ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକରେ ଚିନ୍ତା
ଚଢ଼ଉ ପାଇଁ ଡ୍ରଗ୍ସ୍ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ
ଆନ୍ତର୍ଜାତିକ ବିମାନବନ୍ଦରରେ ସ୍ଥାୟୀ ସ୍କାନିଂ ବ୍ୟବସ୍ଥା
ଭୁବନେଶ୍ବର : ତାଲାବନ୍ଦ ସମୟରେ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର କହିଆସୁଛନ୍ତି। କିନ୍ତୁ ଏବେ ଓଡ଼ିଶା ବଜାରରେ ସାଧାରଣ ଜୀବନ ରକ୍ଷାକାରୀ ଔଷଧ ମିଳୁନି। ଏହାକୁ ନେଇ ଆଜି ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରୀଗୋଷ୍ଠୀ ବୈଠକରେ ଘମାଘୋଟ ଆଲୋଚନା ହୋଇଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଔଷଧ କାରବାର କରୁଥିବା କିଛି ସି ଆଣ୍ଡ୍ ଏଫ୍ ଏଜେଣ୍ଟ୍ ଓ ବଡ଼ ବଡ଼ ଷ୍ଟକିଷ୍ଟ୍ ଏସବୁ ଔଷଧ ମହଜୁଦ୍ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଏ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଏସବୁ ମହଜୁଦକାରୀ ଔଷଧ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ଡ୍ରଗ୍ସ୍ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ସେହିପରି ତାଲାବନ୍ଦ ସମୟରେ ଶ୍ରମିକ ସମସ୍ୟା ଏକ ବଡ଼ ଆହ୍ବାନ। ଶ୍ରମିକଙ୍କ ଅଭାବ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍ ସମୟରେ ଠିକଣା ଯାଗାରେ ପହଞ୍ଚିପାରୁନି। ଏ ନେଇ ମଧ୍ୟ ମନ୍ତ୍ରୀଗୋଷ୍ଠୀ ଉଦବେଗ ପ୍ରକାଶ କରିଥିଲା। ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସୁରୁଖୁରୁରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ, ସେଥିପାଇଁ ଏକ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ପରିବହନ, ଶ୍ରମ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
କରୋନାର ପ୍ରକୋପକୁ ଉପଲବ୍ଧି କରି ଏଣିକି ସବୁ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରେ ସ୍ଥାୟୀ ଭାବେ ସ୍କାନିଂ ବ୍ୟବସ୍ଥା କରିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ପ୍ରତ୍ୟେକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଉଚ୍ଚକ୍ଷମତା ସମ୍ପନ୍ନ ଥର୍ମାଲ୍ ଇନ୍ଫ୍ରାରେଡ୍ ମେସିନ ଲାଗିବ। ଯେ କୌଣସି ବିଦେଶାଗତ ବ୍ୟକ୍ତି ଆସିଲେ ତାଙ୍କୁ ବିମାନବନ୍ଦରେ ସ୍କାନିଂ କରାଯିବ। ଯଦି ସେ ବ୍ୟକ୍ତି ଅସୁସ୍ଥ ଥିବେ, ତା ହେଲେ ତାଙ୍କୁ ତୁରନ୍ତ ସେହିଠାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖି ଚିକିତ୍ସା କରାଯିବ। ଏଥିପାଇଁ ବିମାନବନ୍ଦରେ ଗୋଟିଏ ଡାକ୍ତରୀ ଦଳ ସ୍ଥାୟୀ ଭାବେ ନିୟୋଜିତ କରାଯିବ। ଏ ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/medicines.jpg)