ଏନ୍‌ସିଆର୍‌ବି ରିପୋର୍ଟ: ରାଜ୍ୟର ଥାନାଗୁଡ଼ିକରେ ଗଡ଼ୁଛି ‌‌ଦେଢ଼ଲକ୍ଷ ମାମଲା

ଭୁବନେଶ୍ବର : ବର୍ଷବର୍ଷ ହେବ ପୁଲିସ ଫାଇଲ୍‌ ତଳେ ଦେଢ଼ ଲକ୍ଷରୁ ଊର୍ଧ୍ବ ମାମଲା ଚାପିହୋଇ ଯାଇଛି। କିଏ ହତ୍ୟାକାଣ୍ଡରେ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି ତ କିଏ ପାରିବାରିକ ହିଂସା, ଦୁଷ୍କର୍ମ, ଅପହରଣ କିମ୍ବା ଠକେଇର ଶିକାର ହୋଇଛନ୍ତି। ହେଲେ ବିଭିନ୍ନ କାରଣରୁ ଏଭଳି ସଂଗିନ ମାମଲାରେ ମଧ୍ୟ ପୁଲିସ ତଦନ୍ତ ଧିମେଇ ଯାଇଛି କି ଅଧାରୁ ବନ୍ଦ ହୋଇଯାଇଛି। ଆଉ ଅନେକ ପୀଡ଼ିତ/ପୀଡ଼ିତା ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇ ପାରୁନାହାନ୍ତି। ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ତଥ୍ୟରୁ ଏହା ସାମ୍ନାକୁ ଆସିଛି। ମାମଲା ଗଡ଼ିବା କ୍ଷେତ୍ରରେ ତାମିଲନାଡ଼ୁ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟରେ ମହାରାଷ୍ଟ୍ର, ତୃତୀୟରେ ଉତ୍ତର‌ପ୍ରଦେଶ ରହିଥିବାବେଳେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଛି।

ବର୍ତ୍ତମାନ ସାରା ଦେଶରେ ୫୧ଲକ୍ଷ ୮୨ହଜାର ୫୩୯ ମାମଲା ପଡ଼ିରହିଥିବା ବେଳେ ରାଜ୍ୟରେ ୧ ଲକ୍ଷ ୫୦ ହାଜର ୬୭୨ ମାମଲା ତଦନ୍ତ ଅପେକ୍ଷାରେ ରହିଛି। ୨୦୧୯ ମସିହାରେ ରାଜ୍ୟର ୪୨ହଜାର ୫୮ଟି ମାମଲାର ତଦନ୍ତ ସରିନାହିଁ। ୨୦୨୦ରେ ୧ଲକ୍ଷ ୮ ହଜାର ୫୩୩ ମାମଲା ରୁଜୁ ହୋଇଛି। ସେହିପରି ପୂର୍ବରୁ ପଡ଼ିରହିଥିବା ୮୧ଟି ମାମଲାର ପୁନଃତଦନ୍ତ ଆରମ୍ଭ ହୋଇଛି। ପୁଲିସ ଅବହେଳା ଯୋଗୁଁ କେହି କେହି ଅଭିଯୋଗକାରୀ ନ୍ୟାୟ ଅପେକ୍ଷାରେ ଆଖି ବୁଜିଲେଣି। କେତେକ ଅଭିଯୁକ୍ତଙ୍କର ମୃତ୍ୟୁ ବି ହୋଇ ସାରିଲାଣି। ନା ଅଭିଯୋଗକାରୀଙ୍କୁ ମିଳୁଛି ନ୍ୟାୟ ନା ଅଭିଯୁକ୍ତକୁ ଦଣ୍ଡ। ପୁଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଯାଉଛି। ତଦନ୍ତ ଆଗକୁ ନ ବଢ଼ି ଫାଇଲ୍‌ରେ ରହିଯାଉଛି। ପୁଲିସର ଏଭଳି ମନୋଭାବ ଯୋଗୁଁ ଅପରାଧୀ ନିର୍ଦ୍ବନ୍ଦ୍ବରେ ବୁଲୁଛନ୍ତି।

ଖାଲି ସେତିକି ନୁହେଁ; ଥାନା ଗୁଡ଼ିକରେ ମାଳମାଳ ମାମଲା ଗଡ଼ୁଥିବାବେଳେ ଆବଶ୍ୟକ ସଂଖ୍ୟାରେ ତଦନ୍ତକାରୀ ଅଫିସର ନ ଥିବାରୁ ଠିକ୍‌ ସମୟରେ ନା ମାମଲାଗୁଡ଼ିକର ତଦନ୍ତ ସରିପାରୁଛି ନା କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇପାରୁଛି। ନିୟମ ଅନୁଯାୟୀ ଗୋଟିଏ ମାମଲା ରୁଜୁ ହେବାର ୧୨୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ହେବା କଥା। କିନ୍ତୁ ବାସ୍ତବରେ ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ଯାହାକୁ ‌ନେଇ ଖୋଦ୍‌ ପୁଲିସ ମହାନିର୍ଦେଶକ ଏସ୍‌ପିମାନଙ୍କୁ କଡ଼ା ନିର୍ଦେଶ ଦେଇଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମାରେ ମାମଲାକୁ ବନ୍ଦ କରିବାକୁ ଥାନାଗୁଡ଼ିକୁ ଟାର୍ଗେଟ ଦେଇଥିଲେ। ଯେଉଁ ଥାନାଗୁଡ଼ିକ ନିର୍ଦ୍ଧାରିତ ସମୟରେ ମାମଲା ବନ୍ଦ ନକରିବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା। ହେଲେ ଡିଜିପିଙ୍କ କଠୋର ଆଭିମୁଖ୍ୟ ସତ୍ତ୍ବେ ଠିକ୍‌ ସମୟରେ ମାମଲାର ତଦନ୍ତ ହୋଇପାରୁ ନାହିଁ। ଯାହାକି ପୁଲିସ ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି।

ସମ୍ବନ୍ଧିତ ଖବର