ଦଶପଲ୍ଲା : ୧୬ ବର୍ଷ ବୟସରେ ଆଦିବାସୀ ନାବାଳିକା ଦାଦନ ଖଟୁଛନ୍ତି। ବାପା ରୋଗଗ୍ରସ୍ତ, ଚାଲିବାକୁ ଅକ୍ଷମ। ମା’ ମୃତ। ଶୈଶବରେ ଭାଇଭଉଣୀ। ଏଭଳି ଏକ ପରିବାର କଥା ଚିନ୍ତା କଲେ ସ୍ତବ୍ଧ ହେବାକୁ ପଡ଼େ। ଖାଦ୍ୟ ନାହିଁ କି ଶୀତ ଦିନ ହୋଇଥିବାରୁ ଶୀତ ପୋଷାକ ବି ନାହିଁ। ବାପାଙ୍କ ଯନ୍ତ୍ରଣା ଉପଶମ ପାଇଁ ଔଷଧ ନଥିବା ବେଳେ ଡାକ୍ତର କହୁଛନ୍ତି ଗୋଟିଏ ଗୋଡ଼ କଟାଯିବ। ଏତେ ସବୁ ସମସ୍ୟାର ବୋଝ ମୁଣ୍ଡେଇବାକୁ ପଡ଼ିଛି ଆଦିବାସୀ ନାବାଳିକା ତୁଳସୀ ଜାନୀଙ୍କୁ।

Advertisment

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ସରିଗଣ୍ତା ପଞ୍ଚାୟତର ସାତଝରୀସ୍ଥିତ ମେଡ଼ୁକୁପା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆଦିବାସୀ ସମୁଦାୟର ଛବି ଜାନୀ (୪୫)ଙ୍କ ପରିବାର କହିଲେ ପତ୍ନୀ ସୁବା ଜାନୀ (ମୃତ), ଦୁଇ ଝିଅ ତୁଳସୀ(୧୬), ସରସ୍ବତୀ(୧୦) ଏବଂ ପୁଅ ଆଲୋକ(୮)। ଝାଟି ମାଟି ଅଧାଗଢ଼ା କୁଡ଼ିଆରେ ପରିବାର ବସବାସ କରୁଛନ୍ତି। ବ‌ର୍ଷେ ତଳେ ପିଣ୍ଡାରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡ଼ିଥିଲା। ଯେଉଁଥିରୁ ସେ ବଞ୍ଚିଯାଇଥିବା ବେଳେ ଗୋଡ଼ ଏବେ ଅଚଳ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଦିନ ମଜୁରୀ କରୁଥିବା ଛବି ବାହାରକୁ ଯାଇ ନପାରିବା ବେଳେ, ଝିଅ ତୁଳସୀ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ। ଆଜିକୁ ୧୨ ଦିନ ହେବ ସେ ଘରକୁ ଫେରିଛନ୍ତି। ସେ ଘରେ ପହଞ୍ଚିବା ପରଦିନ ଅର୍ଥାତ୍‌ ଆଜିକୁ ୧୧ ଦିନ ତଳେ ସାପ କାମୁଡ଼ାରେ ମା’ଙ୍କ ମୃତ୍ୟୁ ହୋଇଯାଇଛି। ବର୍ଷେ ତଳେ ନାବାଳିକା ଜଣକ ଦାଦନ ଯାଇଥିଲେ ବି ଲକ୍‌ଡାଉନ୍‌ ଯୋଗୁଁ କିଛି ରୋଜଗାର କରିପାରି ନଥିଲେ କି ଘରକୁ ମଧ୍ୟ ଟଙ୍କା ପଠାଇ ପାରିନଥିଲେ।

ଛବି ରୋଗଗ୍ରସ୍ତ ହେବା ପରେ ପତ୍ନୀ ସୁବା ନିକଟସ୍ଥ ଜଙ୍ଗଲରୁ ଆଳୁ ଏବଂ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା ପରେ ସେଥିରେ ପରିବାର ଚଳାଇବା ସହ ସ୍ବାମୀଙ୍କ ପାଇଁ କିଞ୍ଚିତ୍‌ ଔଷଧ ଖର୍ଚ୍ଚ ତୁଲାଉଥିଲେ। ବାପାଙ୍କ ଚିକିତ୍ସା ପାଇଁ ତୁଳସୀ କମ୍ପାନିରୁ ୨୦ ହଜାର ଟଙ୍କା ଧାର୍‌ କରି ଗତ ୨୦ ତାରିଖ ଦିନ ଘରେ ପହଞ୍ଚିଥିଲେ। ପରଦିନ ଅର୍ଥାତ୍ ୨୧ ତାରିଖ ରାତିରେ ସାପକାମୁଡ଼ାରେ ମା’ଙ୍କ ମୃତ୍ୟୁ ହୋଇଗଲା। ଏବେ ତୁଳସୀଙ୍କ କାନ୍ଧରେ ରୋଗଗ୍ରସ୍ତ ବାପା, ଭାଇ ଓ ଭଉଣୀଙ୍କ ବୋଝ। କେମିତି ସମ୍ଭାଳିବେ, ସମୟ କହିବ।