ଏଥର ସପ୍ତାହବ୍ୟାପୀ ପାଳନ ହେବ ବିଜୁ ବାବୁଙ୍କ ଜୟନ୍ତୀ

ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ପାଳନ
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
ଜନ୍ମସ୍ଥାନ କଟକରୁ ଆରମ୍ଭ ହେବ କାର୍ଯ୍ୟକ୍ରମ

ଭୁବନେଶ୍ବର :ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଧା ସ୍ବପ୍ନ ଓ ଓଡ଼ିଶାବାସୀଙ୍କ ବିକାଶ ପାଇଁ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ଗଠନ ହୋଇଥିଲା। ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଲାଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ସମସ୍ତ ବ୍ଲକ୍‌ ଓ ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନେଇ ଏକ ପ୍ରାକ୍ ପ୍ରସୁତି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଦଳର ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ କହିଥିଲେ, ବିଜେଡିର ପଞ୍ଚମ ପାଳିର ସରକାରକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିବସରେ କଟକସ୍ଥିତ ତାଙ୍କ ଜନ୍ମସ୍ଥାନରୁ ଏକ ଶୋଭାଯାତ୍ରା ବାହାରି ବାଲିଯାତ୍ରା ପଡ଼ିଆରେ ଏକାଠି ହେବ। ଏଥିରେ ଦଳର ସମସ୍ତ ଛାମୁଆ ସଂଗଠନ, ଯୁବ, ମହିଳା, ଛାତ୍ର ସାମିଲ ହେବେ। ଏହାସହିତ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକ୍‌ ସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୭ ଦିନ ବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ସାହସିକତା ଓ ଓଡ଼ିଶା ଗଠନ କରିବାରେ ତାଙ୍କର ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରାଯାଇଛି। ଏହାସହ ସରକାରଙ୍କ ସଫଳତା ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପ୍ରସ୍ତାବିତ ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ଉଷାଦେବୀ, ବିଧାୟିକା ପ୍ରମିଳା ମଲ୍ଲିକ୍‌, ରାଜ୍ୟ କାର୍ଯ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା, ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର