ଯାଜପୁର/ଦାନଗଦୀ : ଦୀର୍ଘ ୪ମାସ ହେଲା ଦରମା ନପାଇ ଛଟପଟ ହେଉଥିବା କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ କାରଖାନାର ଶ୍ରମିକ-କର୍ମଚାରୀ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ଶହଶହ ଶ୍ରମିକ-କର୍ମଚାରୀ ଆଜି କାରଖାନା ଘେରିବା ସହିତ ଦୀର୍ଘ ସମୟ ଧରି ବ୍ୟାସନଗର-ଡୁବୁରି ରାସ୍ତାକୁ ଅବରୋଧ କରି ରଖିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ୨୦ ଆନ୍ଦୋଳନକାରୀଙ୍କୁ ଗିରଫ କରି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଛି। ଅନ୍ୟପଟେ କାରଖାନା କର୍ତ୍ତୃପକ୍ଷ ଏବଂ ଶ୍ରମିକ-କର୍ମଚାରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି। କାରଖାନା କର୍ତ୍ତୃପକ୍ଷ ଦରମା ଦେବାକୁ ଚୁକ୍ତିନାମା କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।

Advertisment

ନୀଳାଚଳ ଇସ୍ପାତ କାରଖାନା ମୁଖ୍ୟ ଅଂଶୀଦାର ଏମ୍‌ଏମ୍‌ଟିସି ନିଜର ଅଂଶଧନ ପ୍ରତ୍ୟାହାର କରିନେବା ପରେ ଆର୍ଥିକ ସମସ୍ୟା କାରଣରୁ ନୀଳାଚଳ କାରଖାନାର ଗୋଟିଏ ପରେ ଗୋଟିଏ ୟୁନିଟ ବନ୍ଦ ହୋଇଯାଇଥିଲା। ଏମିତି ପରିସ୍ଥିତି ହୋଇଥିଲା ଯେ ଶେଷରେ ତାଲା ଝୁଲିଥିଲା। ଗତ ଫେବ୍ରୁଆରିରୁ ମେ ମାସ ପର୍ଯ୍ୟନ୍ତ ପ୍ରାୟ ଅଢେଇ ହଜାର ଶ୍ରମିକ, କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଇନାହିଁ। ଏହାର ପ୍ରତିବାଦରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ଆହ୍ବାନକ୍ରମେ ଆଜି ସକାଳେ ଶହ ଶହ କର୍ମଚାରୀ ଓ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇ କାରଖାନା ମୁଖ୍ୟ ଫାଟକ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଯାଜପୁରରୋଡ଼-ଡୁବୁରି ମୁଖ୍ୟ ରାଜରାସ୍ତାକୁ ଅବରୋଧ କରିଥିଲେ।

publive-image

ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା, ଅତିରିକ୍ତ ଏସ୍‌ପି ରାଜ କିଶୋର ଦୋରା, କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ପହଞ୍ଚି ଆଲୋଚନା କରିଥିଲେ। ପୁଲିସ ଆନ୍ଦୋଳନକାରୀ କର୍ମଚାରୀଙ୍କୁ ଗିରଫ କରି ଥାନାକୁ ନେଇଥିଲା। କର୍ମଚାରୀଙ୍କ ନେତୃତ୍ବ ନେଉଥିବା ୨୦ଜଣଙ୍କୁ ଥାନାରେ ଅଟକ ରଖିଥିଲେ । ଘଟଣାସ୍ଥଳରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଟକ କର୍ମଚାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦିଆଯାଇଛି। ଜିଲ୍ଲା‌ପାଳ ଏବଂ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ସୂଚନା ଥାଉକି, ନୀଳାଚଳ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ଗତ ୪ମାସ ହେଲା ଦରମା ଦେଇନାହାନ୍ତି। ଏ ସମ୍ପର୍କରେ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଫୋରମରେ ବାରମ୍ବାର ଦାବି କରାଯାଇ ଆସୁଥିଲେ ହେଁ କେହି କିଛି ଶୁଣୁ ନଥିଲେ । ଗତ ୩୦ ତାରିଖରେ ମଞ୍ଚ ଦରମା ଓ କାରଖାନା କାର୍ଯ୍ୟକ୍ଷମ ଦାବିରେ ଆନ୍ଦୋଳନ ଡାକରା ଦେଇଥିଲା। ଆନ୍ଦୋଳକାରୀମାନେ ଆଜି କାରଖାନା ଫାଟକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରି କାରଖାନା କର୍ତ୍ତୃପକ୍ଷଙ୍କ କର୍ମଚାରୀ ଓ ଶ୍ରମିକ ମାରଣନୀତି ନେଇ କଟୁ ସମାଲୋଚନା କରିଥିଲେ। ମଞ୍ଚର ଆବାହକ ରଞ୍ଜନ ନାୟକ, ବିସ୍ଥାପିତ କମିଟିର ବାବୁଲି ପୂର୍ତ୍ତି, ମହିରାମ ପୂର୍ତ୍ତି, ବିଜୟ ମହାନ୍ତ, ଲକ୍ଷ୍ମୀ ପଟ୍ଟନାୟକ, ରାଣା ମହାନ୍ତି, ଗଙ୍ଗାଧର ସାହୁ, ନିଶି ମହାନ୍ତି, ବିଶ୍ୱଜିତ ସାମନ୍ତରାୟ, ରଂଜିତ ମହାନ୍ତ, ସଞ୍ଜୁ ମହାନ୍ତ, ମନୋରଞ୍ଜନ ମହାନ୍ତ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।