ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁ କହିଲେ- ସମସ୍ତଙ୍କର ସହଯୋଗ କାମନା କରୁଛି

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ନିକଟତର ହୋଇ ଆସୁଥିବା ବେଳେ ମଙ୍ଗଳବାର ରାତିରେ ଏନ୍‌ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମା ଘୋଷଣା କରିଛି। ଏନ୍‌ଡିଏ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜର ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଦେଶ‌ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସର୍ବପ୍ରଥମେ ଏନ୍‌ଡିଏକୁ ଧନ୍ୟବାଦ ଜଣାଉଛି। ଏଥି ପାଇଁ ମୁଁ ସମସ୍ତଙ୍କର ସହଯୋଗ କାମନା କରୁଛି। ଆମ ରାଜ୍ୟରେ ଯେହେତୁ ମୋର ଅଧିକାର ଅଛି, ତେଣୁ ଆମ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କୁ ମଧ୍ୟ ମୋତେ ସମର୍ଥନ ଜଣାଇବା ପାଇଁ ନିବେଦନ କରିବି। ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ମୋତେ ଯାହା ଦାୟିତ୍ବ ଦିଆଯିବ, ତାହାକୁ ସାମ୍ବିଧାନିକ ନିୟମ ଅନୁସାରେ ଆନ୍ତରିକତାର ସହିତ ପାଳନ କରିବି। ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମୋ ନାମ ଚର୍ଚ୍ଚା ହେଉଥିଲା। କିନ୍ତୁ ନିର୍ବାଚନ ସମୟରେ ଏମିତି ଚର୍ଚ୍ଚା ହେବା ସ୍ବାଭାବିକ। ସେହି ସମୟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍ସାହିତ ନଥିଲି। ଏନଡିଏ ଯାହାଙ୍କର ନାମ ଘୋଷଣା କରିବ, ସେଥିରେ ମୁଁ ଖୁସିହେବି ବୋଲି ଚିନ୍ତା କରିଥିଲି ବୋଲି ସେ କହିଛନ୍ତି।

ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଲି ଯେ, ମୋତେ ଏନ୍‌ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଥବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋ ସହିତ କେହି କଥା ହୋଇ ନଥିଲେ। ମୁଁ ଭାବୁଛି ‘ଏନ୍‌ଡିଏ’ର ଶ୍ଲୋଗାନ୍‌ ସବ୍‌ କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଆଧାରରେ ପ୍ରାର୍ଥୀ ଚୟନ ହୋଇଛି। ଦଳିତ ତଥା ଆଦିବାସୀମାନଙ୍କୁ ପ୍ରେରଣା ଦେବା, ତାଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଏଭଳି ନାମ ଘୋଷଣା ହୋଇଥାଇ ପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଓଡ଼ିଶାର ମୟୂରଭଞ୍ଜରେ ଜନ୍ମିତ ଶ୍ରୀମତୀ ମୁର୍ମୁ କାଉନସିଲରରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୦୦ ରୁ ୨୦୦୪ ଯାଏଁ ବିଧାୟକ ଥିବାବେଳେ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ। ପର ମୁହୂର୍ତ୍ତରେ ଝାଡ଼ଖଣ୍ଡ ରାଜ୍ୟପାଳ ହୋଇଥିଲେ।

ସମ୍ବନ୍ଧିତ ଖବର