ସରିଲା ନିଟ୍‌ : ପରୀକ୍ଷା ଦେଲେ ୮୮% ଛାତ୍ରଛାତ୍ରୀ

ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଫଳ, ସହାୟତା ଯୋଗାଇଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ସାରା ଦେଶରେ ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ‌ଏଣ୍ଟ୍ରାନ୍ସ ଟେଷ୍ଟ) ଅନୁଷ୍ଠିତ ହୋଇଛି। କୋଭିଡ୍‌-୧୯ କଟକଣା ମଧ୍ୟରେ ଅଫ୍‌ଲାଇନ୍‌ରେ ହେଉଥିବା ଏହି ପରୀକ୍ଷାରେ ୮୫%ରୁ ୯୦% ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ମୋଟ ୧୫ ଲକ୍ଷ ୯୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ଦୁଇ ଲକ୍ଷ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ପରୀକ୍ଷାରେ ସମସ୍ତ ପ୍ରକାର ସହଯୋଗ ଓ ସୁପରିଚାଳନା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଟୁଇଟ୍‌ କରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏନଟିଏ ମହାନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ୭୭% ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବା ବେଳେ ହିନ୍ଦୀରେ ୧୨% ଓ ଅନ୍ୟାନ୍ୟ ଭାଷାରେ ୧୧% ଛତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଆ ଭାଷାରେ ୧%ରୁ କମ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଆଜି ପରୀକ୍ଷାରେ କରୋନା ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇ ନାହିଁ। ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ପରୀକ୍ଷା କରାଯିବା ନେଇ ଘୋଷଣା କରାଯିବ। ଦେଶର ଏକ ଲକ୍ଷ ଏମବିବିଏସ୍ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରବେଶିକା ପରୀକ୍ଷା ଫଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ୮୮.୨୭% ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୩୭ ହଜାର ୧୯୮ ଛାତ୍ରଛାତ୍ରୀଙ୍କୁ ଆଲଟ ହୋଇଥିବା ବେଳେ ୩୨ ହଜାର ୮୩୩ ଜଣ ପରୀକ୍ଷା ଦେଇଛନ୍ତି। ୪ ହଜାର ୩୬୫ ଜଣ ଅନୁପସ୍ଥିତ ରହିଥିଲେ। ଭୁବନେଶ୍ବରରେ ୧୩ ହଜାର ୪୨୧ ଜଣ ପରୀକ୍ଷା ଦେଇଥିବା ବେଳେ କଟକରେ ୫୨୬୫, ସମ୍ବଲପୁରରେ ୪୩୧୯, ବ୍ରହ୍ମପୁର ସହରରେ ୩୫୦୬, ବାଲେଶ୍ବରରେ ୩୪୪୯, ରାଉରକେଲାରେ ୧୭୬୬ ଓ ଅନୁଗୁଳରେ ୧୧୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ନିଟ୍‌ର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ କଡ଼ା ସୁରକ୍ଷା ଓ ଯାଞ୍ଚ ମଧ୍ୟରେ ରାଜ୍ୟରେ ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି। କୌଣସି କେନ୍ଦ୍ରରେ କିଛି ଅଘଟଣ ହୋଇନି। କୌଣସି କରୋନା ପଜିଟିଭ୍‌ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଆସି ନାହାନ୍ତି। କରୋନା ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ୍‌ ହୋଇଥିଲେ ମଧ୍ୟ ସେଭଳି କେହି ପରୀକ୍ଷାର୍ଥୀ ଆସି ନ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲେ। ଯାତାୟାତ ସୁବିଧା ପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ବସ, କାର, ଅଟୋ ସେବା କରାଯାଇଥିଲା। ଏଥିସହିତ ପରୀକ୍ଷାର୍ଥୀଙ୍କ ରହିବା ପାଇଁ ରହଣୀସ୍ଥଳ ହୋଇଥିଲା। ମୋଟ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ରହଣୀସ୍ଥଳରେ ରହି ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବାକୁ ଟ୍ରେନରେ ଆସିଥିବା ଛାତ୍ରଛାତ୍ରୀ ଆଜି ଫେରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର