ଏନ୍‌ସିପିସିଆର୍‌ର କ୍ରାଇମ୍‌ବ୍ରାଞ୍ଚକୁ ଚିଠି : ବର୍‌ଦାସ୍ତ ହେବନି ଶିଶୁଙ୍କ ପ୍ରତି ନୃଶଂସ ଆଚରଣ, ପଦକ୍ଷେପ ନେବାକୁ ଜିଲ୍ଲା ଏସ୍‌ପିଙ୍କୁ ଏଡିଜିଙ୍କ ନିର୍ଦ୍ଦେଶ

କଟକ : ଶିଶୁଙ୍କ ପ୍ରତି ଘଟୁଥିବା ନୃଶଂସ ଆଚରଣ ଏଣିକି କୌଣସି ପରିସ୍ଥିତିରେ ବର୍‌ଦାସ୍ତ କରାଯିବ ନାହିଁ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ୨୦୧୫ ଅନୁଯାୟୀ ସଶ୍ରମ କାରାଦଣ୍ଡ ପ୍ରଦାନ କରାଯିବ । ଅପରାଧ ଅନୁଯାୟୀ ଅର୍ଥରାଶୀ ମଧ୍ୟ ଆଦାୟ କରାଯିବ । ଏ ସଂକ୍ରାନ୍ତରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଆଧାରରେ କ୍ରାଇମ୍‌ବ୍ରାଞ୍ଚ ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ନିୟମ କଡ଼କଡ଼ା କରିବାକୁ କହିଛନ୍ତି । କୌଣସି ଥାନା ଅଞ୍ଚଳରେ ଶିଶୁ ନୃସଂଶତାର ଶିକାର ହେଲେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟ ଏବଂ ଆଇପିସି(ଭାରତୀୟ ପିଙ୍ଗଳ ଆଇନ) ଅନୁଯାୟୀ, ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ କାର୍ଯ୍ୟାଳୟର ଏକ ଲୋମହର୍ଷକ ଭିଡିଓ ହସ୍ତଗତ ହୋଇଥିଲା। ଏଥିରେ ଜଣେ ଏକ ବର୍ଷର ଶିଶୁକୁ ଧାର୍ମିକ କାର୍ଯ୍ୟକ୍ରମରେ ପରମ୍ପରା ଅନୁଯାୟୀ ନିଆଁରେ ବସା ଯାଇଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଶିଶୁ ସୁରକ୍ଷା ଓ ଅଧିକାରକୁ ଉଲ୍ଲଂଘନ କରୁଥିବାରୁ ଆୟୋଗ ପକ୍ଷରୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଜୁଭେନାଇଲ୍‌ ଜଷ୍ଟିସ୍‌(କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍‌ ଚିଲ୍‌ଡ୍ରେନ୍‌) ଆକ୍ଟ ୨୦୧୫ରେ ଥିବା ଧାରା ୭୫କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଦିଆଯାଇଛି। ସେହି ଆଧାରରେ କ୍ରାଇମ୍‌ବ୍ରାଞ୍ଚ (ଚିଠି ନମ୍ବର୨୧୨୫୫/ସିଆଇଡି-ଜେଡି) ୩୬ଟି ଜିଲ୍ଲାର ଏସ୍‌ପି, ଜିଆରପି ଏସ୍‌ପି ଏବଂ କମିସନରେଟ୍‌ ପୁଲିସର ଡିସିପିଙ୍କ ନିକଟକୁୁ ନୂଆ ନିର୍ଦ୍ଦେଶନାମା ପଠାଇଛି। ଏହି ଆକ୍ଟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତାଗିଦ କରାଯାଇଛି । ଧାରା ୭୫ ଅନୁଯାୟୀ ଅବିଭାବକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଶିଶୁଙ୍କ ପ୍ରତି କୌଣସି ନିଷ୍ଠୁର ବା ନୃଶଂସ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। କିମ୍ବା ଉଦ୍ଦେଶ୍ୟ ମୂଳକ ଭାବେ ଅବହେଳା, ବଳପୂର୍ବକ ଅସଦାଚରଣ ଏବଂ ଜାଣିଶୁଣି ଅବହେଳା କରିବେ ନାହିଁ। ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଭଳି ଘଟଣାରେ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ୩ ବର୍ଷର ଜେଲ୍‌ ଦଣ୍ଡ ବ୍ୟବସ୍ଥା ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି ।

ଯଦି ଶିଶୁକୁ କୌଣସି ପରିସ୍ଥିତିରେ ପଡ଼ି ଅଭିଭାବକ ଅବହେଳା କରିଛନ୍ତି କିମ୍ବା ପରିତ୍ୟାଗ କରିଛନ୍ତି, ସେ କ୍ଷେତ୍ରରେ ଧାରା ୭୫ ଲାଗୁ ହେବ ନାହିଁ । ଅନୈତିକ ସମ୍ପର୍କରୁ ଶିଶୁଟି ଜନ୍ମ ହୋଇଥିଲେ, ସେଭଳି ସ୍ଥିତିରେ ସମ୍ପୃକ୍ତ ମହିଳା କିମ୍ବା ପୁରୁଷକୁ ଦୋଷୀ ଭାବେ ବିଚାର କରାଯିବ ନାହିଁ । ମାତ୍ର କୌଣସି ଅନୁଷ୍ଠାନର ବ୍ୟକ୍ତି ବିଶେଷ ଶିଶୁଟିକୁ ଅବହେଳା କଲେ ତାଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଶ୍ରମ ଏବଂ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିିଛି । ଶିଶୁଟି ଯଦି ମାନସିକ ଓ ଶାରୀରିକ ସ୍ତରରେ ଦିବ୍ୟାଙ୍ଗ, କିନ୍ତୁ ସେ ନିର୍ଯାତନାର ଶିକାର ହୋଇଛନ୍ତି, ସେଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯିବ । ସେହିପରି ଧାରା ୮୮ରେ ରହିଥିବା ବ୍ୟବସ୍ଥା ଆଧାରରେ ଆଇପିସି ଏବଂ ଅନ୍ୟ ସ୍ୱତନ୍ତ୍ର ଆଇନର ଧାରା ମଧ୍ୟ ଶିଶୁଙ୍କ ପ୍ରତି ନୃଶଂସ ଆଚରଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରାଯିବ । ଏଣୁ ଉଭୟ ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟରର ଧାରା ୭୫ ଏବଂ ୮୮କୁ ଲାଗୁ କରିବାକୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ପକ୍ଷରୁ ଜିଲ୍ଲା ପୁଲିସକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର