ନାଇଟ୍ କର୍ଫ୍ୟୁ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କଲା ପୁଲିସ କମିସନରେଟ୍, ସଂଧ୍ୟା ୭ରୁ ସକାଳ ୭ ଅଣଜରୁରି କାମରେ ବାହାରିବା ମନା

ଭୁବନେଶ୍ୱର: ଗତକାଲି ଗୃହ ମନ୍ତ୍ରାଳୟ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ମେ ୩୧ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଥିଲେ। ସଂଶୋଧିତ ଗାଇଡଲାଇନରେ ସରକାର କହିଥିଲେ ଯେ, ଲକଡାଉନ ୩.୦ଭଳି ଲକଡାଉନ ୪.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ |

ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ଲକଡାଉନ୍ ୪.୦ ପାଇଁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ସନ୍ଧ୍ୟା ୭ ରୁ ସକାଳ ୭ ଟା ମଧ୍ୟରେ ଲୋକମାନଙ୍କର ଗମନାଗମନ “ସମ୍ପୂର୍ଣ୍ଣ ନିଷେଧ” କରାଯାଇଛି | ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ସନ୍ଧ୍ୟା ୭ ରୁ ସକାଳ ୭ ଟା ମଧ୍ୟରେ ଘରୁ ବାହାରିବା ନିଷେଧ ହୋଇଛି । ଏ ନେଇ ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ ପକ୍ଷରୁ  ସିଆରପିସିର ଧାରା ୧୪୪ ଅଧିନରେ [କର୍ଫ୍ୟୁ] ନିର୍ଦ୍ଦେଶନାମା ଜାରି କରାଯିବା ସହ ଏହାର କଠୋର ଅନୁପାଳନ କରାଯିବ ବୋଲି ସୂଚନା ଦିଆଯାଇଛି |

ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯିବ ପରେ ଆଜି କମିସନରେଟ ପୁଲିସ ପକ୍ଷରୁ ଟୁଇଟ କରାଯାଇ ଲୋକମାନଙ୍କୁ ଏହି ନିୟମ ପାଳନ କରିବାକୁ କୁହାଯାଇଛି | ଟୁଇଟ କରାଯାଇଥିବା ଚିଠିରେ ଗୃହ ମନ୍ତ୍ରାଳୟର ନିର୍ଦେଶ ବିଷୟରେ ଲେଖା ଯିବା ସହ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଲୋକଙ୍କୁ ‘ନାଇଟ୍ କର୍ଫ୍ୟୁ’ର ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଭୁବନେଶ୍ୱର-କଟକ ମହାନଗର ନିଗମ ଅଞ୍ଚଳରେ କୌଣସି ଅଣ-ଅତ୍ୟାବଶ୍ୟକ କାମ ପାଇଁ ଲୋକଙ୍କୁ ନ ବାହାରିବା ପାଇଁ କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ | ମେ ୩୧ପର୍ଯ୍ୟନ୍ତ ଏହି ନିୟମ ପାଳନ କରିବା ପାଇଁ ସେ ଚିଠିରେ ଲେଖିଛନ୍ତି |

ସମ୍ବନ୍ଧିତ ଖବର