ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ: ଭଦ୍ରକ ଓ ଜଗତ୍‌ସିଂହପୁର ଗଲେ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌

ଭୁବନେଶ୍ୱର: ଓଡ଼ିଶାର ସ୍ଥଳଭାଗ ଆଡ଼କୁ କ୍ରମେ ଅଗ୍ରସର ହେଉଥିବା ସାମୁଦ୍ରିକ ବାତ୍ୟା ‘ଫନି’ ପାଇଁ ସତର୍କତା ଅବଲମ୍ବନ ସ୍ୱରୂପ ମେ ଦୁଇ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି। ପରବର୍ତ୍ତୀ ସୂଚନା ନ ମିଳିବାଯାଏଁ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ଭୀଷଣ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌ ତା’ର ଟିମ୍‌ ପଠାଇଲାଣି। ଏନ୍‌ଡିଆର୍‌ଏଫ୍‌ର ତିନିଟି ଟିମ୍‌ ଜଗତ୍‌ସିଂହପୁର ଏବଂ ଦୁଇଟି ଟିମ୍‌ ଭଦ୍ରକ ଯାଇଛନ୍ତି।

ମେ ୩ ତାରିଖ ଅପରାହ୍ଣରେ ବାତ୍ୟା ସମୁଦ୍ର ମଧ୍ୟରୁ ବାହାରି ସ୍ଥଳଭାଗକୁ ମାଡ଼ି ଆସିବ। ଏହା ଚାନ୍ଦବାଲି ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗକୁ ଆସିବାର ଯଥେଷ୍ଟ ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ପ୍ରତି ସାମୁଦ୍ରିକ ବାତ୍ୟା ପୁରୀ ଠାରୁ ୭୦୦ କିଲୋମିଟର ଦୂରରେ ରହିଛି।

ସମ୍ବନ୍ଧିତ ଖବର