ବିଭିନ୍ନ ଷ୍ଟେସନରେ ପହଞ୍ଚିଲା ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର : ଆଜି ସକାଳୁ ବିଶାଖାପାଟଣା ରେଳ ଷ୍ଟେସନ୍‌ରୁ ସ୍ୱତନ୍ତ୍ର ପାର୍ସଲ୍ ଏକ୍ସପ୍ରେସ୍ ଦ୍ୱାରା ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନରେ ପହଞ୍ଚିଛି। ଔଷଧ କାର୍ଟୁନ୍ ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ରାୟଗଡ଼ା ଆଦି ଷ୍ଟେସନ୍‌ରେ ପହଞ୍ଚିଛି। ସେଗୁଡ଼ିକୁ ଷ୍ଟେସନରେ ଖଲାସ କରାଯାଇଛି। କେସିଙ୍ଗାରେ ମେଡିକାଲ୍ ଯନ୍ତ୍ରପାତି ମଧ୍ୟ ଖଲାସ ହୋଇଛି। ବିଶାଖାପାଟଣା ରେଳ ଷ୍ଟେସନ୍‌ରୁ ଦୁଗ୍ଧ ପାଉଡର୍ ଓ ଅନ୍ୟାନ୍ୟ ଔଷଧ ସାମଗ୍ରୀ ବୋଝେଇ କରି ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଖଲାସ କରାଯାଇଛି। ବିଜୟନଗରମ୍‌ରୁ ବଲାଙ୍ଗିର ଓ ଟିଟିଲାଗଡ଼କୁ ପଇଡ଼ ଆସିଛି। ବିଜୟନଗରମ୍‌ରୁ ଗ୍ରୋସରି ସାମଗ୍ରୀ ରାୟଗଡ଼ାଠାରେ ପହଞ୍ଚିଛି।

ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ୩୩୬୪ ଟନ୍ (୬୫୮୯୮ ବ୍ୟାଗ୍‌) ଗହମ ୫୮ଟି ୱାଗନ୍‌ରେ ମଧ୍ୟପ୍ରଦେଶର ଗର୍‌ହା ଷ୍ଟେସନ୍‌ରୁ କଟକ ଷ୍ଟେସନ୍‌କୁ ଆସିଛି। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଫଳରେ ସାରା ଦେଶରେ ତାଲାବନ୍ଦ ହୋଇଥିବା ବେଳେ ଭାରତୀୟ ରେଳପଥ ବାଧାହୀନଭାବେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ପରିବହନ କରି ଦେଶର ବିଭିନ୍ନ ପ୍ରାନ୍ତରରେ ପହଞ୍ଚାଇବାର ଗୁରୁଦାୟିତ୍ୱ ବହନ କରିଛି। ଏହାକୁ ସାକାର କରିବାକୁ ଅବିରାମ ଗତିରେ ମାଲବାହୀ ଟ୍ରେନ୍ ଓ ପାର୍ସଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି। ଭାରତୀୟ ରେଳପଥ ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, ଦୁଗ୍‌ଧ, ଜାଳେଣି ତୈଳ, ଚିନି, ଲୁଣ ଓ ଔଷଧ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଜାରି ରହିଛି।

ସମ୍ବନ୍ଧିତ ଖବର