ବୌଦ୍ଧ: ଦେଶର ରାଜଧାନୀ ଦିଲ୍ଲୀକୁ ଏକଦା ବୌଦ୍ଧରୁ ରପ୍ତାନି ହେଉଥିଲା ପିଆଜ। କିନ୍ତୁ ଏହି ଅର୍ଥକରୀ ଫସଲର ଅମଳ ବୃଦ୍ଧି ପାଇଁ ଯେଭଳି ଉଦ୍ୟମ ହେବା କଥା ତାହା ଆଉ ହେଉ ନାହିଁ। ଅଧିକ ସଂଖ୍ୟାରେ ଚାଷୀ ଏଥିପ୍ରତି ଆକୃଷ୍ଟ ହେଉନାହାନ୍ତି। ଯେଉଁ କେତେକ ହାତଗଣତି ଚାଷୀ ପୂର୍ବରୁ ଚାଷ କରି ଲାଭବାନ ହୋଇଛନ୍ତି, କେବଳ ସେହିମାନେ ହିଁ ଏହି ଚାଷ କରୁଛନ୍ତି। ସେଥିରୁ କେତେକ ସରକାରୀ ଯୋଜନାରେ ସହାୟତା ପାଉଥିବା ବେଳେ ଅନ୍ୟମାନେ ସେଥିରୁ ବଞ୍ଚିତ ହେଉଛନ୍ତି। କେବେ ଭଲ ଅମଳ ହେଉଛି ତ ଆଉ କେବେ କ୍ଷତି ସହିବାକୁ ପଡ଼ୁଛି। ଏଥର କିନ୍ତୁ ଶୀତର ପ୍ରଭାବ ଅଧିକ ଦିନ ରହିଥିବାରୁ ପିଆଜ ଭଲ ଅମଳ ହୋଇଥିବା ସୂଚନା ମିଳିଛି। କିନ୍ତୁ ତାହା ପୂରା ଜିଲ୍ଲାର ଚାହିଦା ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ସେଥିପାଇଁ ମହାରାଷ୍ଟ୍ରର ବିଭିନ୍ନ ମଣ୍ଡିରୁ ଟନ୍ ଟନ୍ ପିଆଜ ଆମଦାନି ହୋଇଆସୁଛି।
ସୂଚନା ମୁତାବକ, ଏଥର ରବି ଋତୁରେ ଉଦ୍ୟାନ ବିଭାଗ ପକ୍ଷରୁ ୨୯୦ ହେକ୍ଟର ଜମିରେ ପିଆଜ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା। ନଭେମ୍ବର-ଡିସେମ୍ବରରେ ଚାଷୀମାନେ ଏହି ପିଆଜ ଚାଷ କରିଥିବା ବେଳେ ୧୦୦-୧୨୦ ଦିନ ପରେ ମାର୍ଚ୍ଚ-ଏପ୍ରିଲ୍ରେ ଏହା ଅମଳ ହେଉଛି। ଅନ୍ୟପକ୍ଷରେ ବିନା ସରକାରୀ ସହାୟତାରେ ମଧ୍ୟ କେତେକ ପିଆଜ ଚାଷ କରିଛନ୍ତି। ସେମାନେ ମୁଖ୍ୟତଃ ନିକଟସ୍ଥ ସାରବିହନ ଦୋକାନ ଉପରେ ନିର୍ଭରଶୀଳ। ଏଭଳି ସାରା ଜିଲ୍ଲାରେ ୧୫ ଶହରୁ ଅଧିକ ହେକ୍ଟର ଜମିରେ ପିଆଜ ଚାଷ ହୋଇଛି। ତେବେ ପିଆଜକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ ଜିଲ୍ଲାରେ ଶୀତଳଭଣ୍ଡାରର ଅଭାବ ରହିଛି। କେବଳ କିଛି ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ୪୦-୫୦ଟି ପିଆଜଘର ରହିଛି। ଶୀତଳଭଣ୍ଡାର ସ୍ଥାପନ ହେଲେ ଚାଷୀମାନେ ଅଧିକ ଲାଭବାନ ହୋଇପାରନ୍ତେ। ତେବେ ପିଆଜ ଚାଷକୁ ନେଇ ସଚେତନତା ବୃଦ୍ଧି କରାଯିବା ସହ ଚାଷୀମାନଙ୍କୁ ଆବଶ୍ୟକ ତାଲିମ ଦିଆଗଲେ ଜିଲ୍ଲାରେ ଏହାର ଅମଳ ବୃଦ୍ଧି ପାଇପାରନ୍ତା। ବଜାର ଚାହିଦା ପୂରଣ ପାଇଁ ବାହାର ରାଜ୍ୟରୁ ହେଉଥିବା ଆମଦାନିର ପରିମାଣ ହ୍ରାସ ଘଟିବା ସହ ସୁଲଭ ଦରରେ ଉପଲବ୍ଧ ହୋଇପାରନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/15/2f7ID1wslIgx2lBzWDOK.jpg)