ଏନ୍‌ସିଆର୍‌ବି ରିପୋର୍ଟରେ ସାଂଘାତିକ ଚିତ୍ର : ମାତିଛନ୍ତି ଅପରାଧୀ, ଅସୁରକ୍ଷିତ ମହିଳା

ପ୍ରତିଦିନ ୧୬ ମହିଳାଙ୍କ ଉପରେ ଆକ୍ରମଣ
ଦିନକୁ ଦୁର୍ଘଟଣାରେ ମରୁଛନ୍ତି ୧୪ରୁ ଅଧିକ
ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜନିତ ମୃତ୍ୟୁ ନାହିଁ

ଭୁବନେଶ୍ବର : ପ୍ରତିଦିନ ହାରାହାରି ୪ଜଣଙ୍କୁ ହତ୍ୟା କରାଯାଉଛି, ୮ରୁ ୯ ଜଣଙ୍କୁ ହତ୍ୟା ଉଦ୍ୟମ କରୁଛନ୍ତି ଅପରାଧୀ। ଦୈନନ୍ଦିନ କେଉଁଠି ନା କେଉଁଠି ଦୁର୍ଘଟଣାରେ ୧୪ବା ୧୫ଜଣଙ୍କର ମୃତ୍ୟୁ ଘଟୁଛି। ପ୍ରତିଦିନ ଜଣେ ନା ଜଣେ ମହିଳା ଯୌତୁକ ଜନିତ ମୃତ୍ୟୁକୁ ସାମ୍ନା କରୁଛନ୍ତି। ସାଂଘାତିକ କଥାଟି ହେଉଛି, ମହିଳାଙ୍କ ଉପରେ ନିର୍ଯାତନା କିନ୍ତୁ ସୀମା ଟପିଲାଣି।

ଜାତୀୟ ଅପରାଧ ନଥି ବ୍ୟୁରୋ ୨୦୧୮ ମସିହା ପାଇଁ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ସେଥିରେ ଓଡ଼ିଶା ଅପରାଧ ସଂପର୍କରେ ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ରହିଛି। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଉଥିଲେ ହେଁ, ଏ ଦିଗରେ ନା ସାଧାରଣରେ ସଚେତନତା ବଢୁଛି ନା ଅପରାଧ ଦମନ ପଛରେ ପୁଲିସ ସେଭଳି କିଛି କରିସ୍ମା ଦେଖାଇ ପାରୁନି। ଏହି ରିପୋର୍ଟ ପରୋକ୍ଷରେ ଏଭଳି ସୂଚାଇ ଦେଉଛି। ତେବେ ସରକାରଙ୍କ ପାଇଁ ଆଶ୍ବସନାର ବିଷୟ ହେଉଛି, ଜଣେ ବି ଚାଷୀ ଆତ୍ମହତ୍ୟା କରିଥିବା ରେକର୍ଡରେ ନାହିଁ।

ତେବେ ଏହି ରିେପାର୍ଟ ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ଏହି ବର୍ଷ ଦେଶରେ ପ୍ରାୟ ୧୩ ହଜାର ବେକାର ଓ ୧୦ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ବେକାରି ଜନିତ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି। ଏହି କାରଣରୁ ପ୍ରତି ୨ ଘଣ୍ଟାରେ ଦେଶର ୩ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଦେଶରେ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ଏହି ପରିସଂଖ୍ୟାନ ପ୍ରତି ଘରେ ଆତଙ୍କ ଖେଳାଇ ଦେବାପାଇଁ ଯଥେଷ୍ଟ।

ଏନସିଆରବି ତଥ୍ୟ ଅନୁସାରେ, ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୮୨ ପ୍ରତିଶତ ପୁରୁଷ ଅଛନ୍ତି ବୋଲି ଜଣାପଡ଼ିଛି। ଆତ୍ମହତ୍ୟା ମାମଲାରେ କେରଳ ସବୁଠାରୁ ଆଗରେ ରହିଛି। ଏଠାରେ ସର୍ବାଧିକ ୧୫୮୫, ତାମିଲନାଡ଼ୁରେ ୧୫୭୯, ମହାରାଷ୍ଟ୍ରରେ ୧୨୬୦, କର୍ଣ୍ଣାଟକରେ ୧୦୯, ଓ ଉତ୍ତର ପ୍ରଦେଶରେ ୨୦୧୮ରେ ମୋଟ ୯୦୨ ମାମଲା ଦାଏର ହୋଇଥିଲା ।

ଓଡ଼ିଶା ସଂପର୍କରେ ଏହି ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ୨୦୧୮ ମସିହାରେ ୮୩ ହଜାର ୭୬୯ଟି ଧର୍ତ୍ତବ୍ୟ ଅପରାଧ ପୁଲିସ ରେକର୍ଡକୁ ଆସିଛି। ଏ ମଧ୍ୟରେ ୧୩୭୮ ହତ୍ୟାକାଣ୍ଡ ଘଟିଛି। ହେଲେ ୩୦୭୦ ହତ୍ୟା ଉଦ୍ୟମ ମାମଲା ବି ରୁଜୁ ହୋଇଛି।

ରାଜ୍ୟ ସରକାର ନିଶା ନିବାରଣ କ୍ଷେତ୍ରରେ ଏଯାଏ କଡ଼ା ପଦକ୍ଷେପ ନ ନେବା କାରଣରୁ ଏବର୍ଷ ବି ୫୨୩୪ ଜଣଙ୍କର ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି, ଯାହା ହୃଦୟ ଥରାଇ ଦେବା ଭଳି। ୪୩୧୨ଟି ମାମଲାରେ ଦୁର୍ଘଟଣା ଘଟାଇ ଖସିଯାଇଛି ଗାଡି। ପୁଲିସ ଟ୍ରାଫିକ୍ ପାଇଁ ଏତେ ବ୍ୟସ୍ତ ହୋଇପଡୁଛନ୍ତି। ଅଥଚ ୧୯୪୧ଟି ମାମଲା ରୁଜୁ ‌େହାଇଛି, ଯେଉଁଥିରେ ବେପରୁଆ ଗାଡି ଚାଳନା କରାଯାଇଛି। ୧୨୦୭ଟି ମାମଲାରେ ଏମାନଙ୍କ ଦ୍ବାରା ଲୋକେ ଆଘାତପ୍ରାପ୍ତ ହୋଇଛନ୍ତି।ଏଭଳି ଦୁର୍ଘଟଣା ଜନିତ ଗୁରୁତର ହୋଇଥିବା ଲେକାଙ୍କ ସଂଖ୍ୟା ବି କିଛି କମ୍ ନୁହେଁ।

ସେହିଭଳି ରାଜ୍ୟ ସରକାର ମା’କୁ ସମ୍ମାନ କଥା କହୁଥିଲେ ହେଁ, ଏହି ରିପୋର୍ଟ କିନ୍ତୁ ଭିନ୍ନ ଚିତ୍ର ବୟାନ କରୁଛି। ଦିନକୁ ହାରାହାରି ୧୬ ଜଣ ମହିଳାଙ୍କ ଉପରେ ଆକ୍ରମଣ ହେଉଛି। ଏବର୍ଷ ୫୮୨୯ଟି ଏଭଳି ଘଟଣା ରେକର୍ଡ ହୋଇଛି। ଯୌନ ନିର୍ଯାତନା ହାର ବି କଛି କମ୍ ନାହିଁ। ୧୨୪୧ଟି ମାମଲା ଅର୍ଥାତ୍ ପ୍ରତିଦିନ ୩ରୁ ୪ଜଣ ଯୁବତୀ ବା ମହିଳା ଏଭଳି କଦର୍ଯ୍ୟ ପରିସ୍ଥିତିର ସାମ୍ନା କରୁଛନ୍ତି। ଦିନକୁ ୨ରୁ ଅଧିକ ମହିଳା ଅର୍ଥାତ୍ ୯୧୮ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍ବାମୀ ବା ସଂପର୍କୀୟଙ୍କ ଦ୍ବାରା ନିର୍ଯାତନା ଜନିତ ମାମଲା ସଂଖ୍ୟା ବି ୧୯୮୪।

‘ଛପାକ୍‌’ ଚଳଚ୍ଚିତ୍ରକୁ ନେଇ ସମଗ୍ର ଦେଶରେ କମ୍ପନ ସୃଷ୍ଟି ହୋଇଛି। ହେଲେ ଓଡ଼ିଶାରେ ୧୩ଟି ଏସିଡ୍ ଆକ୍ରମଣ ଘଟଣା ଘଟିଛି। ୩୭୨ ଜଣ ମହିଳା ଯୌତୁକ ପାଇଁ ପ୍ରାଣ ହରାଇଛନ୍ତି। ୧୩୧ ଜଣଙ୍କୁ ଜୋର ଜବରଦସ୍ତ ବିବାହ କରିବା ଲାଗି ଅପହରଣ କରାଯାଇଥିଲା। ୬୭ ଜଣଙ୍କୁ ଚାଲାଣ କରାଯାଇଛି।

ରିପୋର୍ଟ ସୂଚାଉଛି, ଲୋକଙ୍କ ଧନଜୀବନ ବି ବିଶେଷ ସୁରକ୍ଷିତ ନାହିଁ। ୩୧୫୧ଟି ମାମଲା ରୁଜୁ ହୋଇଛି, ଯେଉଁଠାରେ ଅପରାଧୀ ଅଟୋ ବା ମୋଟର ଯାନ ଚୋରାଇ ନେଇଛନ୍ତି। ୩୭୧୩ଟି ଡକାୟତି ହୋଇଛି। ପୁଲିସ ଆଖିରେ ଆଖି ମିଳାଇ ୮୮ଟି ମାମଲାରେ ଦିନରେ ଡକାୟତି କରିଛନ୍ତି ଅପରାଧୀ। ୪ଟି ବ୍ୟାଙ୍କ ଓ ୨୩ଟି ଏଟିଏମରେ ଦୁର୍ବୃତ୍ତ ଅପରାଧ ଘଟାଇଛନ୍ତି।

ସମ୍ବନ୍ଧିତ ଖବର