କଟକ: ଚୌଦ୍ୱାରରେ ଐତିହାସିକ ସ୍ଥଳ, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ)ର ସଂରକ୍ଷିତ ଅଞ୍ଚଳ ନଷ୍ଟ କରୁଛନ୍ତି ରାଜ୍ୟ ସରକାର ଓ ଇଡ୍କୋ। ବାରମ୍ବାର ଚିଠି ଦିଆଯିବା ସତ୍ତ୍ବେ ଶୁଣୁ ନାହାନ୍ତି। ପୂର୍ବରୁ ମୁଖ୍ୟଶାସନ ସଚିବ ତଥା ରାଜ୍ୟ ସରକାରଙ୍କ ଉଚ୍ଚପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ଇଡ୍କୋ ଏହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରୁନାହିଁ। ଫଳରେ ଇଡ୍କୋ ପକ୍ଷରୁ ଚାଲିଥିବା କାମ ବନ୍ଦ କରିବା ପାଇଁ ଏଏସ୍ଆଇ ପକ୍ଷରୁ ସୁପରିଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟ ଡକ୍ଟର ଡି.ବି. ଗଡନାୟକ କଟକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏଏସ୍ଆଇ ଦ୍ବାରା ଚିହ୍ନଟ ହୋଇଥିବା ଐତିହ୍ୟସ୍ଥଳୀ ତଥା ବିରାଟ ଗାଦି ଅଞ୍ଚଳରେ ଶିଳ୍ପ ପାଇଁ ବଡ ବଡ ମେସିନ୍ ଲଗାଇ ପାଚେରୀ ଓ ରାସ୍ତା କାମ ଇଡ୍କୋ କରୁଥିବା ବେଳେ ଏହାଦ୍ବାରା ବହୁ ପ୍ରାଚୀନ ଗଙ୍ଗବଂଶର ଐତିହ୍ୟ ଓ କୀର୍ତ୍ତିରାଜି ଅସୁରକ୍ଷିତ ହୋଇପଡିଛି। ଶିଳ୍ପ ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟ ବେଳେ ଏସବୁ ସ୍ଥାନକୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାହାକୁ ପାଳନ କରାଯାଉ ନଥିବା ଚିଠିରେ ଦର୍ଶାଯାଇଛି।
ଚୌଦ୍ବାରରେ ଶିଳ୍ପ ପାଇଁ ରାଜ୍ୟ ସରକାର ଓଟିଏମ୍ ଜମିରେ ୱେଲ୍ସ୍ପନ୍କୁ ପାଖାପାଖି ୫୦୦ ଏକର ଜମି ଦେଇଛନ୍ତି। ସେହି ଜମିରେ ୩ ହଜାର ୫୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ୱେଲସ୍ପନ୍। ରାଜ୍ୟର ପ୍ରଥମ ଶିଳ୍ପନଗରୀ ଚୌଦ୍ବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟନଶିଳ୍ପ କମ୍ପାନି ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଗତ ଫେବ୍ରୁଆରି ୧୭ରେ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପରେ ୩ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ କରାଯିବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଉକ୍ତ ପ୍ରକଳ୍ପ ପାଇଁ ଇଡ୍କୋ ପାଚେରୀ ଓ ରାସ୍ତା କାମ କରୁଛି। ତଥ୍ୟ ଅନୁଯାୟୀ ବିରୂପା ନଦୀ ମୁହାଣରେ ରହିଛି ଚୌଦ୍ବାର ଦୁର୍ଗ। ପଞ୍ଚକଟକ ଦୁର୍ଗମଧ୍ୟରୁ ଏହା ଅନ୍ୟତମ। ଏହି ଦୁର୍ଗ ଚୋଡ ଗଙ୍ଗଦେବଙ୍କ ସମୟରେ ନିର୍ମାଣ ହୋଇଥିବା ଓ ଗଙ୍ଗବଂଶର ଇତିହାସ କହୁଛି। ଏହା ଓଡିଶାର ପୁରାତନ ରାଜଧାନୀ। ଚୌଦ୍ବାରରେ ଅନେକ ମନ୍ଦିର ରହିଛି। ଯାହା ବର୍ତ୍ତମାନ ଭଗ୍ନ ଅବସ୍ଥାର ରହିଛି।
ଯାହାକି ଆଗ୍ରାହାଟ, ଯାଜଭୈରବ, ମୁଣ୍ଡମାଳ, ଛତିଶା, ବନ୍ଦାଳ, ଗୋବିନ୍ଦଜୀଉପାଟଣା, କପାଳେଶ୍ବର ଓ କେଦାରେଶ୍ବରର ଚାରିପାଖରେ ରହିଛି। ମଧ୍ୟଯୁଗୀୟ ଶିବ ମନ୍ଦିର କେଦାରେଶ୍ବର ଏହି ଦୁର୍ଗରେ ଅବସ୍ଥିତ। ୨୦୦୪/୨୦୦୫ରେ ହୋଇଥିବା ସର୍ଭେରେ ୧୯୩୭ ମସିହାରୁ ଚୌଦ୍ବାରର ୧୪୫୦ ଏକର ଜମିକୁ ସଂରକ୍ଷିତ କରାଯିବା ସହ ଏହି ସଂରକ୍ଷିତ ଅଞ୍ଚଳ ମଧ୍ୟରେ କୌଣସି କାର୍ଯ୍ୟ କରିବା ଉପରେ ରୋକ ଲଗାଇଛି ଏଏସ୍ଆଇ। କିନ୍ତୁ ଏହା ମଧ୍ୟରେ ଏଏସ୍ଆଇ ୩ଥର ଚିଠି ଦେବା ସତ୍ବେ ଇଡ୍କୋ ବଡ ବଡ ମେସିନ୍ ଲଗାଇ ପାଚେରୀ ଓ ରାସ୍ତା ନିର୍ମାଣ କରୁଛନ୍ତି। ବର୍ତମାନ ନିର୍ମାଣ କାର୍ଯ୍ୟ ଯୋଗୁଁ ଏସବୁ ଐତିହ୍ୟ ତଥା ସଂରକ୍ଷିତ ସ୍ଥାନ କ୍ଷତିଗ୍ରସ୍ତ ହେଉଛି। ତୁରନ୍ତ କାମ ବନ୍ଦ କରିବାକୁ (ଏଏସ୍ଆଇ)ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ଲେଖିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଅନ୍ୟପଟେ ଏତେ ସ୍ଥାନ ଖନନ କରି ଏଏସଆଇ କଣ କରିବ ବୋଲି ଇଡ୍କୋ ପକ୍ଷରୁ ପ୍ରଶ୍ନ କରାଯାଉଛି। ଇଡ୍କୋ ପକ୍ଷରୁ ୧୦ କିଲୋମିଟର ସ୍ଥାନରେ ପାଚେରୀ ବୁଲାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୪/୫ କିଲୋମିଟର ପାଚେରୀ ଘେରା ଯାଇଛି।