ଭୁବନେଶ୍ୱର : ନିଟ୍ ଓ ଜେଇଇ ମେନ ପରୀକ୍ଷା ହେବ ନା ନାହିଁ? ଯଦି ହେବ ତେବେ କେବେ? ସେପ୍ଟେମ୍ବର ମାସରେ ପରୀକ୍ଷା କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦିନ ଧାର୍ଯ୍ୟ କରିସାରିଛି। କେନ୍ଦ୍ର ସରକାର ସହମତି ଜଣାଇ ସାରିଛନ୍ତି। ଏମିତି କି ସୁପ୍ରିମକୋର୍ଟ ବି ପରୀକ୍ଷା ସମ୍ପର୍କରେ ମତପ୍ରକାଶ କରିଛନ୍ତି। ତେଣୁ ସେପ୍ଟେମ୍ବରରେ ପରୀକ୍ଷା କରିବାକୁ ପ୍ରସ୍ତୁତି ଚାଲିଛି। ଆଡମିଟ୍ କାର୍ଡ ବଣ୍ଟା ଚାଲିଛି। ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହେଉଛି। ଛାତ୍ରଛାତ୍ରୀ ବି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର ସଫଳତା ନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛି କେନ୍ଦ୍ର।
ଅନ୍ୟପକ୍ଷରେ କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ନ ଲଗାଇବାକୁ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟ ଯୁକ୍ତି ବାଢ଼ିଛନ୍ତି। ବରଂ ପରୀକ୍ଷାକୁ ଏବେ ସ୍ଥଗିତ ରଖି ପରେ କରାଇବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ଏପରିକି କେତେକ ରାଜନୈତିକ ଦଳ ଏବେ ପରୀକ୍ଷା ସ୍ଥଗିତ ଦାବିରେ ପୁଣି ଥରେ ସୁପ୍ରିମକୋର୍ଟ ଯିବାକୁ ଘୋଷଣା କରିଛନ୍ତି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀକ୍ଷା ଘୁଞ୍ଚାଇବା ଲାଗି ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଆଜି ଫୋନରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି।
ଜେଇଇ ମେନ ପରୀକ୍ଷା ପାଇଁ ହାତରେ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ସାରା ଦେଶରେ ଏଭଳି ରାଜନୀତିକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସତ। ହେଲେ ମନରେ ଭୟ, ଆଶଙ୍କା ରହିଛି। ପରୀକ୍ଷା ଦେଲେ ପଢ଼ିବେ, ନ ଦେଲେ ଗୋଟେ ବର୍ଷ ବେକାର। ତେଣୁ ଦୋଛକିରେ ରହି ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆଡମିଟ କାର୍ଡ ଡାଉନ୍ଲୋଡ କରୁଛନ୍ତି। ହେଲେ କରୋନା ଭୟ ଭିତରେ ଶତାଧିକ ଛାତ୍ରଛାତ୍ରୀଙ୍କ ମେଳରେ ବସି କେମିତି ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି।
ପରୀକ୍ଷାର୍ଥୀ କ’ଣ କରିବେ
ନିର୍ଦ୍ଧାରିତ ସମୟ ସୁଦ୍ଧା ପହଞ୍ଚିବେ
ଗେଟ୍ ବନ୍ଦ ହେବା ପରେ ପ୍ରବେଶ ଲାଗି ଅନୁମତି ମିଳିବନି
ପରୀକ୍ଷା ସରିବା ପୂର୍ବରୁ କେହି ହଲ ଛାଡ଼ି ଯିବେନି
କୋଭିଡ୍-୧୯ ଗାଇଡ୍ଲାଇନ ଓ ୪ ପୃଷ୍ଠାର ଆଡମିଟ କାର୍ଡକୁ ଭଲ ଭାବେ ପଢ଼ିବେ
ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଯାଇ ବୁଲି ଦେଖି ଆସିବେ
ଆଡମିଟ କାର୍ଡ ସହ ସେଲ୍ଫ ଡିକ୍ଲାରେସନ କାଗଜ, ବଲ୍ ପଏଣ୍ଟ ପେନ୍ ଆଣିବେ
ନିଜସ୍ୱ ପାଣି ବୋତଲ ଓ ୫୦ ମିଲିର ନିଜସ୍ୱ ହ୍ୟାଣ୍ଡ ସାନିଟାଇଜର ଆଣି ଆସିବେ
ସରକାରଙ୍କ ଦ୍ଵାରା ପ୍ରଦତ୍ତ ଯେକୌଣସି ପରିଚୟପତ୍ର ସାଙ୍ଗରେ ଆଣି ଆସିବେ
ଇଲେକ୍ଟ୍ରୋନିକ୍ସ ଯନ୍ତ୍ର, ମୋବାଇଲ ଆଦି ସାମଗ୍ରୀ ଆଣିବା ଉପରେ କଟକଣା
ଜୋତା, ମୋଜା, ଲମ୍ବା ହାତ ଥିବା ସାର୍ଟ ପିନ୍ଧିବେ ନାହିଁକୋଭିଡ୍-୧୯ ପାଇଁ ଏସ୍ଓପି
ପ୍ରତ୍ୟେକ ସିଫ୍ଟ ପରେ ଭଲ ଭାବେ କେନ୍ଦ୍ର ବିଶୋଧନ ହେବ
ମନିଟର, କି-ବୋର୍ଡ, ମାଉସ, ଡେସ୍କ, ଚେୟାର, ବେଞ୍ଚ, ଡୋର ହାଣ୍ଡେଲ, ଲିଫ୍ଟ ବଟନ ଆଦି ଭଲ ଭାବେ ବିଶୋଧନ ହେବ
ପ୍ରତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦୁଇଟି ସିଟ୍ ବ୍ୟବଧାନ ରହିବ
ପରୀକ୍ଷା କେନ୍ଦ୍ରର ପ୍ରବେଶ ଓ ପ୍ରସ୍ଥାନ ପଥରେ ହ୍ୟାଣ୍ଡ ସାନିଟାଇସର ରହିବ
ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପରୀକ୍ଷକମାନେ ଗ୍ଲୋଭ୍ସ ପିନ୍ଧି ପ୍ରତି ଡେସ୍କରେ ରଫ୍ ସିଟ ରଖିବେ
ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତ୍ୱ ରହିବ
ପ୍ରବେଶ ପୂର୍ବରୁ ସାବୁନ ଓ ହ୍ୟାଣ୍ଡ ସାନିଟାଇଜରରେ ହାତ ଧୋଇବେ
ପରୀକ୍ଷାର୍ଥୀ ଘରୁ ପିନ୍ଧି ଆସିଥିବା ମାସ୍କକୁ ପରୀକ୍ଷା କେନ୍ଦ୍ର ବାହାରେ ପକାଇବେ
ପରୀକ୍ଷା କେନ୍ଦ୍ର ନିକଟରେ ସେମାନଙ୍କୁ ମାସ୍କ ପ୍ରଦାନ କରାଯିବ
ପ୍ରବେଶ ପଥରେ ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ମପାଯିବ
ହଲ ଛାଡ଼ିବା ପୂର୍ବରୁ ପରୀକ୍ଷାର୍ଥୀ ଆଡମିଟ କାର୍ଡ ଓ ରଫ ସିଟ ନିର୍ଦ୍ଧାରିତ ବାକ୍ସରେ ଛାଡ଼ି ଆସିବେ