ପ୍ରକାଶ ପାଇଲା ଏନ୍‌ସିଆର୍‌ବିର ‘କ୍ରାଇମ୍‌ ଇନ୍ ଇଣ୍ଡିଆ-୨୦୧୯’ ରିପୋର୍ଟ : ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଛି

ନୂଆଦିଲ୍ଲୀ : ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ମାମଲାରେ ୧୪.୩୪ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ ମସିହାରେ ଏ ସମ୍ପର୍କିତ ମାମଲା ସଂଖ୍ୟା ଥିଲା ୨୦,୨୭୪। ୨୦୧୯ ମସିହାରେ ଏହା ୨୩,୧୮୩ରେ ପହଞ୍ଚିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟ ପ୍ରକାଶିତ ‘କ୍ରାଇମ ଇନ ଇଣ୍ଡିଆ-୨୦୧୯’ ରିପୋର୍ଟରୁ ଏହା ଜଣାପଡ଼ିଛି।

‘କ୍ରାଇମ ଇନ୍ ଇଣ୍ଡିଆ-୨୦୧୯’ ତଥ୍ୟରେ ଓଡ଼ିଶାର ବିଭିନ୍ନ ମାମଲାର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି। ତଦନୁଯାୟୀ, ମହିଳାଙ୍କ ସମ୍ପର୍କିତ ସାଇବର୍‌ କ୍ରାଇମ୍‌ ଅପରାଧରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୧୯ ମସିହାରେ ସମଗ୍ର ଦେଶରେ ଏ ସମ୍ପର୍କିତ ସମୁଦାୟ ୧୬୨୧ଟି ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ଓଡ଼ିଶାର ମାମଲା ସଂଖ୍ୟା ୩୯୦ ହୋଇଥିବାବେଳେ ୩୨୯ଟି ମାମଲା ସହ ଆସାମ ଦ୍ବିତୀୟ ସ୍ଥାନରେ ରହିଛି। ସେହିଭଳି, ଓଡ଼ିଶାରେ ମହିଳାଙ୍କୁ ସମ୍ମାନହାନି ଉଦ୍ଦେଶ୍ୟରେ ଆକ୍ରମଣ ମାମଲାରେ ୫୦.୫ ପ୍ରତିଶତ ବୃଦ୍ଧି ଘଟିଛି। ମହିଳାଙ୍କୁ ଉଲଗ୍ନ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଆକ୍ରମଣ ଓ ଆପରାଧିକ ବଳ ପ୍ରୟୋଗ କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ଏ ସମ୍ପର୍କିତ ୨୮୧୬ ମାମଲା ପଞ୍ଜିକୃତ ହୋଇଛି।

ଅନ୍ୟପକ୍ଷରେ, ଓଡ଼ିଶାରେ ଏହି ବର୍ଷ ୩୯୩୪ଟି ଅପହରଣର ମାମଲା, ସ୍ୱାମୀ ଓ ତାଙ୍କର ସମ୍ପର୍କୀୟଙ୍କର ୨୭୩୯ କ୍ରୂରତା ମାମଲା, ୧୩୮୨ ବଳାତ୍କାର ମାମଲା, ଯୌତୁକ ନିରୋଧୀ ଆଇନର ୨୪୩ ମାମଲା,୧୯୧ଟି ବଳାତ୍କର ଉଦ୍ୟମ ମାମଲା, ମହିଳାଙ୍କ ସମ୍ମାନକୁ ଅପମାନ କରିବାର ୫୩୬ଟି ମାମଲା, ୩୪୨ଟି ଯୌତୁକ ହତ୍ୟାଜନିତ ମାମଲା, ବାଳିକା ଯୌନ ଅପରାଧର ୨୦୩୬ ମାମଲା ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହିଳା ଅତ୍ୟାଚାର ସମ୍ପର୍କିତ ଆଇପିସିର ୨୦୪୮୮ଟି ମାମଲା ପଞ୍ଜିକୃତ କରାଯାଇଥିବାବେଳେ ଏସ୍‌ଏଲ୍‌ଏଲ୍‌ ଅନ୍ତର୍ଗତ ୨୬୯୫ ମାମଲା ରହିଥିବାର ରିପୋର୍ଟରେ କୁହାଯାଇଛି। ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନର ୧୦.୦ ପ୍ରତିଶତ ରହିଥିବାବେଳେ ୯୬.୫ ମାମଲା ବିଚାରାଧୀନ ଥିବାର ରିପୋର୍ଟରେ ଉଲ୍ଲେଖ ଅଛି।

‘କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୯’ରେ ଶିଶୁମାନଙ୍କ ଉପରେ ଅତ୍ୟାଚାର ଘଟଣାରେ ଓଡ଼ିଶା ୨୦୧୮ ତୁଳନାରେ ୨୦୧୯ରେ ସଂଖ୍ୟା ବୃଦ୍ଧି ପାଇଥିବାର କୁହାଯାଇଛି। ୨୦୧୯ରେ ଶିଶୁମାନଙ୍କ ଉପରେ ୭୦୧୨ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୮ରେ ଏହାର ସଂଖ୍ୟା ୫୨୧୭ ରହିଥିଲା। ଓଡ଼ିଶାରେ ୨୦୧୯ରେ ଜୁଭେନାଇଲ ଅପରାଧରେ ବୃଦ୍ଧି ହୋଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୧୮ରେ ଓଡ଼ିଶାରେ ଜୁଭେନାଇଲ୍ ଅପରାଧର ସଂଖ୍ୟା ୧୦୭୮ ଥିବାବେଳେ ଏହି ସଂଖ୍ୟା ୨୦୧୯ରେ ୧୧୬୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ବରିଷ୍ଠ ନାଗରିକଙ୍କ ବି‌ରୋଧରେ ଅତ୍ୟାଚାର ମାମଲା ହ୍ରାସ ପାଇଛି। ତେବେ, ଅନୁସୂଚିତ ଜାତି ସମ୍ପ୍ରଦାୟଙ୍କ ବିରୋଧରେ ହିଂସାର ଘଟଣା ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଅନୁସୂଚିତ ଜାତିଙ୍କ ବିରୋଧରେ ୨୦୧୮ରେ ୧୭୭୮ଟି ମାମଲା ଥିବାବେଳେ ୨୦୧୯ରେ ୧୮୮୬ ଅତ୍ୟାଚାର ମାମଲା ରହିଛି। ରିପୋର୍ଟରେ ଅନୁସୂଚିତ ଜନଜାତିଙ୍କ ବିରୋଧରେ ଅତ୍ୟ‌ାଚାର ମାମଲା ସଂଖ୍ୟା ୫୫୭ ଥିଲା। ୨୦୧୯ ମସିହାରେ ଏହା ୫୭୬କୁ ବୃଦ୍ଧି ପାଇଥିବା ରିପୋର୍ଟରେ ଜଣାପଡ଼ିଛି। ସାଇବର ଅପରାଧ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି। ୨୦୧୮ରେ ୮୪୩ ସାଇବର ଅପରାଧ ମାମଲା ଥିବାବେଳେ ୨୦୧୯ ମସିହାରେ ଏହି ସଂଖ୍ୟା ୧୪୮୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର