ଯାଜପୁର/ଚଣ୍ଡିଖୋଲ: ସାମାଜିକ ଓ ସାମଗ୍ରିକ ସ୍ବାର୍ଥ ପାଇଁ ଯୁବସମାଜ କାମ କରିବା ଆବଶ୍ୟକ। ବୟସ ଯୁବକତ୍ବର ମାପକାଠି ନୁହେଁ। ଗଣତନ୍ତ୍ରରେ ମୌନତା ହିଁ ବ୍ୟବସ୍ଥାକୁ ବିପଦଗ୍ରସ୍ତ କରିଛି ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ସନ୍ଧ୍ୟାରେ ବଡ଼ଚଣା ବ୍ଲକ୍ର ସ୍ବାଧୀନତା ସଂଗ୍ରାମୀ ମାଟି ବାଲିପଡ଼ିଆ ଗ୍ରାମର ବାଲିପଡ଼ିଆ ଯୁବକସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଯୁବସମାଜକୁ ଆହ୍ବାନ ଦେଇ କହିଲେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ମାର୍ଗ ଅନୁସରଣ କରି ଅନ୍ୟାୟ ବିରୋଧରେ ତୁଣ୍ଡ ଖୋଲିବା ଆବଶ୍ୟକ। ସୁବିଧାସୁଯୋଗ ପାଇଁ ହେଉ କି ଅନ୍ୟ କାରଣରୁ ମୌନତା ହିଁ ଗଣତନ୍ତ୍ରକୁ ବିପଦଗ୍ରସ୍ତ କରିବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଥିଲେ। ସତ୍ୟ ହିଁ ଗଣତନ୍ତ୍ରକୁ ରକ୍ଷା କରିବା ସହିତ କ୍ଷମତାର ଅପପ୍ରୟୋଗକୁ ରୋକି ପାରିବ। ଗାନ୍ଧୀଜୀ ଓ ସ୍ବାଧୀନତା ସଂଗ୍ରାମୀ ସତ୍ୟକୁ ହିଁ ଅସ୍ତ୍ର କରିଥିଲେ। ଯୁବକମାନେ ସତ୍ୟର ପୂଜାରୀ ହେବା ଉଚିତ ବୋଲି ସେ କହିଥିଲେ।
ଉତ୍ସବର ଉଦ୍ଘାଟକ ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ବାଲିପଡ଼ିଆର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି କହିଲେ, ବ୍ୟକ୍ତି ବଡ଼ ନୁହେଁ, ସମଷ୍ଟି ବଡ଼। ଆଜିର ଏହି ସମାରୋହ ହିଁ ତାହାର ପରିଚୟ ଦେଉଛି। ଉତ୍ସବର ମୁଖ୍ୟବକ୍ତା ସାଂସଦ ଶର୍ମିଷ୍ଠା ସେଠୀ କହିଲେ, ବାଲିପଡ଼ିଆ ସ୍ବାଧୀନତା ସଂଗ୍ରାମୀମାଟିର ଦାୟାଦମାନେ ପିଢ଼ି ପରେ ପିଢ଼ିର ଆଦର୍ଶକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ନାଟକ ପ୍ରତିଯୋଗିତା ମାଧ୍ୟମରେ ଏହି ଯୁବକ ସଂଘ ଆଧୁନିକ ସହିତ ପୁରାତନକୁ ଯୋଡ଼ିବାକୁ ଉଦ୍ୟମ କରିଛନ୍ତି। ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଓ ଯୋଜନା ପାଇଁ ନାରୀଶକ୍ତି ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇଛନ୍ତି। ମିସନ ଶକ୍ତି ଦ୍ବାରା ନାରୀ ସମାଜର ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି ସାଂସଦ ଶ୍ରୀମତୀ ସେଠୀ କହିଛନ୍ତି। ଅନ୍ୟତମ ଅତିଥି ଶତାୟୁ ଭୂମିପୁତ୍ର ସ୍ବାଧୀନତା ସଂଗ୍ରାମୀ ସମିତିର ରାଜ୍ୟ ସଭାପତି ନୀଳମଣି ସାମଲ ଯୁବକ ସଂଘର ଏଭଳି ଉଦ୍ୟମକୁ ଉଚ୍ଚପ୍ରଶଂସା କରିବା ସହିତ ସତ୍ୟମାର୍ଗର ଅନୁଗାମୀ ହେବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଅବସରପ୍ରାପ୍ତ ଅଧ୍ୟାପକ କିଶୋର ବେହୁରା ବାଲିପଡ଼ିଆ ପଞ୍ଚାୟତର ବିକାଶ ପାଇଁ ବିଧାୟକ ଓ ସାଂସଦଙ୍କ ସହଯୋଗ କାମନା କରିବା ସହିତ ଏହି ଉତ୍ସବର ଆୟୋଜକମାନଙ୍କୁ ଉଚ୍ଚପ୍ରଶଂସା କରିଥିଲେ।
/sambad/media/post_attachments/wp-content/uploads/2023/02/28-7.jpg)
ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଦିଲୀପ ସାମଲ, ସାଧାରଣ ସମ୍ପାଦକ ସୁବାସ ତ୍ରିପାଠୀ (ଜିତୁ), ସାଂସ୍କୃତିକ ସମ୍ପାଦକ ଅନିରୁଦ୍ଧ ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ, ସମିତି ସଭ୍ୟା ମନୋରମା ଭଞ୍ଜ ବକ୍ତବ୍ୟ ରଖିଥିଲେ। ଶେଷରେ ସଂଘର ଉପସଭାପତି ପ୍ରଗତିବାଦୀ ବାର୍ତ୍ତା ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପୂର୍ବରୁ ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀ ହରି ବାରିକ ଓ ନୀଳମଣି ମଲ୍ଲିକଙ୍କର ପ୍ରତିମୂର୍ତ୍ତିକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଜିର ଉତ୍ସବ ସହିତ ୩ଦିନିଆ ନାଟ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଅଞ୍ଚଳର ୬ଟି ଦଳ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ବାଲିପଡ଼ିଆ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ପରିଚାଳନା କରିଥିବାବେଳେ ପଞ୍ଚାୟତବାସୀ ସହଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/27-7.jpg)