ଜୀବନ ରକ୍ଷାକାରୀ ଇଞ୍ଜେକସନର ଦାମ ୧୬କୋଟି, ଫୁଲବାଣୀର କୁନି ପୁଅର ଜୀବନ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବେ ବାପା-ମା’

କନ୍ଧମାଳ: ଜୀବନ ଓ ମୃତ୍ୟୁ ଭିତରେ ରହିଛି ୪ମାସ । ଇଞ୍ଜେକସନ ନମିିଳିଲେ ଆସନ୍ତା ୪ମାସ ଭିତରେ ଆଖି ବୁଜିଦେଇପାରନ୍ତି ଫୁଲବାଣୀର କୁନି ପୁଅ ରାଜବୀର ରଣା । ତାଙ୍କର ଜୀବନ ବଞ୍ଚାଇବା ପାଇଁ ଜୋଲ-ଗେନ୍ସମା ଇଞ୍ଜେକସନ ଆବଶ୍ୟକ ରହିଛି । ଆଉ ଏହି ଇଞ୍ଜେକସନ କିଣିବା  ପାଇଁ ଆବଶ୍ୟକ ରହିଛି ୧୬କୋଟି ଟଙ୍କା ।

ତେବେ ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଥିଲେ ବି ୧୬କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡୁଛି । ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜବୀରଙ୍କ ବାପା , ମାଆ ନିବେଦନ କରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ କିନ୍ତୁ ବିମାନରୁ ବାହାରିବା ପରେ ରାଜବୀର ଶ୍ୱାସରୁଦ୍ଧ ହେବା ଯୋଗୁଁ ବିମାନ ବନ୍ଦର ବାହାରେ ତାଙ୍କୁ ଅକ୍ସିଜେନ ଦିଆଯାଇଛି ।

ବିମାନବନ୍ଦରରେ ରାଜବୀରଙ୍କ ସ୍ୱାସ୍ଥାବସ୍ଥା ଟିକିଏ ସୁଧୁରିବା ପରେ ନବୀନ ନିବାସ ଯାଉଛନ୍ତି ଉଭୟ ବାପା ଓ ମାଆ । ପୁଅର ଜୀବନ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବେ ବୋଲି କହିଛନ୍ତି ରାଜବୀରଙ୍କ ବାପା । ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ମୁଖ୍ୟମନ୍ତ୍ରୀ ଚାହାନ୍ତି ତାହେଲେ ମୋ ପୁଅ ବଞ୍ଚିଯିବ ।

ସେପଟେ ବିମାନନ୍ଦରରେ ରାଜବୀରଙ୍କୁ କୋଳରେ ଧରି ଆଖିରୁ ଲୁହ ଗଡାଉଛନ୍ତି ମାଆ । କାହିଁକି ନା ପୁଅ ରାଜବୀରଙ୍କୁ ବହୁତ କଷ୍ଟ ହେଉଛି । ପୁଅର କଷ୍ଟ ଦେଖିନପାରି ମାଆ ଆଖିରୁ ବି ଲୁହ ବହିପଡୁଛି । ତେବେ ଯଦି ମୁଖ୍ୟମନ୍ତ୍ରୀ ରାଜବୀରଙ୍କୁ ସହାୟତାର ହାତ ବଢାଇବେ ତା’ହେଲେ ତ’ର ଜୀବନ ବଞ୍ଚିଯାଇପାରିବ।

ସମ୍ବନ୍ଧିତ ଖବର