେୟା ଆଜି କ୍ଷମା ମାଗିଛନ୍ତି। ରାଜ୍ୟପାଳଙ୍କ ପୁଅ ଏଠାରେ ନାହାନ୍ତି। ତାଙ୍କୁ ଡାକି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟପାଳ କହିଛନ୍ତି। ମୋ ସହ ଯାହା ଘଟିଛି ବହୁତ ଖରାପ ହୋଇଛି। ନ୍ୟାୟ ମିଳିଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି। ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି। ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବାର ଅଭିଯୋଗ ହୋଇଛି। ଏହା ଦୁର୍ଭାଗ୍ୟଜନକ ଘଟଣା। ମୁଖ୍ୟମନ୍ତ୍ରୀ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ରହିଛନ୍ତି। ତାଙ୍କ ବିଭାଗ ଅଧୀନରେ ଆସୁଥିବା ଜଣେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ହୋଇଛି। ସଂପୃକ୍ତ ସରକାରୀ କର୍ମଚାରୀ ଏତଲା ଦେଇଛନ୍ତି। ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ଭଳି ଅନୁଭବ ହେଉଛି। ମୁଖ୍ୟମନ୍ତ୍ରୀଙ୍କଠାରୁ କର୍ମଚାରୀ ସଂଘ ଓ ରାଜ୍ୟବାସୀ ନ୍ୟାୟ ଅପେକ୍ଷାରେ ରହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଶା ସଚିବାଳୟ ସେବା ସଂଘ
ଭୁବନେଶ୍ବର,: ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ପୁରୀ ରାଜଭବନରେ ମାଡ଼ ମରାଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛି ଓଡ଼ିଶା ସଚିବାଳୟ ସେବା ସଂଘ। ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ସଂଘର ସାଧାରଣ ସଂପାଦକ ପ୍ରଯତ୍ନ ବରାଳ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ଏଏସ୍ଓ ଶ୍ରୀ ପ୍ରଧାନଙ୍କୁ ମାଡ଼ ମରାଯିବା ନେଇ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅଙ୍କ ସଂପୃକ୍ତି ଅଭିଯୋଗ ରହିଛି। ଯାହାକି ଦୁର୍ଭାଗ୍ୟଜନକ। ପୂର୍ବରୁ ମଧ୍ୟ ସଂଘ ସରକାରୀ କର୍ମଚାରୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ କରାଗଲେ ସେଥିପାଇଁ ସ୍ବର ଉତ୍ତୋଳନ କରିଆସିଛି। ତେଣୁ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହିତ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ବରାଳ ଏକ ପ୍ରେସ୍ ବିବୃତିରେ କହିଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଚିତ୍ ପଦକ୍ଷେପ ନେବେ ବୋଲି ବିରୋଧୀ ଦଳ ଭାବେ ନିବେଦନ କରୁଛୁ ବୋଲି ଶ୍ରୀ ଦେବ କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମିଳିତଭାବେ ରାଜଭବନ ଘେରାଉ କରାଯାଇଛି। କଂଗ୍ରେସର ଦୁଇ ଛାମୁଆ ସଂଗଠନର କର୍ମୀମାନେ ଭୁବନେଶ୍ବର କ୍ଲବ୍ଠାରୁ ଏକ ଶୋଭାଯାତ୍ରାରେ ରାଜଭବନ ଆଡ଼କୁ ଯାଉଥିବା ବେଳେ ରାସ୍ତାରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀ ସେଠାରେ ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ୟାସିର ନୱାଜ, ରଣଜିତ ପାତ୍ର ଓ ଅନ୍ୟ ଯୁବ-ଛାତ୍ର କର୍ମୀଙ୍କୁ ସେଠାରୁ ଉଠାଇ ନେଇ ଅଟକ ରଖିଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର କହିଛନ୍ତି ଯେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ଜଣ ସହଯୋଗୀ ଏଏସ୍ଓ ଶ୍ରୀ ପ୍ରଧାନଙ୍କୁ ଯେଉଁଭଳି ଆକ୍ରମଣ କରିଛନ୍ତି ତାହା ଦୁର୍ଭାଗ୍ୟଜନକ। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ମଧ୍ୟ ନିରବ ରହିଛନ୍ତି। ସଚିବାଳୟର କର୍ମଚାରୀ ସଂଘ ନିଜର ସଭ୍ୟଙ୍କ ଉପରେ ଏହି ଆକ୍ରମଣର ପ୍ରତିବାଦ କରିବା ଉଚିତ୍।
ସେହିପରି ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଛନ୍ତି, ଏଏସ୍ଓ ଶ୍ରୀ ପ୍ରଧାନଙ୍କ ଲିଖିତ ଅଭିଯୋଗ ପରେ ମଧ୍ୟ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହେଉଛି। ପୀଡ଼ିତ ଏଏସ୍ଓ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଛାତ୍ର ଓ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, କିରଣ ସାହୁ, ଗଣେଶ ଦାସ, ରଜନୀ ମହାନ୍ତି, ଉଦିତ ପ୍ରଧାନ, ବିଭୁପ୍ରସାଦ ଜେନା, ମହମ୍ମଦ ପରଭେଜ, ସୁରଜ ରାଉତ, ବିଶ୍ବଜିତ ସ୍ବାଇଁ, ସନ୍ଦୀପ ରାଉତରାୟ ଓ ଅନ୍ୟମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhsshfhf.jpg)