ଭୁବନେଶ୍ବର: କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଥି ନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସମନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଓ ୧୮ ମାସ ମଧ୍ୟରେ କାମ ଶେଷ ହେବ। ଆଜି ଏହି ବିକାଶ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନସାଧାରଣ ଓ ସେବାୟତମାନଙ୍କ ସହଯୋଗ କାମନା କରିଛନ୍ତି। ନୀଳମାଧବ ପୀଠର ବିକାଶ ପାଇଁ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ଦାବି କରିଆସୁଥିଲେ। ଆଜିର ଏହି ଘୋଷଣା ପରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଶ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ। ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ଼ ସମ୍ପର୍କ ରହିଛି। ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ। ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ। ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁଃପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ, ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି। ମନ୍ଦିରକୁ ଯାଇଥିବା ତିଖା ପାହାଚ ଶ୍ରେଣୀର ପୁନରୁଦ୍ଧାର କରାଯାଇ ଭକ୍ତ ମାନେ ଯେପରି ସୁବିଧାରେ ଯାଇପାରିବେ ତଦନୁଯାୟୀ ବିକାଶ କରାଯିବ।

ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ, ୧୮ ମାସରେ କାମ ସରିବ
ବିଧାନସଭା ଭିତରେ ଓ ବାହାରେ ଦାବି କରିଥିଲେ ବିଧାୟକ ସୌମ୍ୟରଂଜନ
ସରକାରଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ। ବୟସ୍କ ଓ ଭିନ୍ନକ୍ଷମମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ ଦ୍ୱାରରେ ଲିଫ୍ଟ ଓ ସ୍କାଏବ୍ରିଜ୍ ସୁବିଧାର ବିକାଶ କରାଯିବ। ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ। ଏହା ସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ। ଯାତ୍ରୀମାନଙ୍କ ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (କ୍ଲୋକ୍‌ ରୁମ୍) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ। ମନ୍ଦିରକୁ ପ୍ରବେଶ ପାଇଁ ପୂର୍ବ ଓ ପଶ୍ଚିମ ପାର୍ଶ୍ବ ସଡ଼କର ପ୍ରଶସ୍ତୀକରଣ କରାଯିବ। ପୂର୍ବ ପାର୍ଶ୍ବ ସଡ଼କକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ବ ସଡ଼କକୁ ୧୨ ମିଟର ପ୍ରଶସ୍ତ କରାଯିବ। ମହାନଦୀର କୁଳକ୍ଷୟରୁ ମନ୍ଦିରକୁ ସୁରକ୍ଷା ଯୋଗାଇବା ପାଇଁ ୪୦୦ ମିଟର୍‌ ଲମ୍ବ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡ଼ିବ। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବ। ପୂର୍ତ୍ତ ବିଭାଗ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମହାନଦୀ କୁଳକ୍ଷୟ ରୋକିବା ପାଇଁ ସୁରକ୍ଷା ପ୍ରାଚୀର ଜଳସମ୍ପଦ ବିଭାଗ ନିର୍ମାଣ କରିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନା ରଖିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି. କେ. ଜେନା, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଓ ନୟାଗଡ଼ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।