ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ହେବ

ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ, ଓଡିଶାକୁ ଅଧିକ ଲାଭ ଦେବ: ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ଏମ୍‌ଡିଆର୍ ଓ ସିଏମ୍‌ ନିୟମ ପରିବର୍ତନକୁ ମୋହର

ଭୁବନେଶ୍ବର : ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ)ରୁ ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବରେ ମୋହର ଲାଗିଛି। ସ୍ଥିର ହୋଇଛି ଯେ ଦ୍ୱିସ୍ତରୀୟ ନିଲାମି ପ୍ରକ୍ରିୟା ଜରିଆରେ ଚୟନ କରାଯାଇଥିବା କ୍ରେତାଙ୍କୁ କଂପାନିର ପୁଞ୍ଜି ହସ୍ତାନ୍ତର କରାଯିବ। କେବଳ ସେତିକି ନୁହେଁ, ଆଜିର ବୈଠକରେ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ଏବଂ କୋଲ ମାଇନ୍ସ(ସ୍ପେସିଆଲ ପ୍ରୋଭିଜନ) ନିୟମରେ ମଧ୍ୟ ସଂଶୋଧନ କରାଯାଇଛି ।

ଇସ୍ପାତ ରାଜଧାନୀ କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ହେଉଛି ଏକ ଯୌଥ ଉଦ୍ୟୋଗ ଯେଉଁଥିରେ ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଓଡ଼ିଶା ସରକାରଙ୍କର ଦୁଇଟି ଉଦ୍ୟୋଗର ଅଂଶଧନ ରହିଛି। ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ହେଲେ ଖଣିଜ ଓ ଧାତବ ବ୍ୟବସାୟ ନିଗମ (ଏମଏମଟିସି-୪୯.୭୮%), ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡିସି-୧୦.୧୦%), ମେକନ (୦.୬୮%) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ (ଭେଲ-୦.୬୮%)। ସେହିଭଳି ଓଡ଼ିଶା ସରକାରଙ୍କ ଦୁଇଟି ଉଦ୍ୟୋଗ ହେଲେ ଶିଳ୍ପ ପ୍ରୋତ୍ସାହନ ଓ ନିବେଶ ନିଗମ(ଇପିକଲ-୧୨.୦୦%) ଏବଂ ଓଡ଼ିଶା ଖଣି ନିଗମ (ଓଏମସି-୨୦.୪୭%)। ଏହିସବୁ ସରକାରୀ ଉଦ୍ୟୋଗର ଅଂଶଧନ ପ୍ରତ୍ୟାହାର ହେବ।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ସରକାର କହିଛନ୍ତି ଯେ ଏନଆଇଏନଏଲରୁ ପୁଞ୍ଜି ପ୍ରତ୍ୟାହାର ଫଳରେ ଏଥିରେ ନିଷ୍କ୍ରିୟ ହୋଇପଡ଼ି ରହିଥିବା ସମ୍ବଳ ମୁକ୍ତ ହେବ, ଯାହାର ଉପଯୋଗ ସରକାରଙ୍କ ସାମାଜିକ କ୍ଷେତ୍ର ତଥା ବିକାଶମୂଳକ କାର୍ଯ୍ୟକ୍ରମରେ ଲାଗିପାରିବ। କେନ୍ଦ୍ର ସରକାର ଏକଥା ମଧ୍ୟ ଆଶା କରିଛନ୍ତି ଯେ ସଫଳ କ୍ରେତା ଏହି କମ୍ପାନିର ବିକାଶ ଲାଗି ନୂତନ ପରିଚାଳନା ବ୍ୟବସ୍ଥା ସହିତ ପ୍ରଯୁକ୍ତିର ଉପଯୋଗ କରିପାରିବେ। ଏଥିସହିତ କମ୍ପାନିର ବ୍ୟାବସାୟିକ କାରବାର ବିକାଶ ଲାଗି ନୂଆ ପଦ୍ଧତିର ଉପଯୋଗ କରାଯାଇପାରିବ ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତ୍ତି ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍‌’ରେ ଏକ ବଡ ପଦକ୍ଷେପ। ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ଭଳି ରାଜ୍ୟ ଅଧିକ ଲାଭ ପାଇବ। ଆଗାମୀ ଦିନରେ ଏହି ୧.୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ। ଏହା ଦ୍ୱାରା ନୀଳାଚଳ ଇସ୍ପାତ କାରଖାନାର ସଂପ୍ରସାରଣ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ ରହିଥିବା ବେଳେ ଓଡିଶା ୩୦ ପ୍ରତିଶତ ବା ପ୍ରାୟ ୧୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବ। କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ଏନଆଇଏନଏଲ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଅନ୍ୟପକ୍ଷରେ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ଓ କୋଇଲା ଉତ୍ପାଦନ ବୃଦ୍ଧି ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଏହି କାରଣରୁ ଓଡିଶା ଭଳି କୋଇଲା ଭଣ୍ଡାର ଥିବା ରାଜ୍ୟର ରାଜକୋଷ ଓ ସ୍ଥାନୀୟ ବ୍ୟବସାୟ ତଥା ଶିଳ୍ପ ପ୍ରଗତିରେ ବଡ ସହଯୋଗ ଦେବ। କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କଟକଣାକୁ ମଧ୍ୟ ହଟାଯାଇଛି। ଇସ୍ପାତ ଶିଳ୍ପକୁ ଏଥିରୁ ବେଶି ଲାଭ ମିଳିବ। ଇସ୍ପାତର ଦାମ୍ କମିବା ସହ କୋଇଲାର ଆମଦାନୀ ହ୍ରାସ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିୟମ ଦ୍ୱାରା କୋଲ ବ୍ଲକ ଆବଣ୍ଟନରେ ସୁବିଧା ହେବା ସହ ବାଣିଜ୍ୟିକ କୋଇଲା ଅଧିକ ମାତ୍ରାରେ ଉତ୍ପାଦନ ହେବ।

ଏମଏମଡିଆର ଆକ୍ଟ ସଂଶୋଧନ ଦ୍ୱାରା ଓଡିଶା ଅଧିକ ଲାଭ ପାଇବ ବୋଲି େକନ୍ଦ୍ରମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟ ମୋଦୀ ସରକାରଙ୍କ ପ୍ରାଥମିକତା। ଇନ୍ଦ୍ରଧନୁଷ ଗ୍ୟାସ୍ ଗ୍ରିଡ୍ଲି ମିଟେଡର ଉତ୍ତର-ପୂର୍ବ ଗ୍ୟାସ ଗ୍ରିଡ୍ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ପୂର୍ବୋତ୍ତରର ୮ଟି ରାଜ୍ୟରେ ଗ୍ୟାସ ଗ୍ରିଡ୍ ପ୍ରତିଷ୍ଠା କରାଯିବାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ଅଧୀନରେ ୧୬୫୬ କିମି ଗ୍ୟାସ ଗ୍ରିଡରେ ୯ ହଜାର ୨୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶର ୩୦ ପ୍ରତିଶତରୁ ୪୦ ପ୍ରତିଶତ ଗ୍ୟାସ ଉତ୍ତର ପୂର୍ବାଞ୍ଚଳରେ ଉତ୍ପାଦନ ହେବ।

ସମ୍ବନ୍ଧିତ ଖବର