ନିଟ୍‌ ରେଜଲ୍ଟ : କଳ୍ପନା କୁମାରୀ ସର୍ବଭାରତୀୟ ଟପର୍‌, ସମୀର ପାତ୍ର ଓଡ଼ିଶା ଟପର୍‌

ଓଡ଼ିଶାର ୧୯,୬୦୦ ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ, ଶ୍ରେଷ୍ଠ ୫୦ରେ ଦୁଇ ଓଡ଼ିଆ

ଭୁବନେଶ୍ୱର : ଦେଶରେ ଥିବା ମେଡିକାଲ ଓ ଡେଣ୍ଟାଲ କଲେଜର ଏମ୍‌ବିବିଏସ୍‌/ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ଫଳ ଆଜି ପ୍ରକାଶ ପାଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସବିଏସ୍‌ଇ) ପକ୍ଷରୁ ‘www.cbseneet.nic.in’ ଓ ‘www.cbseresults.nic.in’ ଓ୍ଵବସାଇଟ୍‌ରେ ରେଜଲ୍ଟ ପ୍ରକାଶ ପାଇଥିଲା। ଚଳିତବର୍ଷ ଓଡ଼ିଶାର ୩୩ ହଜାର ୬୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଥିବା ବେଳେ ୩୨ ହଜାର ୩୦୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ୬୦୦ ଜଣଙ୍କୁ ର‍୍ୟାଙ୍କ ମିଳିଛି।

ଦେଶର ଶ୍ରେଷ୍ଠ ୫୦ ତାଲିକାରେ ଓଡ଼ିଶାର ଦୁଇ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ସମୀର ପାତ୍ର ଓଡ଼ିଶା ଟପର୍‌ ହୋଇଛନ୍ତି। ସେ ମୋଟ ୭୨୦ ନମ୍ବରରୁ ୬୭୧ ନମ୍ବର ରଖି ୩୦ତମ ସ୍ଥାନରେ ରହିଛନ୍ତି। ତାଙ୍କ ତଳକୁ ଛାତ୍ରୀ ଆରୁଷି କୋଲାନା ୫୦ତମ, ବିକାଶ ସାହୁ ୮୦ତମ, ସବୁଜିମା ସ୍ୱାଇଁ ୧୨୦, ଶୁଭପ୍ରତିଶ୍ରୁତି ଜେନା ୧୫୩, ଓ ଜୟକୃଷ୍ଣ ପାଣି ୨୦୪ତମ ର‍୍ୟାଙ୍କ ହାସଲ କରିଛନ୍ତି। ଶ୍ରେଷ୍ଠ ଏକ ହଜାର ର‍୍ୟାଙ୍କ ମଧ୍ୟରେ ଓଡ଼ିଶାରୁ ୪୨ ଜଣ ଛାତ୍ରଛାତ୍ରୀ ରହିଥିବା ସୂଚନା ମିଳିଛି।

ଚଳିତବର୍ଷ ମୋଟ୍‌ ୧୩ ଲକ୍ଷ ୨୬ ହଜାର ୭୨୫ ଜଣ ନିଟ୍‌ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ୧୨ ଲକ୍ଷ ୬୯ ହଜାର ୯୨୨ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୪ ହଜାର ୫୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ତେବେ ପରୀକ୍ଷା ଦେଇଥିବା ୭ ଲକ୍ଷ ୧୬ ହଜାର ୭୨ ଜଣ ଛାତ୍ରୀଙ୍କ ମଧ୍ୟରୁ ୪ ଲକ୍ଷ ୨ ହଜାର ୧୬୨ ଜଣ ପାସ୍‌ କରିଛନ୍ତି। ସେହିପରି ୫ ଲକ୍ଷ ୮୦ ହଜାର ୬୪୯ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩ ଲକ୍ଷ ୧୨ ହଜାର ୩୯୯ ଜଣ ର‍୍ୟାଙ୍କ ପାଇଛନ୍ତି। ପରୀକ୍ଷା ଦେଇଥିବା ଜଣେ ମାତ୍ର କିନ୍ନରଙ୍କୁ ର‍୍ୟାଙ୍କ ମିଳିଥିବା ନେଇ ସିବିଏସ୍‌ଇ ପକ୍ଷରୁ ସୂଚନା ମିଳିଛି।

ବିହାରର ଛାତ୍ରୀ କଳ୍ପନା କୁମାରୀ ସାରା ଦେଶରେ ଟପର୍‌ ହୋଇଛନ୍ତି। ମୋଟ ୭୨୦ ମାର୍କରୁ ସେ ୬୯୧ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ତଳକୁ ତେଲେଙ୍ଗାନାର ଛାତ୍ର ରୋହନ ପୁରୋହିତ ଓ ଦିଲ୍ଲୀର ଛାତ୍ର ହିମାଂଶୁ ଶର୍ମା ୬୯୦ ନମ୍ବର ରଖି ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଦିଲ୍ଲୀର ଆରୋଷ ଧାମିଜା ଓ ରାଜସ୍ଥାନର ପ୍ରିନ୍ସ ଚୌଧୁରୀ ତୃତୀୟ ସ୍ଥାନରେ ରହିଛନ୍ତି। ଛାତ୍ରୀ ଟପର୍‌ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ୫୦ ତାଲିକାରେ ଛାତ୍ରଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ୧୪ ଜଣ ଛାତ୍ରୀ ରହିଥିବା ବେଳେ ୩୬ ଜଣ ଛାତ୍ର ରହିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଓଡ଼ିଶାର ୧୨୦୦ରୁ ଅଧିକ ଏମ୍‌ବିବିଏସ୍‌ ଓ ୧୫୦ ବିଡିଏସ୍‌ ସିଟ୍‌ ଲାଗି ନାମଲେଖା ଅନୁଷ୍ଠିତ ହେବ। ଏଥିପାଇଁ ଓଜେଇଇ କାଉନସେଲିଂ କରିବ। ଏପର୍ଯ୍ୟନ୍ତ କାଉନସେଲିଂ ତାରିଖ ସ୍ଥିର ହୋଇ ନାହିଁ। ଜୁଲାଇ ମାସ ବେଳକୁ କାଉନସେଲିଂ ଆରମ୍ଭ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ମନୀଷ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର