ବାଇକ୍‌ରେ ଯିବା ବେଳେ ମାଞ୍ଜାସୂତାରେ କଟିଲା ବେକ

ଅଳ୍ପକେ ବର୍ତ୍ତିଲେ ମୃତ୍ତିକା ସଂରକ୍ଷଣ ବିଭାଗ କର୍ମଚାରୀ

ବାଲେଶ୍ବର: ମାଞ୍ଜା ସୂତାରେ କଟିଗଲା ବେକ। ଭାଗ୍ୟ ଜୋର୍‌ ଯୋଗୁଁ ମରଣମୁହଁରୁ ବଞ୍ଚି ଯାଇଛନ୍ତି ବାଲେଶ୍ବର ବାଲିଆ ଅଞ୍ଚଳର ଜଣେ ସରକାରୀ କର୍ମଚାରୀ। ମଙ୍ଗଳବାର ଅପରାହ୍‌ଣରେ ବାଲେଶ୍ବର ସହରରୁ ନିଜ ଘର ବାଲିଆ ବୃନ୍ଦାବତୀ ବିହାରକୁ ବାଇକ୍‌ରେ ଫେରୁଥିଲେ ଏହି ବ୍ୟକ୍ତି। ଫାଣ୍ଡିଛକସ୍ଥିତ ଓଭରବ୍ରିଜ୍‌ ଉପରେ ଯାଉଥିବାବେଳେ ଉପରେ ଉଡ଼ୁଥିବା ଏକ ଗୁଡ଼ିସୂତା ତାଙ୍କ ବେକରେ ଲାଗି ବାହାରି ଯାଇଥିଲା। ପ୍ରଥମେ କିଛି ଜାଣିପାରିନଥି‌ଲେ ମଧ୍ୟ ଘରକୁ ‌ଫେରିବା ପରେ ବେକରେ ୨/୩ ଇଞ୍ଚ୍‌ର ଏକ କଟାଦାଗ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ।

ସଂପୃକ୍ତ ବ୍ୟକ୍ତିଜଣକ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ବେଶୀ କିଛି ହୋଇନଥିବାରୁ ସେ ଏ ବାବଦରେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି। ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଞ୍ଜା ସୂତା ଯୋଗୁଁ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଛୋଟଛୋଟ ପକ୍ଷୀ ମରି ତଳେ ପଡ଼ୁଛନ୍ତି। ୩ ଦିନ ତଳେ କଟକରେ ମାଞ୍ଜା ସୂତା ଲାଗି ଜଣେ ବାଇକ୍ ଆରୋହୀଙ୍କର ଜୀବନ ଯାଇଥିଲା। ଦୁଇଚକିଆ ଯାନ ଆରୋହୀ, ପଥଚାରୀଙ୍କ ପାଇଁ ଏହା ଅତ୍ୟନ୍ତ ବିପଦଜନକ ହୋଇଥିଲେ ମଧ୍ୟ ଏଯାଏ ପୁଲିସ ଚେତିନାହିଁ। ଏପରିକି ଓଡ଼ିଶା ହାଇକୋର୍ଟ ମାଞ୍ଜା ସୂତା ବିକ୍ରି ଓ ଏହାର ବ୍ୟବହାର ଉପ‌ରେ କଟକଣା ଜାରି କରିଥିବାବେଳେ ବାଲେଶ୍ବରରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ସମ୍ବନ୍ଧିତ ଖବର